ଆମେରିକାରେ ଦିନକରେ ଚିହ୍ନଟ ହେଲେ ୧୧ଲକ୍ଷ ଆକ୍ରାନ୍ତ, ହୁ କହିଲା ୨ ମାସରେ ପୂରା ୟୁରୋପରେ ବ୍ୟାପିଯିବ ଓମିକ୍ରନ

133

କନକ ବ୍ୟୁରୋ: ସାରା ବିଶ୍ୱରୁ ପୁଣି ଆତଙ୍କ ଖେଳାଇଛି କରୋନା ମହାମାରୀ । ଅଧିକାଂଶ ଦେଶରେ କରୋନା ନିଜର ବିସ୍ତାର ବୃଦ୍ଧି କରିବାରେ ଲାଗିଛି । ସଂକ୍ରମଣ ସହ ମୃତ୍ୟୁ ଦରରେ ଲାଗୁନି ବ୍ରେକ୍ । ଗତ ୨୪ ଘଂଟାରେ ସାରା ବିଶ୍ୱରୁ ୨୧ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ସହ ୯ଲକ୍ଷ ୫୦ହଜା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ୪ହଜାର ୬୦୮ଜଣଙ୍କ ଜୀବନ ନେଇଛି ଘାତକ ମହାମାରୀ

୨୦୨୨ ଆରମ୍ଭରୁ ସାରା ବିଶ୍ୱରେ ପୁଣି ଆତଙ୍କ ଖେଳାଇଲାଣି କରୋନାର ଅଦୃଶ୍ୟ ଭୂତାଣୁ । ନୂଆ ପ୍ରଜାତି ଓମିକ୍ରନ ଭାରିଆଂଟ ଏବେ ବିଶ୍ୱର ବିଭିନ୍ନ ଦେଶରେ ଆତଙ୍କର ନାଁ ହୋଇ ପହଁଚି ଗଲାଣି । ଓମିକ୍ରନର ଦ୍ରୁତ ସଂକ୍ରମଣ ପ୍ରଭାବ କାରଣରୁ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି ।

– ବିଶ୍ୱରେ ୨୧୨ ରୁ ଅଧିକ ଦେଶରେ ପହଁଚିଲାଣି ଓମିକ୍ରନ
– ବିଶ୍ୱରେ ବଢିଚାଲିଛି କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା
– ବର୍ତମାନ କରୋନା ସଂକ୍ରମଣରେ ସବୁଠୁ ଆଗରେ ଆମେରିକା
– ଆମେରିକାରେ ଦୈନିକ ସଂକ୍ରମଣ ପହଁଚିଗଲାଣି ୧୦ ଲକ୍ଷ

ଗତ ପ୍ରାୟ ଏକ ସପ୍ତାହରୁ ଅଧିକ ସମୟ ଧରି ଆମେରିକାରେ ଏହିପରି ସଂକ୍ରମଣ ହାର ଅଧିକ ରହୁଛି । ଆମେରିକା ପରେ ୨ୟ ସ୍ଥାନରେ ରହିଛି ଭାରତ । ଭାରତରେ ଦୈନିକ ସଂକ୍ରମଣ ୧ ଲକ୍ଷ ୬୦ ହଜାର ଅତିକ୍ରମ କରିଗଲାଣି । ଆମେରିକା ଓ ଭାରତ ପରେ ଦୈନିକ ସଂକ୍ରମଣରେ ତୃତୀୟ ସ୍ଥାନରେ ରହିଛି ବ୍ରିଟେନ
କେଉଁ ଦେଶରେ କେତେ ଜଣ ପ୍ରଭାବିତ ହୋଇଛନ୍ତି, କେତେଜଣଙ୍କ ଜୀବନ ଯାଇଛି ଓ କେତେ ସଂଖ୍ୟକ ଲୋକ ସୁସ୍ଥ ହୋଇଛନ୍ତି ।

