ଦିଲ୍ଲୀରେ କରୋନା ବଢିବା ପରେ ଲାଗିଲା କଟକଣା: ପ୍ରାଇଭେଟ ଅଫିସରେ ପଡିଲା ତାଲା, କର୍ମଚାରୀ କରିବେ ୱାର୍କ ଫ୍ରମ ହୋମ

97

କନକ ବ୍ୟୁରୋ: ଦେଶରେ କରୋନା ଏବଂ ଓମିକ୍ରନ ସଂକ୍ରମଣ ଏବେ ଉପରମୁହାଁ । ଦିଲ୍ଲୀ ଓ ମହାରାଷ୍ଟ୍ର ପରି ରାଜ୍ୟ ସଂକ୍ରମଣରେ ଆଗରେ ଅଛନ୍ତି । ଏପରି ସମୟରେ ଦିଲ୍ଲୀ ସରକାର ସ୍ପଷ୍ଟ କରିଛନ୍ତି ଦିଲ୍ଲୀରେ କରୋନା ସଂକ୍ରମଣ ରୋକିବାକୁ ଲାଗୁ କରାଯିବନାହିଁ ଲକଡାଉନ । କିନ୍ତୁ କରୋନା ରୋକିବାକୁ ଆହୁରି କଠୋର ହୋଇଛି କଟକଣା ଗୁଡିକ । ଦେଶରେ ୫ ରାଜ୍ୟରେ ସଂକ୍ରମଣ ବେକାବୁ ଥିବା ବେଳେ , ଦିଲ୍ଲୀ ସରକାର ନୂଆ କଟକଣା ଲାଗୁ କରିଛନ୍ତି । ସଂକ୍ରମିତଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନେଇ ଯୋଗ କ୍ଲାସ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି କେଜ୍ରିୱାଲ ।

ଦିଲ୍ଲୀରେ କରୋନା ଏବଂ ଓମିକ୍ରନ ମାମଲା ଦ୍ରୁତ ସଂକ୍ରମଣ ମଧ୍ୟରେ କଟକଣାକୁ ଅଧିକ ଶକ୍ତ କରିଛନ୍ତି କେଜ୍ରିୱାଲ ସରକାର । ଦିଲ୍ଲୀରେ ଅଚାନକ କରୋନା ମାମଲା ବୃଦ୍ଧି ହେବା ପରେ ଲକଡାଉନ ପରି କଟକଣା ଲାଗୁ କରାଯାଇଛି । ଦିଲ୍ଲୀର ବିପର୍ଯ୍ୟୟ ପରିଚାଳନା ବିଭାଗ ଏହାକୁ ନେଇ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଦେଶରେ କରୋନା ମହାମାରୀ ସ୍ଥିତି ଦିନକୁ ଦିନ ସଂଗୀନ ହେଉଛି । ଦିଲ୍ଲୀ ସମେତ ୫ଟି ରାଜ୍ୟରେ ବେକାବୁ ହେଲାଣି । ଏପରି ଅବସ୍ଥାରେ ଦିଲ୍ଲୀ ସରକାର ମଙ୍ଗଳବାର ଠାରୁ କରୋନା ଉପରେ ରୋକ୍ ଲଗାଇବାକୁ ନୂଆ କଟକଣା ଲାଗୁ କରିଛନ୍ତି ।

ଦିଲ୍ଲୀରେ କଣ ଲାଗିଲା କଟକଣା..
– ଦିଲ୍ଲୀରେ ସମସ୍ତ ଘରୋଇ ଅଫିସ ବନ୍ଦ ରହିବ
– ୱାର୍କ ଫ୍ରମ ହୋମରେ କାମ କରିବେ ଘରୋଇ ଅଫିସ କର୍ମଚାରୀ
– କେବଳ ଅତ୍ୟାବଶ୍ୟକୀୟ ସେବା ସହିତ ଜଡିତ କାର୍ଯ୍ୟାଳୟ ଖୋଲିବାକୁ ଅନୁମତି

ପୂର୍ବରୁ ଦିଲ୍ଲୀରେ ୫୦ ପ୍ରତିଶତ କ୍ଷମତାରେ ଘରୋଇ କାର୍ଯ୍ୟାଳୟ ଖୋଲିବାକୁ ଅନୁମତି ଥିଲା । ୫୦ ପ୍ରତିଶତ କର୍ମଚାରୀ ୱାର୍କ ଫ୍ରମ୍ ହୋମ ଏବଂ ୫୦ ପ୍ରତିଶତ କର୍ମଚାରୀ ଅଫିସ ଆସି କାମ କରୁଥିଲେ ।

