ଉତ୍କଳ ବିଶ୍ୱବିଦ୍ୟାଳୟ : ବନ୍ଦ ହେଲା ୮ ସେଲ୍ଫ ଫାଇନାନ୍ସିଂ କୋର୍ସ; ସିଟ୍ ପୂରଣ ହେଉନଥିବାରୁ ପାଠ୍ୟକ୍ରମ ବନ୍ଦ କରିବାକୁ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି

467

କନକ ବ୍ୟୁରୋ : ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାରରେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଉପରେ ଲାଗିଲା କଟକଣା । ବାଣୀବିହାରରେ ୮ ଟି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ଯେଉଁଥିରେ ପିଜି, ୟୁଜି ଓ ସାର୍ଟିଫିକେଟ୍ କୋର୍ସ ରହିଛି । ଏଥିସହ କିଛି ସେଲ୍ଫ ଫାଇନାନ୍ସିଂ କୋର୍ସରେ ସିଟ୍ ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମଧ୍ୟ ଅନୁରୁପ ଭାବେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ମୋଟ ୨୦ ପ୍ରତିଶତ ସିଟ୍ ହ୍ରାସ କରିବାକୁ ରୁପରେଖ ପ୍ରସ୍ତୁତ କରାଯାଇଛି ।

ବାଣୀବିହାରରେ ମୁଖ୍ୟ କ୍ୟାମ୍ପସ ସମେତ ଚଣ୍ଡିଖୋଲ ରୁରାଲ କ୍ୟାମ୍ପସରେ ଥିବା ସେଲ୍ଫ ଫାଇନାନ୍ସିଂ କୋର୍ସରେ ସିଟ୍ ସଂଖ୍ୟା କମିଛି । ୨୦୨୧-୨୨ ସେଲ୍ଫ ଫାଇନାନ୍ସିଂ କୋସରେ ଯେତିକି ସିଟ୍ ଥିଲା ୨୦୨୨-୨୩ରେ ୫୦ ପ୍ରତିଶତ ହ୍ରାସ କରାଯାଇଛି । ଗତବର୍ଷ ସେଲ୍ଫ ଫାଇନାନ୍ସିଂ କୋର୍ସରେ ୯୫୦ ସିଟ୍ ଥିବା ବେଳେ ଏବର୍ଷ ତାହା ୫୦୦କୁ ଖସି ଆସିଛି । ଯେଉଁ ସେଲ୍ଫ ଫାଇନାନ୍ସିଂ କୋର୍ସରେ ଭିତ୍ତିଭୂମି ଠିକ୍ ଅଛି ଏବଂ ସିଟ୍ ପୂରଣ ହେଉଛି ସେହି କୋର୍ସ ଚଳାଇବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।

ଉତ୍କଳ ବିଶ୍ବବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ ସମେତ ଚଣ୍ଡିଖୋଲସ୍ଥିତ ରୁରାଲ କ୍ୟାମ୍ପସରେ ଥିବା ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ବନ୍ଦ ହେବ । ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଯୋଗ, ବିଏସ୍‌ସି ନର୍ସିଂ, ରୁରାଲ ଡେଭଲ୍‌ପମେଣ୍ଟ, ମାଷ୍ଟର ଇନ୍‌ ସୋସିଆଲ୍‌ ସାଇନ୍ସ, ଜିଓ ଇନ୍‌ଫରମେଟିଭ୍‌, ଏମ୍‌ଟେକ୍‌ କମ୍ପ୍ୟୁଟର ସାଇନ୍ସ, ରିମୋଟ ସେନ୍ସିଂ ପାଠ୍ୟକ୍ରମ ସହ ସଂସ୍କୃତ ସାର୍ଟିଫିକେଟ୍‌ ପାଠ୍ୟକ୍ରମକୁ ବନ୍ଦ କରାଯିବ। ୨୦୨୧-୨୨ ଶିକ୍ଷାବର୍ଷରେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ଯେତିକି ସିଟ୍‌ରେ ନାମଲେଖା ହୋଇଥିଲା ୨୦୨୨-୨୩ରେ ତାହାକୁ ୫୦% ହ୍ରାସ କରାଯାଇଛି ।

