ଦ୍ୱିତୀୟ ପର୍ଯ୍ୟାୟ ଭୋଟିଙ୍ଗରେ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା । ରାହୁଲ ଗାନ୍ଧୀ , ହେମାମାଳିନୀ ଓ ଅରୁଣ ଗୋଭିଲଙ୍କ ପାଇଁ ପଡିବ ଭୋଟ୍ ।

ଇଭିଏମରେ ସିଲ୍ ହେବ କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ୟ

94

କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ କିଛି ହେଭିୱେଟ୍ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ବିଶେଷକରି ସମସ୍ତଙ୍କ ନଜର ରହିବ ବିରୋଧୀ ଇଣ୍ଡିଆ ମେଣ୍ଟର ପ୍ରମୁଖ ଚେହେରା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ । ଦ୍ୱିତୀୟ ଥର ପାଇଁ କେରଳର ୱାୟନାଡରୁ ପ୍ରାର୍ଥୀ ହୋଇଛନ୍ତି ରାହୁଲ । ଏହି ଆସନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ । ବିଜେପି କେ. ସୁରେନ୍ଦ୍ରନଙ୍କୁ ପ୍ରାର୍ଥୀ କରିଛି । ବଡ଼ କଥା ହେଉଛି, ରାହୁଲ ଗାନ୍ଧୀ ହେଉଛନ୍ତି କଂଗ୍ରେସର ସବୁଠାରୁ ବଡ଼ ଚେହେରା । ଗତ ଦୁଇ ବର୍ଷ ଭିତରେ ଭାରତ ଯୋଡ଼ ଯାତ୍ରା ଏବଂ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରି କଂଗ୍ରେସକୁ ସଙ୍ଗଠିତ କରିବାକୁ ପ୍ରୟାସ କରିଛନ୍ତି ରାହୁଲ । ତେଣୁ ରାହୁଲଙ୍କ ଫଳାଫଳ ଅନେକାଂଶରେ କଂଗ୍ରେସ ଉପରେ ପ୍ରଭାବ ପକାଇବ ବୋଲି ରାଜନୈତିକ ବିଶେଷଜ୍ଞ କହିଛନ୍ତି ।

ରାହୁଲଙ୍କ ବ୍ୟତୀତ କେରଳ ଥିରୁଅନନ୍ତପୁରମରୁ ଶଶି ଥରୁର ଏବଂ ଅଭିନେତାରୁ ରାଜନେତା ପାଲଟିଥିବା ଉତ୍ତରପ୍ରଦେଶ ମିରଟରୁ ଅରୁଣ ଗୋଭିଲ, ମଥୁରାରୁ ହେମା ମାଳିନୀ, ରାଜସ୍ଥାନ କୋଟାରୁ ଓମ୍ ବିର୍ଲା ଏବଂ ଯୋଧପୁରରୁ ଗଜେନ୍ଦ୍ର ସିଂହ ଶେଖାୱତ ପ୍ରମୁଖଙ୍କ ଭାଗ୍ୟ ପରୀକ୍ଷା ହେବ ।