– ପୂରା ବିଶ୍ୱରେ ବର୍ତମାନ ସୁଦ୍ଧା ୩୧ କୋଟି ୨ ଲକ୍ଷ ୭୩୯ ଲୋକ କରୋନା ସଂକ୍ରମିତ
– ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହୋଇ ସାରିଲେଣି ୨୬ କୋଟିରୁ ଅଧିକ
– ସାରାବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୫୫ ଲକ୍ଷ ୧୧ ହଜାର
– ବିଶ୍ୱରେ ସଂକ୍ରମଣ ସହ ସର୍ବାଧିକ କରୋନା ମୃତ୍ୟୁରେ ଆଗରେ ଆମେରିକା
– ଆମେରିକାରେ କରୋନାରେ ୮ଲକ୍ଷ ୬୧ ହଜାର ମୃତ୍ୟୁ ହୋଇଛି
– ୬ ଲକ୍ଷ ୨୦ ହଜାର କରୋନା ମୃତ୍ୟୁ ସହ ଦ୍ୱିତୀୟ ସ୍ଥାନରେ ବ୍ରିଟେନ
– ୪ ଲକ୍ଷ ୮୪ ହଜାର କରୋନା ମୃତ୍ୟୁ ସହ ତୃତୀୟ ସ୍ଥାନରେ ଅଛି ଭାରତ

ଆମେରିକାରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ବର୍ତମାନ ହସ୍ପିଟାଲରେ ଭର୍ତି ହେଉଛନ୍ତି । ଆମେରିକାରେ ଏବେ ଦୈନିକ ଲକ୍ଷେ ୩୨ ହଜାରରୁ ଅଧିକ ଆକ୍ରାନ୍ତ ହସ୍ପିଟାଲରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଗତବର୍ଷ ଦେଶରେ ଡେଲଟା ଆକ୍ରାନ୍ତ ଅଧିକ ଥିବା ବେଳେ ଲକ୍ଷେ ୩୨ ହଜାର ହସ୍ପିଟାଲରେ ଭର୍ତି ହୋଇଥିଲେ । ଏବେ କିନ୍ତୁ ତିନି ସପ୍ତାହ ହେବ ଡେଲଟା ତୁଳନାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଆମେରିକାରେ ବଢି ଚାଲିଛି । ଡିସେମ୍ବର ଯାଏ ଆମେରିକାରେ ହସ୍ପିଟାଲରେ ବେଡ୍ ସଂଖ୍ୟା ଏତେଟା ଭର୍ତି ହୋଇନଥିଲା । କିନ୍ତୁ ଏବେ ଜାନୁଆରୀରେ ହଠାତ୍ ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ତେଣୁ ଆମେରିକାର ଏପରି କରୋନା ସଂକ୍ରମଣ ବୃଦ୍ଧି ସ୍ଥିତି ଦେଶର ଚିକିତ୍ସା ବ୍ୟବସ୍ଥା ଉପରେ ବୋଝ ବଢାଇବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ହସ୍ପିଟାଲରେ ବଢୁଥିବାରୁ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଆମେରିକାରେ ଏବେ କରୋନାରେ ଦୈନିକ ପ୍ରାୟ ହଜାରେ ଉପରେ ଲୋକ କରୋନା ସଂକ୍ରମଣରେ ପ୍ରାଣ ହରାଉଛନ୍ତି ।

ଆମେରିକା, ବ୍ରିଟେନ ସହ ୟୁରୋପୀୟ ଦେଶ ଗୁଡିକରେ ସବୁଠୁ ଅଧିକ କରୋନା କହର ଦେଖିବାକୁ ମିଳିଛି । ଜର୍ମାନୀରେ ଗତ ୧୫ଦିନ ମଧ୍ୟରେ ୯୧ ପ୍ରତିଶତ ଓ ଇଟାଲୀରେ ୩୦୦ ପ୍ରତିଶତ କରୋନା ଏବଂ ଓମିକ୍ରନ ମାମଲା ସାମ୍ନାକୁ ଆସିଛି । ସଂକ୍ରମଣର ଏପରି ଶିଖର ମୁହାଁ ଅବସ୍ଥାରେ ୟୁରୋପ ସରକାର କରୋନା ଟିକା ଓ ବୁଷ୍ଟର ଡୋଜ ବାଧ୍ୟତାମୂଳକ କରିଛନ୍ତିି ।