ଖୋଲା ଆକାଶ ତଳେ ଜମୁଛି ବେପାର । ଜିପ୍ସମ୍ ପାଉଡର ବା ପ୍ଲାଷ୍ଟ ଅଫ୍ ପ୍ୟାରିସ ରୁ ମନୋଲଭା ମୂର୍ତ୍ତି ଓ ଘରକରଣ ସାମଗ୍ରୀ ଗଡୁଛନ୍ତି ଯାଯାବର ।

108

କନକ ବ୍ୟୁରୋ : ଖୋଲା ଆକାଶ ତଳେ ଜମୁଛି ବେପାର । ଜିପ୍ସମ୍ ପାଉଡର ବା ପ୍ଲାଷ୍ଟ ଅଫ୍ ପ୍ୟାରିସ ରୁ ମନୋଲଭା ମୂର୍ତ୍ତି ଓ ଘରକରଣ ସାମଗ୍ରୀ ଗଡୁଛନ୍ତି ଯାଯାବର । ମାସ ମାସ ଧରି ରାସ୍ତା କଡରେ ରହି ସୁନ୍ଦର ସୁନ୍ଦର ମୂର୍ତ୍ତି ଓ ଘରକରଣ ସାମଗ୍ରୀ ପଥୀକଙ୍କୁ ଆକୃଷ୍ଟ କରୁ ଥିବା ବେଳେ ଜିପ୍ସମ ମୂର୍ତ୍ତି ବିକି ବେଶ ଦୁଇ ପଇସା ରୋଜଗାର କରି ପାରୁଛନ୍ତି ସୁଦୂର ରାଜସ୍ଥାନରୁ ଆସି ମାଲକାନଗିରି ରେ ଡେରା ପକାଇ ଥିବା ଯାଯାବର ପରିବାର । ଆଉ କମ ଦର ରେ ବିରଳ କାରୁକାର୍ଯ୍ୟକୁ ପାଖରେ ପାଇ ବେଶ ଖୁସି ଗ୍ରାହକ ।

ରାସ୍ତାକଡରେ ମେଲିଛି ମୂର୍ତ୍ତି ପସରା । ଗଣେଶ, ସରସ୍ୱତୀ, ଶ୍ରୀକୃଷ୍ଣ, ବୁଦ୍ଧଙ୍କ ଛୋଟ ବଡ ମୂର୍ତ୍ତି ସାଙ୍ଗକୁ ସୁନ୍ଦର ଘର କରଣା ସାମଗ୍ରୀ, ସବୁ କିଛି ଉପଲବ୍ଧ, ମାଲାକନଗିରି ଜାତୀୟ ରାଜପଥ କଡରେ ପସରା ମେଲିଥିବା ଏହି ମୂର୍ତ୍ତି ବଜାରରେ । ଆଉ ଦର ମଧ୍ୟ ଆପଣଙ୍କ ପକେଟକୁ ସୁହାଇଲା ଭଳି । ୪୦–୫୦ ଟଙ୍କାରୁ ଆରମ୍ଭ କରି ୪୦୦ରୁ ୫୦୦ ଯାଏଁ । ସୁଲଭ ଦରରେ ମିଳୁଥିବା ମୂର୍ତ୍ତି କିଣବାକୁ ଗ୍ରାହକଙ୍କ ଭିଡ ଜମୁଛି । ମାଲକାନଗିରି ଜିଲ୍ଲାପାଙ୍କ କାର୍ଯ୍ୟାଳୟ ନିକଟରେ ୨ ମାସ ଧରି ଯାଯାବରଙ୍କ ଜିପ୍ସମ ମୂର୍ତ୍ତି ବଜାର ଲାଗିଛି । ଆଉ ରାଜପଥରେ ଯାତାୟାତ କରୁଥିବା ଯାତ୍ରୀଟିଏ ଥରେ ଅଟକି ମନପସନ୍ଦର ମୁର୍ତୀ ଟିଏ କିଣି ନେଉଛନ୍ତି ।

ଗ୍ରାହକଙ୍କୁ ମନପସନ୍ଦର ମୂର୍ତ୍ତିି ଯୋଗାଇ ଦେବାକୁ କାମରେ ଲାଗିଛନ୍ତି କାରିଗର ପରିବାର । ପିଲାଛୁଆ, ବାପା ମା, ପରିବାରର ସମସ୍ତେ ମୂର୍ତ୍ତି ତିଆରିରେ ବ୍ୟସ୍ତ । କିଏ କିଏ ହାତରେ ତୁଳି ଧରିଛି ତ ଆଉ କିଏ ହାତରେ ସ୍ପ୍ରେ ଗନ ଧରି ରଙ୍ଗ ଦିଆ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛି । କିଛି କାରିଗର ମୁର୍ତୀଗୁଡିକୁ ଶେଷ ସ୍ପର୍ଶ ଦେବାରେ ଲାଗି ପଡିଛନ୍ତି । ଏ ହେଉଛି ଯାଯାବର ମୂର୍ତ୍ତି କାରିଗରଙ୍କ ଜୀବନ ଚର୍ଚ୍ଚା । ପ୍ରତିଦିନ ସକାଳ ହେବା ମାତ୍ରେ ଜିପ୍ସମ୍ ବା ପ୍ଲାଷ୍ଟର ଅଫ ପ୍ୟାରିସ ପାଉଡର ଗୋଳି ମୂର୍ତ୍ତି କରିବାରେ ଲାଗି ପଡନ୍ତି ସମସ୍ତେ । ଆଉ ସେଗୁଡିକ ସେଇ ରାସ୍ତା କଡେ ବିକିବା ସହ ଟ୍ରଲି ଯୋଗେ ଗାଁ ଗାଁ ବୁଲି ବିକନ୍ତି, ଦିନକୁ ହଜାରେ ରୁ ଦେଢ ହଜାର ଟଙ୍କା ରୋଜଗାର କରନ୍ତି ପ୍ରତି ଯାଯାବର ପରିବାର ।

ବର୍ଷ ତମାମ ଭିନ୍ନ ଭିନ୍ନ ସ୍ଥାନରେ ଏମିତି ଅସ୍ଥାୟୀ ଶିବିର ଟିଏ କରି ପେଟ ପାଟଣା ପାଇଁ ସଂଘର୍ଷ କରନ୍ତି ସୁଦୂର ରାଜସ୍ଥାନର ପାଲି ଅଂଚଳରୁ ଆସିଥିବା ଏହି ଯାଯାବର କାରିଗରମାନେ । ଗୋଟିଏ ସ୍ଥାନରେ ୨ରୁ ୩ ମାସ ରହି କିଛି ବେପାର କରିବା ପରେ ପୁଣି ଅନ୍ୟ ସ୍ଥାନକୁ ଚାଲିଯାଇଥାନ୍ତି । ତେବେ ପୂର୍ବ ପୁରୁଷର ଏହି ବେଉସାକୁ ଆଦରି ଜୀବନ ଜିଉଁଥିବା କାରିଗରମାନେ ନାଁ ନିଜେ ପାଠ ପଢିଛନ୍ତି ନା ସେମାନଙ୍କ ପିଲାମାନଙ୍କୁ ପାଠ ପଢାଇ ପାରିୁଛନ୍ତି । ପେଟ ପୋଶିବା ଲାଗି ଅର୍ଥ ସିନା ଅଛି, କିନ୍ତୁ ଆଜି ବି ସେମାନଙ୍କ ପରିବାର ନୀରକ୍ଷର ବୋଲି କୁହନ୍ତି ଯାଯାବର ମହିଳା ରାଜଲ କୁମାରୀ ।