ଅନ୍ଧାର ଭିତରକୁ ଚାଲିଗଲା ୟୁକ୍ରେନ ଫେରନ୍ତା ମେଡିକାଲ୍ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । କେନ୍ଦ୍ର କହିଲା ଭାରତରେ ପଢ଼ାଇବା ସମ୍ଭବ ନୁହେଁ, ବିଗିଡ଼ିଯିବ ଶିକ୍ଷାସ୍ତର ।

445

କନକ ବ୍ୟୁରୋ: ୟୁକ୍ରେନରୁ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସମସ୍ୟା ବଢ଼ିଛି । ସେମାନଙ୍କୁ ଭାରତରେ ପଢ଼ିବାକୁ ମିଳିବନି ସୁଯୋଗ । ଏକଥା କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର କହିଛନ୍ତି, ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଙ୍କୁ ଭାରତୀୟ ଶିକ୍ଷାନୁଷ୍ଠାନରେ ନାମଲେଖା ନେଇ ଜାତୀୟ ମେଡିକାଲ କମିସନରେ ସେଭଳି କୌଣସି ବ୍ୟବସ୍ଥା ନାହିଁ ।

  • ବଢ଼ିଲା ୟୁକ୍ରେନ୍ ଫେରନ୍ତା ମେଡିକାଲ ଛାତ୍ରଙ୍କ ସମସ୍ୟା
  • ଭାରତରେ ପଢ଼ିବା ପାଇଁ ମିଳିବନି ସୁଯୋଗ
  • ସ୍ପଷ୍ଟ କଲେ କେନ୍ଦ୍ର ସରକାର

ୟୁକ୍ରେନରୁ ଭାରତକୁ ଫେରିବା ସମୟରେ ୟୁକ୍ରେନ୍ ଫେରନ୍ତା ମେଡିକାଲ ଛାତ୍ରଙ୍କୁ ସ୍ୱାଗତ କରିଥିଲେ ମନ୍ତ୍ରୀ ସ୍ମୃତି ଇରାନୀ । କେବଳ ଏତିକି ନୁହଁ ପ୍ରଧାନମନ୍ତ୍ରୀ ବି ଏହି ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ । ଆଗାମୀ ଦିନରେ ଭାରତର ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ କରାଯିବ ବୋଲି କହିଥିଲେ ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଠାରୁ ଏପରି କଥା ଶୁଣି ଭବିଷ୍ୟତ ନେଇ ଆଶ୍ୱସ୍ତ ହୋଇଥିଲେ ୟୁକ୍ରେନ୍ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ । କିନ୍ତୁ ୭ ମାସ ଭିତରେ ସବୁକିଛି ବଦଳିଯାଇଛି । ଅବଶିଷ୍ଟ ପାଠପଢା ଭାରତର ମେଡିକାଲ କଲେଜରେ ପଢିବା ପାଇଁ ଛାତ୍ରଛାତ୍ରୀ ଗୁହାରି କରୁଥିବାବେଳେ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି କେନ୍ଦ୍ର ସରକାର । ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର ।

ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ଯେ ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଙ୍କୁ ଭାରତୀୟ ଶିକ୍ଷାନୁଷ୍ଠାନରେ ନାମଲେଖା ନେଇ ଜାତୀୟ ମେଡିକାଲ କମିସନରେ ସେଭଳି କୌଣସି ବ୍ୟବସ୍ଥା ନାହିଁ । ଯଦି ସେମାନଙ୍କୁ ନାମଲେଖା ପାଇଁ ଅନୁମତି ମିଳିବ, ତାହେଲେ ଭାରତୀୟ ଶିକ୍ଷା ସ୍ତର ବିଗିଡ଼ିଯିବ । କେନ୍ଦ୍ର ସରକାରଙ୍କ ଏବଳି ନିଷ୍ପତି ଜାଣିବା ପରେ ଚିନ୍ତାରେ ପଡିଯାଇଛନ୍ତି ଛାତ୍ରଛାତ୍ରୀ ।

କେନ୍ଦ୍ର ସରକାରଙ୍କ ସତ୍ୟପାଠ ପରେ ଏକ ୱେବ ପୋର୍ଟାଲ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । ବିଦେଶରେ କେଉଁ କେଉଁ ବିଶ୍ୱବିଦ୍ୟାଳୟରେ ସେମାନେ ପଢିପାରିବେ, ୱେବପୋର୍ଟାଲରେ ତାର ତାଲିକା ଦିଆଯାଉ । ଫି’ ବାବଦରେ ତଥ୍ୟ ଦିଆଯାଉ । ଯଦି ବିଦେଶର ବିଶ୍ୱବିଦ୍ୟାଳୟରେ ପାଠ ପଢିବା ସମ୍ଭବ, ତେବେ ଭାରତର ବିଶ୍ୱବିଦ୍ୟାଳୟରେ କାହିଁକି ଏମାନେ ପାଠ ପଢ଼ିପାରିବେ ନାହିଁ ବୋଲି ପିଟିସନରଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ । ସୁପ୍ରିମକୋର୍ଟ କହିଛନ୍ତି, କୌଣସି ବିଶ୍ୱବିଦ୍ୟାଳୟକୁ ଏପରି ନିର୍ଦ୍ଦେଶ ଦେବାର ଅଧିକାର ନାହିଁ ।

ଯେଉଁମାନେ ନିଟର ମେରିଟ ଲିଷ୍ଟରେ ସ୍ଥାନ ପାଇନାହାନ୍ତି, ସେମାନଙ୍କୁ ଯଦି ଦେଶର ପ୍ରମୁଖ ମେଡିକାଲ କଲେଜରେ ସ୍ଥାନ ମିଳେ, ତା ହେଲେ ସ୍ଥିତି ଖରାପ ହୋଇପାରେ ବୋଲି କେନ୍ଦ୍ର ସରକାର କହିଛନ୍ତି । ୟୁକ୍ରେନରୁ ଫେରିଥିବା ୨୦ ହଜାରରୁ ଅଧିକ ମେଡିକାଲ୍ ଛାତ୍ରଛାତ୍ରୀ ଯୁଦ୍ଧ ପରେ ଭାରତ ଫେରି ଆସିଥିଲେ । ଏହି ଭିତରେ କିଛି ଛାତ୍ରଛାତ୍ରୀ ୟୁକ୍ରେନର ବିଶ୍ୱବିଦ୍ୟାଳୟରୁ ଟ୍ରାନ୍ସଫର ନେଇ ରୁଷିଆରେ ନା ଲେଖାଇସାରିଛନ୍ତି ଆଉ କିଛି ଅପେକ୍ଷା କରିଛନ୍ତି ହୁଏତ କେନ୍ଦ୍ର ସରକାର କିଛି ନିଷ୍ପତି ନେଇପାରନ୍ତି । କିନ୍ତୁ କେନ୍ଦ୍ରର ନାସ୍ତିବାଣୀ ଶୁଣିବା ପରେ ସେମାନଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି ।