ମୋଦୀ ଓ ରାହୁଲଙ୍କ ପାଇଁ ନୋଟିସ । ନିର୍ବାଚନ ଆଚରଣ ବିଧି ଉଲଂଘନ ନେଇ ବିଜେପି ଓ କଂଗ୍ରେସକୁ ନୋଟିସ୍ ପଠାଇଲେ ନିର୍ବାଚନ ଆୟୋଗ

100

କନକ ବ୍ୟୁରୋ : ନିର୍ବାଚନୀ ରୁତୁରେ ରାଜନୈତିକ ମାହୋଲ ସରଗରମ ହୋଇପଡ଼ିଛି । ଏ ଭିତରେ ନିର୍ବାଚନୀ ଆଚରଣ ବିଧି ଉଲଂଘନ ଅଭିଯୋଗ ମଧ୍ୟ ଆସୁଛି । ଏବେ ପ୍ରଧାନମନ୍ତ୍ରୀ ମୋଦୀ ଓ କଂଗ୍ରେସର ସବୁଠୁ ବଡ଼ ଚେହେରା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏପରି ଅଭିଯୋଗ ଆସିଛି । ଏହା ନିର୍ବାଚନ ଆୟୋଗଙ୍କ ଦୃଷ୍ଟିକୁ ଆସିଛି । ଏନେଇ ନିର୍ବାଚନ ଆୟୋଗ ପଦକ୍ଷେପ ନେଇଛନ୍ତି । ଉଭୟ ବିଜେପି ଓ କଂଗ୍ରେସ ଠାରୁ ଜବାବ ମାଗିଛନ୍ତି ଇସି । ଏପ୍ରିଲ ୨୯ ଦିନ ୧୧ ସୁଦ୍ଧା ଏହି ଜବାବ ରଖିବାକୁ ପଡ଼ିବ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଇସିଙ୍କ ପକ୍ଷରୁ ନୋଟିସ୍ ପଠାଯାଇଛି ।

ନିର୍ବାଚନ ଆୟୋଗଙ୍କ କହିଛନ୍ତି ଯେ, “ଦଳୀୟ ପ୍ରଚାରକ, ବିଶେଷକରି ଷ୍ଟାର ପ୍ରଚାରକଙ୍କ ବ୍ୟବହାର ନେଇ ସମ୍ପୃକ୍ତ ଦଳଙ୍କୁ ଦାୟିତ୍ୱ ନେବାକୁ ହେବ । ନିର୍ବାଚନୀ ପ୍ରଚାର ବେଳେ ଭାଷଣ ଗୁରୁତ୍ୱ ରଖେ   । ବଡ଼ ବଡ଼ ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କ ଭାଷଣର ଢେର ପ୍ରଭାବ ଓ ଗୁରୁତ୍ୱ ରଖିଥାଏ’ । ଉଭୟ ବିଜେପି ଓ କଂଗ୍ରେସ ପରସ୍ପର ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ପଦକ୍ଷେପ ନେଇଛନ୍ତି ନିର୍ବାଚନ ଆୟୋଗ ।

ତେବେ ମୋଦୀ ଓ ରାହୁଲଙ୍କ ଯେଉଁ ଭାଷଣ ପାଇଁ ନିର୍ବାଚନ କମିଶନ ବଜେପି ଓ କଂଗ୍ରେସକୁ ଉତର ରଖିବାକୁ କହିଛନ୍ତି, ସେହି ଭାଷଣରେ କ’ଣ ଥିଲା? କାହିଁକି ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି   । ରାଜସ୍ଥାନରେ ମୋଦୀ ଭାଷଣ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଏକ ଭାଷଣ ଆଧାରରେ କଂଗ୍ରେସକୁ ଟାର୍ଗେଟ କରିଥିଲେ । ମୋଦୀ କହିଥିଲେ ଯଦି କଂଗ୍ରେସ କ୍ଷମତାକୁ ଆସେ ତାହେଲେ ଦେଶର ସମ୍ପତି ଅନୁପ୍ରବେଶକାରୀ ଓ ଆଉ ଯେଉଁମାନଙ୍କ ଅଧିକ ପିଲା ଅଛନ୍ତି, ସେମାନଙ୍କ ଭିତରେ ବାଂଟିଦେବ । ମୋଦୀ ଏପରି ମନ୍ତବ୍ୟ ଦ୍ୱାରା ଘୃଣା ସୃଷ୍ଟି କରୁଥିବା କଂଗ୍ରେସ ଅଭିଯୋଗ କରିଥିଲା । ସେପଟେ ବିଜେପି ରାହୁଲଙ୍କ ବିରୋଧରେ ଅଭିଯୋଗ କରିଛି ଯେ, ରାହୁଲ ଦେଶରେ ଦାରିଦ୍ର୍ୟ ବଢ଼ୁଛି ବୋଲି ମିଛ କଥା କହି ଲୋକଙ୍କୁ ଭ୍ରମିତ କରୁଛନ୍ତି । ଏହାସହ କଂଗ୍ରେସ ନେତା ଉତର ଓ ଦକ୍ଷିଣ ଭାରତ ମଧ୍ୟରେ ବିଭେଦ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି ।

ଦେଶରେ ଏବେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବାର ଅଛି । ଏପ୍ରିଲ ୧୯ରେ ୧୦୨ ଆସନରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଜୁନ୍ ୧ରେ ଶେଷ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇବ ।