କିଶୋର ଭାଇନା ମଟନ ଦୋକାନରେ ଚାଲିଲା ବୁଲଡୋଜର । ବିଏମସି କମିସନର କହିଲେ, ନିୟମ ଭାଙ୍ଗିଲେ ନିଆଯିବ ଆକ୍ସନ

316

କନକ ବ୍ୟୁରୋ: ବୁଲଡୋଜର ଚାଲିଲା ଆଉ ମାଟିରେ ମିଶିଲା ମଟନ ପାଇଁ ଚର୍ଚ୍ଚା ସାଉଁଟିଥିବା କିଶୋଇ ଭାଇନାଙ୍କ ହୋଟେଲ । ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତି ନେଇ ବିଏମସିର କାର୍ଯ୍ୟାନୁଷ୍ଠାନ । ଜନସାଧାରଣଙ୍କ ଅଭିଯୋଗ ଆଧାରରେ ଉଚ୍ଛେଦ ନେଇ ଏପରି କାର୍ଯ୍ୟାନୁଷ୍ଠାନ କରାଯାଇଥିବା କହିଛନ୍ତି ବିଏମସି କମିଶନର୍ । ବୁଧବାର ଖାଦ୍ୟର ମାନ ଯାଞ୍ଚ ପରେ ବିଏମସି ପକ୍ଷରୁ କିଶୋର ମଟନ ଦୋକାନକୁ ସିଲ କରାଯାଇଥିଲା । ହେଲେ ସିଲ ସତ୍ତେ୍ୱ ଗୁରୁବାର ଏହି ମଟନ ଦୋକାନ ଖୋଲିଥିଲା । ଏହାପରେ ଆଜି ତାଙ୍କ ଦୋକାନକୁ ବିଏମସି ବୁଲଡୋଜର ଚଳାଇ ଭାଙ୍ଗି ଦେଇଛି ।

ବର୍ଷ ବର୍ଷ ଧରି ରାଜଧାନୀବାସୀ ଓ ବାହାରୁ ଆସୁଥିବା ଲୋକଙ୍କ ମଟନ୍ ଖାଇବା ରୁଚିକୁ ପୂରଣ କରୁଥିବା କିଶୋର ଭାଇନା ମଟନ୍ ଦୋକାନ ମାଟିରେ ମିଶି ଯାଇଛି । ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ନିକଟରେ ଥିବା ଏହି ନାଁ କରା ଦୋକାନ ଉପରେ ବୁଧବାର ରାତିରେ ଚଢ଼ାଉ କରିଥିଲା ବିଏମସି । ଅଭିଯୋଗ ଥିଲା, ନିମ୍ନମାନର ରଙ୍ଗ, ପୁରୁଣା ସସ୍ ବ୍ୟବହାର କରାଯାଉଛି । ଅସ୍ୱାସ୍ଥ୍ୟକର ପରିବେଶରେ ହୋଟେଲ ଚାଲିଛି । ହୋଟେଲ ପାଇଁ ନିର୍ଦ୍ଧାରିତ ଲାଇସେନ୍ସ ମଧ୍ୟ ନାହିଁ । ଖାଦ୍ୟର ମାନ ଯାଞ୍ଚ କରି ବୁଧବାର ରାତିରେ ଦୋକାନକୁ ସିଲ୍ କରିଥିଲା ବିଏମ୍ସି । ଏହା ସତ୍ତ୍ୱେ ଗୁରୁବାର ଦିନ ହୋଟେଲ ଖୋଲିଥିଲେ କିଶୋର ଭାଇନା ।

ପୂର୍ବଦିନ ଭଳି ଭିଡ଼ ଲଗାଇ ଲୋକେ ତାଙ୍କ ଦୋକାନରୁ ମଟନ୍ ଖାଇଥିଲେ । ଏହାକୁ ନେଇ ପ୍ରଶ୍ନ ଉଠିବା ପରେ ଶୁକ୍ରବାର ଦିନ ବୁଲଡୋଜର ଲଗାଇ ପୂରା ଦୋକାନକୁ ମାଟିରେ ମିଶାଇ ଦେଇଛି ବିଏମସି । ବିଏମସି କମିସନର କହିଛନ୍ତି, କିଶୋର ମଟନ୍ ଦୋକାନକୁ ନେଇ ବହୁତ ଅଭିଯୋଗ ଆସିଥିଲା । ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜିଥିଲା । ସେଥିପାଇଁ ଦେକାନକୁ ଉଚ୍ଛେଦ କରାଯାଇଛି । ଯେଉଁସବୁ ସ୍ଥାନରେ ଏଭଳି ସମସ୍ୟା ଥିବ, ସେଠାରେ ମଧ୍ୟ ଆକ୍ସନ ନିଆଯିବ ।

କିଶୋର ଭାଇନାଙ୍କ ଦୋକାନ ଉପରେ ବିଏମସିର ବୁଲଡୋଜର ଚାଲିବା ପରେ ଅନେକ ଗ୍ରାହକ ଦୋକାନକୁ ଆସି ନିରାଶ ହୋଇ ଫେରିଛନ୍ତି । ସେମାନେ କହିଛନ୍ତି ବଡ଼ ହୋଟେଲରେ ଅଧିକ ଟଙ୍କା ନେଉଥିବା ବେଳେ କିଶୋର ଭାଇନାଙ୍କ ଦୋକାନରୁ ଶସ୍ତାରେ ସୁସ୍ୱାଦୁ ମଟନ ଖାଇ ପାରୁଥିଲେ । ଏପଟେ ଦୋକାନର ମାଲିକ କିଶୋର ସାହୁ କହିଛନ୍ତି, କାହିଁକି ତାଙ୍କ ଦୋକାନକୁ ଉଚ୍ଛେଦ କରାଗଲା, ସେ କିଛି ବୁଝିପାରୁନାହାନ୍ତି ।

ବିଏମସି ଉଚ୍ଛେଦ ନେଇ ୨୦୨୦ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କିଶୋର ସାହୁ । ମାମଲାର ଶୁଣାଣି କରି କୋର୍ଟ କହିଥିଲେ, ଧାର୍ଯ୍ୟ ନିୟମ ପାଳନ ନକରି ଦୋକାନକୁ ଉଚ୍ଛେଦ କରାଯାଇପାରିବ ନାହିଁ । ଯଦି ସେ ଷ୍ଟ୍ରିଟ୍ ଭେଣ୍ଡିଂର ନିୟମ ପାଳନ କରୁଛନ୍ତି, ତେବେ ତାଙ୍କୁ ଥଇଥାନ ପାଇଁ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଭୁବନେଶ୍ୱରରେ କିଶୋର ଭାଇନା ମଟନ ଦୋକାନର ଚାହିଦା ଦିନକୁ ଦିନ ବଢ଼ିଚାଲିଥିଲା । ଏବେ ଏହି ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି । ଉଭୟ ସପକ୍ଷ ଓ ବିପକ୍ଷରେ ମତ ପ୍ରକାଶ ପାଉଛି ।