ଚାଷୀରୁ ଉଦ୍ୟୋଗପତି ହେବାର ସ୍ୱପ୍ନ । ନିଜ ଘରେ ମେସିନ୍ ପକାଇ ଚପଲ ତିଆରି କରୁଛନ୍ତି କୋରାପୁଟ ଚାଲାଣପୁଟ ଗାଁର ଯୁବକ ଧନପତି

78

କନକ ବ୍ୟୁରୋ : ୟୁଟ୍ୟୁବ୍ ଦେଖାଇଛି ରୋଜଗାରର ରାସ୍ତା । ପନିପରିବା ଚାଷ କରିବା ସହ ନିଜ ଘରେ ମେସିନ୍ ପକାଇ ଚପଲ ତିଆରି କରୁଛନ୍ତି କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଅନ୍ତର୍ଗତ ଚାଲାଣପୁଟ ଗାଁର ଯୁବକ ଧନପତି ସୁପିଆ । ଭବାନୀପାଟଣାରୁ ଚପଲ ତିଆରି ସାମଗ୍ରୀ ଆଣି ନିଜେ ଘରେ ହାତ ତିଆରି ମେସିନରେ ଚପଲ ତିଆରି କରୁଛନ୍ତି । ଧନପତି ବନେଇଥିବା ଚପଲକୁ ପ୍ରଥମେ ଗ୍ରାମବାସୀ କିଣି ବ୍ୟବହାର କରିଥିଲେ । ଆସ୍ତେ ଆସ୍ତେ ଧନପତିଙ୍କ ହାତ ତିଆରି ଚପଲର ଚାହିଦା ବଢ଼ିବାରେ ଲାଗିଛି । ଗାଁ ଲୋକମାନେ ମଧ୍ୟ ତାଙ୍କ ଘରକୁ ଆସି ଚପଲ କିଣିନେଉଛନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟକୁ ରୋଜଗାର ଦେବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି । ଧନପତି ଗରିବ ଶ୍ରେଣୀର ହୋଇଥିବାରୁ ଅଧିକ ପାଠ ପଢି ନାହାନ୍ତି କିନ୍ତୁ କିଛି ନୂଆ କରିବାର ଇଛା ତାଙ୍କ ପାଖରେ ରହିଛି । ଧନପତି ଚାଷ ବାସ କରିବା ସହିତ ଏକ ଏନଜିଓରେ କାମକରୁଥିଲେ । ନୂଆ କିଛି କରିବାର ଇଛା ତାଙ୍କୁ ଏହି କାମ ପାଇଁ ବାଟ ଦେଖାଇଛି ।

ଦିନରେ ଚାଷ କାମ କରିବା ସହିତ ସନ୍ଧ୍ୟାରେ ସେ ଚପଲ ତିଆରି କରୁଛନ୍ତି । ଯଦି ଚାଷ କାମ ନଥିବ ଦିନ ସାରା ଧନପତି ଚପଲ ତିଆରି କାମରେ ଲାଗିପଡନ୍ତି । ଏଇ କାମରେ ତାଙ୍କ ପତ୍ନୀ ଓ ବାପା-ମା’ ମଧ୍ୟ ସାହାଯ୍ୟ କରୁଛନ୍ତି । ଦିନକୁ ସେ ଶହେରୁ ଅଧିକ ଚପଲ ତିଆରି କରୁଛନ୍ତି । ସେଇ ଚପଲକୁ ଗାଁ ଗାଁରେ ବୁଲି ବିକ୍ରି କରୁଛନ୍ତି । ଗୋଟେ ଚପଲରେ ତାଙ୍କୁ ତିରିଶିରୁ ଚାଳିଶି ଟଙ୍କା ଲାଭ ମିଳୁଛି । କମ ଦାମରେ ଭଲ ଚପଲ ଯୋଗାଇଦେଉ ଥିବାରୁ ଚପଲ କିଣିବା ପାଇଁ ଦୂର ଦୁରାନ୍ତର ଗାଁରୁ ଲୋକେ ଧାଇଁ ଆସୁଛନ୍ତି । ଆଗକୁ ଅଟୋମେଟିକ ମେସିନ ସାହାଯ୍ୟରେ ଅଧିକ ଚପଲ ତିଆରି କରି କୋରାପୁଟ ଜ଼ିଲ୍ଲାର ବିଭିନ୍ନ ଦୋକାନରେ ହୋଲସେଲ ଦାମରେ ଚପଲ ଯୋଗାଇବେ ବୋଲି ଧନପତି କହିଛନ୍ତି ।

ଧନପତି କୁହନ୍ତି ରୋଜଗାର କରିବା ପାଇଁ ଅନେକ ବାଟ ରହିଛି । ସମୟ ନଷ୍ଟ ନକରି କଠିନ ପରିଶ୍ରମ କଲେ ନିଶ୍ଚୟ ରୋଜାର ମିଳିପାରିବ ।