– ଦିଲ୍ଲୀରେ ସମସ୍ତ ରେଷ୍ଟୁରାଂଟ ଓ ବାର, ବନ୍ଦ ରହିବ
– କେବଳ ହୋମ୍ ଡେଲିଭରି ପାଇଁ ଖୋଲା ରହିବ ରେଷ୍ଟୁରାଂଟ
– ପୂର୍ବରୁ ୫୦% କ୍ଷମତାରେ ରେଷ୍ଟୁରାଂଟ ଖୋଲିବାକୁ ଅନୁମତି ଥିଲା
ଦିଲ୍ଲୀ ସରକାରଙ୍କ ଏପରି ହଠାତ୍ ନିଷ୍ପତି ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ରେଷ୍ଟୁରାଂଟ କର୍ମଚାରୀ ଓ ବ୍ୟବସାୟୀ ।

ଦିଲ୍ଲୀରେ କଣ ଖୋଲା?
ସୁପ୍ରିମକୋର୍ଟ, ହାଇକୋର୍ଟ, ଜିଲ୍ଲା ଅଦାଲତ ଜଜ୍, ଓକିଲ ଓ କର୍ମଚାରୀଙ୍କୁ କଟକଣାରୁ ଛାଡ ମିଳିଛି
କୌଣସି ମାମଲା ଶୁଣାଣି ସହିତ ସଂପର୍କିତ ବ୍ୟକ୍ତି ଘରୁ ପଦାକୁ ବାହାରି ପାରିବେ
ବୈଦେଶିକ ଦୂତାବାସ କର୍ମଚାରୀ ଆଇଡି କାର୍ଡ ଦେଖାଇ ଯାଆସ କରିପାରିବେ
ଚିକିତ୍ସା ବିଭାଗ ସଂପର୍କିତ ସମସ୍ତ ବ୍ୟକ୍ତି ଆବଶ୍ୟକ କାର୍ଡ ଦେଖାଇ ଗସ୍ତ କରିପାରିବେ
ବିମାନବନ୍ଦର, ରେଳ ଷ୍ଟେସନ, ବସ ଷ୍ଟାଣ୍ଡରୁ ଯାତ୍ରୀଙ୍କୁ ଯାତ୍ରା ଅନୁମତି
ପୁରା କ୍ଷମତାରେ ଚାଲିବ ବସ୍ ଏବଂ ମେଟ୍ରୋ
ବିବାହରେ ମାତ୍ର ୨୦ ଜଣ ଅତିଥୀଙ୍କୁ ଅନୁମତି

ଯେଉଁ କରୋନା ସଂକ୍ରମିତ ହୋମ ଆଇସୋଲେସନ ରହି ଚିକିତ୍ସିତ ହେଉଥିବେ ସେମାନଙ୍କ ପାଇଁ ଏହି ସ୍ୱତନ୍ତ୍ର ଯୋଗ ଶିକ୍ଷା ବ୍ୟବସ୍ଥା କରିଛନ୍ତି ଦିଲ୍ଲୀ ସରକାର ।

ଗତ ୨୪ ଘଂଟାରେ ଦିଲ୍ଲୀରେ ୨୨ ହଜାର ୭୫୧ ନୂଆ ପଜିଟିଭି ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ପଜିଟିଭିଟି ହାର ୨୫ ପ୍ରତିଶତରେ ପହଁଚି ଗଲାଣି । ଗତ ୧୦ ଦିନରେ ଦିଲ୍ଲୀରେ ୭୦ ଜଣଙ୍କ ଜୀବନ ନେଲାଣି କରୋନା । ପୂର୍ବରୁ ଗତ ୫ ମାସରେ ୫୪ ଜଣଙ୍କ ଜୀବନ ନେଇଥିଲା କରୋନା । ଏହି ମାସରେ ସଂକ୍ରମଣ ବେଗ ବେକାବୁ ହୋଇଛି । କରୋନା ମୁକାବିଲା ପାଇଁ ଦିଲ୍ଲୀ ସରକାର ରାଜଧାନୀରେ ୟୋଲୋ ଆର୍ଲଟ ଜାରି କରିଥିଲେ । ନାଇଟ କଫ୍ୟୁ ଓ ସପ୍ତାହନ୍ତ ଲକଡାଉନ ଲାଗୁ କରିଥିଲେ । କଟକଣା ସତ୍ୱେ ସଂକ୍ରମଣ କମ ହେଉନଥିବାରୁ ଗୋଟେ ପରେ ଗୋଟେ ନୂଆ କଟକଣା ଲାଗୁ କରିଛନ୍ତି ଦିଲ୍ଲୀ ସରକାର ।