ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟିଙ୍ଗ: ୧୨ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ୮୮ ଲୋକସଭା ଆସନରେ ପଡିବ ଭୋଟ୍ ।

88

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆଜି ପଡ଼ିବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳର ୮୮ଟି ଆସନ ପାଇଁ ମତଦାନ ହେବ । ପାଖାପାଖି ୧୬ କୋଟି ଭୋଟର ୧୨୦୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏମାନଙ୍କ ମଧ୍ୟରୁ ୨୦ରୁ ୨୯ ବର୍ଷ ମଧ୍ୟରେ ୩ ଲକ୍ଷ ୨୩ ହଜାର ଭୋଟର ଅଛନ୍ତି । ସେହିପରି ୧୦୦ ବର୍ଷରୁ ଅଧିକ ବୟସର ଭୋଟରଙ୍କ ସଂଖ୍ୟା ୪୨ହଜାର ୨୨୬ ରହିଛି ।

ଦ୍ୱିତୀୟ ପର୍ଯ୍ୟାୟରେ ୩୪ଲକ୍ଷ ୮୦ହଜାର ଭୋଟର ପ୍ରଥମଥର ମତଦାନ କରିବେ । ଏଥିରୁ ୨୦ରୁ ୨୯ ବର୍ଷ ବୟସର ୩ଲକ୍ଷ ୨୩ହଜାର ଭୋଟର ରହିଛନ୍ତି । ସେହିପରି ୮୫ ବର୍ଷରୁ ଅଧିକ ବୟସର ଭୋଟରଙ୍କ ସଙ୍ଖ୍ୟା ୧୪ଲକ୍ଷ ୭୮ ହଜାର ରହିଛି । ଦ୍ୱିତୀୟ ପର୍ଯ୍ୟାୟରେ ୧୨ଶହ ୨ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୯୮ ପୁରୁଷ, ୧୦୨ ମହିଳା ଏବଂ ୨ଜଣ ଥାର୍ଡ ଜେଣ୍ଡର ରହିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ କେରଳରେ ସମସ୍ତ ୨୦ଟି ଆସନରେ ମତଦାନ ହେବ । ସେହିଭଳି କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩, ଉତରପ୍ରଦେଶ ଓ ମହାରାଷ୍ଟ୍ରର ୮ଟି ଲେଖାଏଁ ଆସନରେ ମତଦାନ ଗ୍ରହଣ କରାଯିବ । ମଧ୍ୟପ୍ରଦେଶର ୭, ବିହାର ଓ ଆସାମର ୫ଟି ଲେଖାଏଁ ଆସନ ଏବଂ ପଶ୍ଚିମବଙ୍ଗ ଓ ଛତିଶଗଡ଼ର ୩ଟି ଲେଖାଏଁ ଆସନ ପାଇଁ ହେବ ମତଦାନ । ଏହାବ୍ୟତୀତ ମଣିପୁର, ଜମ୍ମ-କଶ୍ମୀର, ତ୍ରିପୁରା ଓ ଦାଦର ନଗର ହାବେଳିର ଗୋଟିଏ ଲେଖାଏଁ ଆସନରେ ମତଦାନ ହେବ । ମତଦାନ ପାଇଁ ନିର୍ବାଚନ କମିଶନ ପକ୍ଷରୁ ପୂରା ପ୍ରସ୍ତୁତି କରାଯାଇଛି । ୫୦ ପ୍ରତିଶତରୁ ଅଧିକ ମତଦାନ କେନ୍ଦ୍ର ସିସିଟିଭି ନଜରରେ ରହିବ ।