ମୋଦୀଙ୍କ ‘ମନ କି ବାତ୍’ ପରେ ପ୍ରତିକ୍ରିୟା ରଖିଲେ ରାକେଶ ଟିକାୟତ । କହିଲେ, ତ୍ରିରଙ୍ଗା ଅପମାନକାରୀଙ୍କୁ ଗିରଫ କର । ସାରା ଦେଶ ତ୍ରିରଙ୍ଗାକୁ ଭଲ ପାଏ

197

କନକ ବ୍ୟୁରୋ: ଜାନୁଆରୀ ୨୬ ତାରିଖ ତ୍ରିରଙ୍ଗା ପତାକା ଅପମାନକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ‘ମନ କି ବାତ’ରେ ଦୁଃଖ ପ୍ରକାଶ କରିବା ପରେ ଏହାକୁ ନେଇ ନିଜର ମତ ରଖିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ସେ କହିଛନ୍ତି ତ୍ରିରଙ୍ଗା କେବଳ ପ୍ରଧାନମନ୍ତ୍ରୀଙ୍କର ନୁହେଁ । ସାରା ଦେଶ ତ୍ରିରଙ୍ଗାକୁ ଭଲ ପାଏ । ଯେଉଁମାନେ ତ୍ରିରଙ୍ଗାକୁ ଅପମାନ କରିଛନ୍ତି ପୋଲିସ ସେମାନଙ୍କୁ ଧରୁ ।

ଏଥିସହ ଚାଷୀ ଓ କେନ୍ଦ୍ର ସରକାରଙ୍କ ଭିତରେ ବୈଠକ ବସିବାକୁ ନେଇ ମଧ୍ୟ ଟିକାୟତ ମତ ରଖିଛନ୍ତି । ବନ୍ଧୁକ ମୁନରେ କଦାପି କଥାବାର୍ତ୍ତା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ଚାଷୀ ସଙ୍ଗଠନ ଏହି ବିବାଦର ସମାଧାନ ଚାହୁଁଛି ହେଲେ ବନ୍ଧୁକ ମୁନରେ ଏହାର କଦାପି ସମାଧାନ ହୋଇପାରିବନି ବୋଲି ଟିକାୟତ କହିଛନ୍ତି ।

ରବିବାର ପ୍ରଧାନମନ୍ତ୍ରୀ ମୋଦି ‘ମନ କି ବାତ୍’ କାର୍ଯ୍ୟକ୍ରମ ଏହି କଥା ଉଠାଇଥିଲେ । ମୋଦି କହିଥିଲେ ଜାନୁଆରୀ ୨୬ ତାରିଖରେ ଲାଲକିଲ୍ଲାରେ ଯାହା ଘଟିଲା ତାକୁ ଦେଖି ସାରା ଦେଶ ଦୁଃଖପ୍ରକାଶ କରିଛି । ଚାଷୀମାନେ ଗତ ସାଧାରଣତନ୍ତ୍ର ଦିବସରେ ଲାଲକିଲ୍ଲା ଭିତରେ ପ୍ରବେଶ କରିବା ସହିତ ସେଠାରେ ନିଜର ଧର୍ମୀୟ ପତାକା ଉଡାଇଥିଲେ । କେବଳ ସେତିକି ନୁହେଁ କିଛି ସମୟ ଧରି ସେଠାରେ ହିଂସାକାଣ୍ଡ ମଧ୍ୟ ଚାଲିଥିଲା । ଚାଷୀମାନେ ବସ୍ ଓ ବିଭିନ୍ନ ସମ୍ପତ୍ତିକୁ ନଷ୍ଟ କରିଥିଲେ । ଯାହାକୁ ନେଇ ଆଜି ମତ ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦି ।