‘୫-ଜି’ ନେଟୱର୍କରେ କଥା ହେଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ : କହିଲେ, ସଂପୂର୍ଣ୍ଣ ଦେଶୀ ଜ୍ଞାନ କୌଶଳରେ ମିଳିଛି ସଫଳତା

90

କନକ ବ୍ୟୁରୋ : ପ୍ରଯୁକ୍ତି କ୍ଷେତ୍ରରେ ଆଉ ଏକ ପାଦ ଆଗେଇଲା ଭାରତ । ଦେଶରେ ୫-ଜି’ର ହେଲା ସଫଳ ପରୀକ୍ଷା । କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଆଇଆଇଟି ମାଡ୍ରାସରେ ଏହି ପରୀକ୍ଷା କରାଯାଇଛି । ସମ୍ପୂର୍ଣ୍ଣ ଦେଶୀ କୌଶଳ ଓ ପ୍ରଯୁକ୍ତିରେ ଏହାର ଡିଜାଇନ କରାଯାଇଛି । ନିଜେ କେନ୍ଦ୍ରମନ୍ତ୍ରୀ ସୋସିଆଲ ମିଡିଆ ଜରିଆରେ ଏହାର ସୂଚନା ଦେଇଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ୫-ଜି ସେବା ଉପଲବ୍ଧ ହେବାର ସମ୍ଭାବନା ରହିଛି ।

ଏହା ଲାଗୁ ହେବା ପରେ ଅନଲାଇନ୍ ସେବା ଆହୁରି ତ୍ୱରାନ୍ୱିତ ହେବ । ଭିଡିଓ ଡାଉନଲୋଡ ଖୁବ ଶୀଘ୍ର ହୋଇପାରିବ । କୃଷି କ୍ଷେତ୍ରରେ ମଧ୍ୟ ଏହାର ଉପଯୋଗ ହୋଇପାରିବ । ଜଳସେଚନ ନିୟନ୍ତ୍ରଣ ଓ ଶକ୍ତି ପରିଚାଳନାରେ ମଧ୍ୟ ଏହା କାମରେ ଆସିବ । ଚିକିତ୍ସା କ୍ଷେତ୍ରରେ ମଧ୍ୟ ଫାଇଭ୍-ଜିକୁ ବ୍ୟବହାର କରାଯାଇ ପାରିବ । ଘରୋଇ ଟେଲିକମ୍ କମ୍ପାନୀମାନେ ମଧ୍ୟ ୫-ଜି ନେଇ ପରୀକ୍ଷଣ କରୁଛନ୍ତି ।

ଜିଓ ଓ ଏୟାରଟେଲ ଏନେଇ କାମ ଆଗକୁ ବଢ଼ାଉଛନ୍ତି । ବିଶ୍ୱର ଅନେକ ନାମୀଦାମୀ କମ୍ପାନୀ ମଧ୍ୟ ଫାଇଭ୍-ଜିର ପରୀକ୍ଷା କରୁଛନ୍ତି । ସାମସଙ୍ଗ, ନାକିଆ, ଇନଟେଲ, ହ୍ୱେଏଇ, ଏରିକସନ ପରି କମ୍ପାନୀ ଏକ୍ଷେତ୍ରରେ ଅଗ୍ରଗତି ମଧ୍ୟ କରିଛନ୍ତି । ଚୀନ୍, ଆମେରିକା, ଦକ୍ଷିଣ କୋରିଆ ପରି ରାଷ୍ଟ୍ର ଏବେ ଏହି ପ୍ରଯୁକ୍ତିରେ ଭାରତ ଠାରୁ ଆଗରେ ଅଛନ୍ତି ।