ହିଂସାକାଣ୍ଡକୁ ନେଇ ତେଜିଲା ରାଜନୀତି। ସୋସିଆଲ ମିଡ଼ିଆରେ ନେତାଙ୍କ କଥା କଟାକଟି ।

145

କନକ ବ୍ୟୁରୋ: ରାଜ୍ୟର ଆଇନଶୃଙ୍ଖଳାକୁ ନେଇ ରାଜରାସ୍ତାରୁ ଆରମ୍ଭ ହୋଇଥିବା ରାଜନୀତି, ବିଧାନସଭା ଦେଇ ସୋସିଆଲ ମିଡ଼ିଆରେ ପହଞ୍ଚିଛି । ସୋସିଆଲ ମିଡ଼ିଆରେ ମୁହାଁମୁହିଁ ହେଉଛନ୍ତି ବିଜେପି ଓ ବିଜେଡି ନେତା । ବିଜେପି ଯୁବ ମୋର୍ଚ୍ଚାର ପ୍ରତିବାଦ ବେଳେ ଘଟିଥିବା ହିଂସାକାଣ୍ଡ ନେଇ ବିଜେଡି ନେତା, ଟୁଇଟ୍ କରୁଥିବା ବେଳେ ଏହାକୁ ସିଧାସଳଖ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଟ୍ୟାଗ୍ କରୁଛନ୍ତି । ସମାନ ଢ଼ଙ୍ଗରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ଅଭିଯୋଗ ଆଣି ବିଜେପି ନେତା ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ସହ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୟାଗ୍ କରୁଛନ୍ତି ।

ବିଜେଡି ସାଂସଦ, ସସ୍ମିତ ପାତ୍ର ଜେପି ନଡ୍ଡାକୁ ଟ୍ୟାଗ୍ କରିବା ସହ ଲେଖିଛନ୍ତି- ଯୁବ ବିଜେପି ମୋର୍ଚ୍ଚାର କର୍ମୀମାନେ କିଭଳି ପୁଲିସ କର୍ମଚାରୀଙ୍କୁ ମାଡ଼ ମାରୁଛନ୍ତି ଏହି ଭିଡିଓଟିକୁ ଦୟାକରି ଦେଖନ୍ତୁ । ଏଥିରେ ୨୧ ଜଣ ପୁଲିସ ଅଧିକାରୀ ଆହତ ହୋଇଛନ୍ତି, ୫ଟି ଗାଡ଼ି ଭାଙ୍ଗି ଦିଆଯାଇଛି ଏବଂ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏପଟେ ବିଜେପି ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚାର ସଭାପତି ତେଜସ୍ୱୀ ସୂର୍ଯ୍ୟା ଟୁଇଟ କରି ଲେଖିଛନ୍ତି- ଓଡ଼ିଶା ପୁଲିସ, ସୁରକ୍ଷା ଦେବା ପରିବର୍ତ୍ତେ କାର୍ଯ୍ୟକର୍ତ୍ତାଙ୍କ ଉପରେ ଲାଠିଚାର୍ଜ କରୁଛି । ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଲେଖିଛନ୍ତି- ଓଡ଼ିଶା ପୁଲିସ ପ୍ରଶାସନ ଶାସକ ଦଳର ହିତରେ କାମ କରିବା ପାଇଁ ନୁହେଁ, ବରଂ ସାଢ଼େ ୪ କୋଟି ଓଡ଼ିଆଙ୍କ ସୁରକ୍ଷାରେ ନିୟୋଜିତ ଅଛନ୍ତି । କିଛି ପୁଲିସ ଅଧିକାରୀ ଯେଉଁ ଭାବେ ଏକପାଖିଆ ନିଷ୍ପତି ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ଏହା ଗଣତନ୍ତ୍ର ପାଇଁ ଶୋଭନୀୟ ନୁହେଁ । ଏପଟେ ଧର୍ମେନ୍ଦ୍ରଙ୍କୁ ଟ୍ୟାଗ୍ କରି ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାଶ, ଲେଖିଛନ୍ତି- ଭାଇ ମୁଁ ଆପଣଙ୍କ ସାଙ୍ଗରେ ସମ୍ପୂର୍ଣ୍ଣ ଏକମତ । ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି, ହେଲେ ଆତଙ୍କରାଜ ଓ ହିଂସାକାଣ୍ଡ ସୃଷ୍ଟି କରି ସୁରକ୍ଷାକର୍ମୀଙ୍କୁ ଲହୁଲୁହାଣ କରିବାର ଅଧିକାର ନାହିଁ । ଦୟାକରି ଏହି ଭିଡିଓ ଦେଖନ୍ତୁ । ମୋର ଦୃଢ଼ ବିଶ୍ୱାସ, ଆପଣ ନିଜ ମତ ବଦଳାଇବେ ।

ରାଜନୀତିର ଏହି ବୟାନବାଜି ଭିତରେ ବ୍ୟକ୍ତିଗସ୍ତରରେ ମଧ୍ୟ ଟୁଇଟ୍ ୱାର ଜାରି ରହିଛି । ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରଣବ ପ୍ରକାଶ ଦାସଙ୍କ ଟ୍ୟାଗ୍ କରି ଲେଖିଛନ୍ତି- ବାବୁ, ଆପଣ ଓ ମୁଁ ଭଲ ଭାବେ ଜାଣିଛନ୍ତି, ଘଟଣାଟି କ’ଣ ଘଟିଥିଲା । ସତ ଜାଣି ମଧ୍ୟ ସତ ମାନିବା ପାଇଁ ଆପଣ ପ୍ରସ୍ତୁତ ନାହାଁନ୍ତି । କିଛି ପୁଲିସ କର୍ମୀ ଯେଭଳି ଉଚ୍ଚାରଣ ଓ ଆଚରଣ ପ୍ରଦର୍ଶନ କରିଛନ୍ତି, ତାହା ସାଢ଼େ ୪ କୋଟି ଓଡ଼ିଆଙ୍କୁ କଷ୍ଟ ଦେଇଛି । ଭିଡିଓଟି ଦେଖି ଆତ୍ମସମୀକ୍ଷା କରନ୍ତୁ । ଧର୍ମେନ୍ଦ୍ର ପ୍ରଧାନଙ୍କ ଟୁଇଟର ଜବାବରେ ପ୍ରଣବ ଟୁଇଟ କରିବା ପରେ ଏଭଳି ଲେଖିଛନ୍ତି ଲଳିତେନ୍ଦୁ ମହାପାତ୍ର ।