ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ଦେଶ୍ୟରେ ଅନୁଭବଙ୍କ ଟୁଇଟ୍ । ପଚାରିଲେ, ଅଡିଓ କ୍ଲିପର ସ୍ୱର କାହାର ସ୍ପଷ୍ଟ କର ।

393

କନକ ବ୍ୟୁରୋ: ପରିବାର ଅଦାଲତରେ ହାଜର ହେବାର ଦିନକ ପରେ ଏକ ଅଡିଓ କ୍ଲିପକୁ ନେଇ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରଶ୍ନ କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ଟୁଇଟରରେ ଅଡିଓ ପୋଷ୍ଟ କରିବା ସହ ପ୍ରଶ୍ନ କରିଛନ୍ତି । ଆଉ ପଚାରିଛନ୍ତି, ଏହି ଅଡିଓ କ୍ଲିପରେ କଥା ହେଉଥିବା ଦୁଇ ଜଣ କିଏ? ଅଡିଓ କ୍ଲିପ୍ ତମର ଓ ତମ ଭଉଣୀଙ୍କର କି ନୁହେଁ ତାହା ଲକ୍ଷ ଲକ୍ଷ ଲୋକ ଜାଣିବାକୁ ଚାହୁଁଛନ୍ତି । ବିଶେଷକରି ଚଳଚିତ୍ର ଓ ରାଜନୀତି ବୃତ୍ତି ସହ ଜଡିତ ଲୋକ ସତ ଜାଣିବାକୁ ଚାହୁଁଛନ୍ତି ।

ଅଡିଓ କ୍ଲିପରେ ଦୁଇ ଜଣ ମହିଳା କଥା ହେଉଥିବା ସ୍ପଷ୍ଟ ହେଉଛି । ଦୁଇ ମହିଳା କଥା ହେଉଥିବାବେଳେ ଜଣେ ପୁରୁଷ ମଧ୍ୟ ଫୋନ କଲ କରିଥିବା ଅଡିଓରେ ରହିଛି । କଲ କରିଥିବା ପୁରୁଷ ଜଣଙ୍କ ସହ ଜଣେ ମହିଳା କିଛି ସମୟ କଥା ହେଉଛନ୍ତି । ତାପରେ ପୁଣି ଦୁଇ ମହିଳା କଥା ହେଉଛନ୍ତି । ଯାହାକୁ ବର୍ଷା ଓ ତାଙ୍କ ଭଉଣୀ କଥା ହେଉଥିବା କୁହାଯାଉଛି । କିନ୍ତୁ ପ୍ରକୃତରେ ଏହି ସ୍ୱର କାହାର ତାହା ସ୍ପଷ୍ଟ ଜଣାପଡୁନାହିଁ ।

ତେବେ ବର୍ଷାଙ୍କ ସମ୍ମାନରେ ଆଞ୍ଚ୍ ଆଣିବା ପାଇଁ ଏହି ଟୁଇଟ୍ କରିନଥିବା ଲେଖିଛନ୍ତି ଅନୁଭବ । ଆଉ ଏକ ଟୁଇଟରେ ଲେଖିଛନ୍ତି, ମୁଁ ତମକୁ ସମ୍ମାନ ଦିଏ । ଅନେକ ଲୋକ ଅନେକ ଥର ଏହି ଅଡିଓକୁ ନେଇ ମୋତେ ଓ ମୋ ପରିବାରକୁ ପ୍ରଶ୍ନ କରିବା ପରେ, ମୁଁ ଟୁଇଟ୍ କରିବାକୁ ବାଧ୍ୟ ହେଉଛି ଏବଂ ଏହି ପ୍ରଶ୍ନ ପଚାରୁଛି । ଅନୁଭବଙ୍କ ଏହି ଟୁଇଟ ପରେ ଷ୍ଟାର ଦମ୍ପତ୍ତିଙ୍କ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି ।