କଙ୍ଗାରୁ ଟିମରେ ଖେଳିବେ ଭାରତୀୟ ବଂଶୋଦ୍ଭବ ତନବୀର ସାଂଘା । ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ରେ କରିବେ ଡେବ୍ୟୁ । ଜାଣନ୍ତୁ ଭାରତର କେଉଁ ସହର ସହ ତନବୀରଙ୍କ ରହିଛି ଲିଙ୍କ ।

260

କନକ ବ୍ୟୁରୋ : କଙ୍ଗାରୁ ଟିମରେ ଖେଳିବେ ଭାରତୀୟ ବଂଶୋଦ୍ଭବ । ବିଶ୍ୱର ସବୁଠାରୁ ଶକ୍ତିଶାଳୀ କ୍ରିକେଟ ଟିମ କୁହାଯାଉଥିବା ଅଷ୍ଟ୍ରେଲିଆ ଦଳରେ ସାମିଲ ହୋଇଛନ୍ତି ତନବୀର ସାଂଘା । ବିଶ୍ୱର ଏହି ଶକ୍ତିଶାଳୀ କ୍ରିକେଟ ଟିମରେ ଏବେ ଖେଳିବ ଭାରତୀୟ ରକ୍ତ । ତନବୀରଙ୍କ ବୟସ ମାତ୍ର ୧୯ ବର୍ଷ । ଏତେ କମ ବର୍ଷରୁ ଏବେ ସେ ଅଷ୍ଟ୍ରେଲିଆ ଦଳର ସଦସ୍ୟ ହୋଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ତନବୀର ଡେବ୍ୟୁ କରିବେ । ଏହାସହ ଅଷ୍ଟ୍ରେଲିଆ ଦଳରେ ଏବେ କମାଲ କରିବେ ଏହି ଭାରତୀୟ ବଂଶୋଦ୍ଭବ ।

ଅଷ୍ଟ୍ରେଲିଆ ଟିମରେ ଚୟନ ହେବା ସହ ତନବୀର ଇତିହାସ ରଚିଛନ୍ତି । କାରଣ ଭାରତୀୟ ବଂଶୋଦ୍ଭବ ଭାବେ ତନବୀର ଦ୍ୱିତୀୟ ଖେଳାଳି ଯିଏକି ୱେଲୋ ଜର୍ସିରେ ନଜର ଆସିବେ । ତନବୀରଙ୍କ ପୂର୍ବରୁ ୨୦୧୫ରେ ଗୁରେନ୍ଦ୍ର ସଂଘୁ ଅଷ୍ଟ୍ରେଲିଆ ଟିମରେ ସ୍ଥାନ ପାଇଥିଲେ । ଗୁରେନ୍ଦ୍ର ସଂଘୁ ମେଲବର୍ଣ୍ଣରେ ଟିମ ଇଣ୍ଡିଆ ବିପକ୍ଷରେ ମ୍ୟାଚ ଖେଳିଥିଲେ । ତାଙ୍କର ବାପା-ମା ଉଭୟ ଭାରତରେ ଜନ୍ମ ହୋଇଥିଲେ ।

ତେବେ ଆସନ୍ତୁ ଜାଣିବା କ୍ରିକେଟର ତନବୀର ସାଂଘାଙ୍କ ଭାରତର କେଉଁ ସ୍ଥାନ ସହ ରହିଛି ଲିଙ୍କ । ତନବୀର ସାଂଘାଙ୍କ ଲିଙ୍କ ପଞ୍ଜାବର ଜଳନ୍ଧର ସହର ସହ ରହିଛି । ଜଳନ୍ଧର ସହରଠୁ ୨୦ କିଲୋମିଟର ଦୂରରେ ଥିବା ରହିମପୁର ଗାଁରେ ତନବୀରଙ୍କ ବାପା ଯୋଗା ସିଂ ଜନ୍ମ ହୋଇଥିଲେ । ୧୯୯୭ ମସିହାରେ ଯୋଗା ସିଡନୀ ଚାଲି ଆସିଥିଲେ । ପ୍ରଥମେ ସେ ଏକ ଫାର୍ମରେ କାମ କରିଥିଲେ । ପରେ କାର ଚଲାଇ ନିଜ ପରିବାର ଚଳାଇଥିଲେ । ତନବୀରଙ୍କ ମା ଉପନୀତ ଜଣେ ଆକାଉଣ୍ଟଣ୍ଟା ଭାବେ କାମ କରନ୍ତି ।

ଏନେଇ ସନବୀର ସାଂଘାଙ୍କ ବାପା କହିଛନ୍ତି, ତନବୀର ପିଲାବେଳୁ ଖେଳ ପ୍ରତି ଆକର୍ଷିତ ଥିଲା । ସେ ଭଲିବଲ ରଗବି ଓ କବାଡି ଖେଳିକି ବଡ ହୋଇଛି । ୧୦ ବର୍ଷ ବୟସରେ କ୍ରିକେଟ ପ୍ରତି ତାର ଇଚ୍ଛା ଯୋଗୁଁ ତାକୁ କ୍ରିକେଟ କ୍ଲବରେ ଭର୍ତ୍ତି କରିଥିଲୁ ।
ତନବୀର ସାଂଘା ବିଗବାସ ଲିଗରେ ସିଡନୀ ଥଣ୍ଡର ପକ୍ଷରୁ ଖେଳୁଛନ୍ତି । ଏହି ଯୁବ ଖେଳାଳି ନିଜ ବୋଲିଂରେ ସମସ୍ତଙ୍କୁ ଆକର୍ଷିତ କରିଥିଲେ । ଏହି ଲିଗରେ ତନବୀର ୧୪ଟି ମ୍ୟାଚ ଖେଳି ୨୧ଟି ୱିକେଟ ନେଇଛନ୍ତି । ଏହାସହ ତନବୀର ୧୯ ବର୍ଷରୁ କମ ଅଷ୍ଟ୍ରେଲିଆ ଦଳରେ ମଧ୍ୟ ଖେଳି ସାରିଛନ୍ତି ।