ଗତବର୍ଷ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ୯୫୦ ସିଟ୍‌ ଥିବାବେଳେ ଏବର୍ଷ ତାହାକୁ ୫୦୦କୁ କମାଯାଇଛି। ଯେଉଁ କିଛି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ସିଟ୍‌ ପୂରଣ ହେଉଛି ଏବଂ ଭଲ ଭିତ୍ତିଭୂମି ରହିଛି ତାହାକୁ ଚଳାଇବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ତିନି ଦିନ ହେଲା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ସମେତ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ବିଭାଗ ବୁଲି ଭିତ୍ତିଭୂମି ଯାଞ୍ଚ କରିବା ସହ ପଦକ୍ଷେପ ନେଇଛନ୍ତି ।

ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ସିଟ୍‌ ଖାଲିପଡ଼ୁଥିବା କିଛି ବିଭାଗକୁ ୨୦୨୨-୨୩ ଶିକ୍ଷାବର୍ଷରେ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସ୍ଥିର କରିଛନ୍ତି। ଯେଉଁ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଜାରି ରହିବ ତାହାର ସିଟ୍‌ ସଂଖ୍ୟା ସୀମିତ ରଖାଯିବ। ବିଶ୍ବବିଦ୍ୟାଳୟର ମୋଟ ସିଟ୍‌ ମଧ୍ୟରୁ ୨୦% ସିଟ୍‌ ସେଲ୍ଫ ଫାଇନାନ୍ସିଂ ମୋଡ୍‌ରେ ନାମଲେଖା ହେବାକୁ ଥିବାରୁ ସିଟ୍‌ ସଂଖ୍ୟା କମାଇ ଦିଆଯାଇଛି । ଏମ୍‌ଏସ୍‌ସିବି ବିଶ୍ବବିଦ୍ୟାଳୟରେ ଏବର୍ଷ ସିଟ୍‌ କମାଇବେ ନାହିଁ ।

କାରଣ ଏଠାରେ ବହୁ ବିଭାଗ ସେଲ୍ଫ ଫାଇନାନ୍ସିଂ ମୋଡ୍‌ରେ ଚାଲୁଥିବାରୁ ସଙ୍ଗେ ସାଙ୍ଗେ ହ୍ରାସ କରିବା ଦ୍ବାରା କ୍ୟାମ୍ପସରେ ପାଠପଢ଼ା ପ୍ରଭାବିତ ହେବ । ପ୍ରତିବର୍ଷ କିଛି ସେଲ୍ଫ ଫାଇନାନ୍ସିଂ ବିଭାଗକୁ ରେଗୁଲାର ହେଉଛି । ଆଗକୁ ନାକ୍‌ ଟିମ୍‌ ମଧ୍ୟ ଏଠାକୁ ଆସିବାକୁ ସ୍ଥିର ହୋଇଛି । ତେଣୁ ସିଟ୍‌ ସଂଖ୍ୟା ହ୍ରାସ କିମ୍ବା ପାଠ୍ୟକ୍ରମ ବନ୍ଦ ହେବା ଦ୍ବାରା ବିଶ୍ବବିଦ୍ୟାଳୟ ଉପରେ ବଡ଼ ପ୍ରଭାବ ପଡ଼ିବ ଏବଂ ନାକ୍‌ ଗ୍ରେଡ୍‌ ହ୍ରାସ ପାଇବାର ଆଶଙ୍କା ରହିଛି । ତେଣୁ ଅଙ୍କୁଶ ଲଗାଇବା ଲାଗି ଆଉ ଗୋଟିଏ ବର୍ଷ ସମୟ ଦେବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କିଛି ଦିନ ତଳେ ରାଜଭବନକୁ ପତ୍ର ଲେଖି ଅନୁରୋଧ କରିଛନ୍ତି ।