ୟୁପିର ରାଏବରେଲିରୁ ନିର୍ବାଚନ ଲଢ଼ିପାରନ୍ତି ପ୍ରିୟଙ୍କା ଗାନ୍ଧୀ । ସେପଟେ ଅମେଠିରୁ ରାହୁଲ ପୁଣିଥରେ ଲଢ଼ିବା ସମ୍ଭାବନା

75

କନକ ବ୍ୟୁରୋ : କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ବହୁ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଆସନରେ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ । ଏହି ଦୁଇ ଆସନ ହେଲା ଆମେଠି ଓ ରାଏବରେଲି । ଉତରପ୍ରଦେଶର ଏହି ଦୁଇ ଆସନକୁ କଂଗ୍ରେସର ଗଡ଼ ବୋଲି କୁହାଯାଏ । ପିଢ଼ି ପରେ ପିଢ଼ି କଂଗ୍ରେସ ନେତା ବିଶେଷକରି ଗାନ୍ଧୀ ପରିବାରର ସଦସ୍ୟ ଏହି ଦୁଇ ଆସନରୁ ବିଜୟୀ ହୋଇଆସିଛି । ହେଲେ ଏଥର ଏହି ଦୁଇ ଆସନରୁ କିଏ ଲଢ଼ିବ, ତାକୁ ନେଇ ସସପେନ୍ସ ଜାରି ରହିଛି । ତେବେ ଶୁକ୍ରବାର ଏନେଇ ସ୍ପଷ୍ଟତା ଆସିଯିବାର ସମ୍ଭାବନା ରହିଛି  ।

ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସର ମହାସଚିବ ଭାବେ କିଛି ବର୍ଷ ହେଲା କାର୍ଯ୍ୟ ତୁଲାଇ ଆସୁଥିଲେ ବି ଏଯାଏଁ ସିଧାସଳଖ ନିର୍ବାଚନ ଲଢ଼ି ନାହାନ୍ତି । ଆଉ ଯଦି କଂଗ୍ରେସ ତାଙ୍କୁ ଏଥର ପ୍ରାର୍ଥୀ କରିବାକୁ ଚାହେଁ, ତାହେଲେ ରାଏବରେଲି ଠାରୁ ଭଲ ଆସନ ଆଉ କ’ଣ ହୋଇପାରିବ? ରାଏବରେଲିରୁ ଲଗାତର ଭାବେ ଲଢ଼ି ଜିତିଆସୁଥିଲେ ସୋନିଆ ଗାନ୍ଧୀ । ହେଲେ ସେ ଏଥର ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି । ଏହାସହ ରାଜ୍ୟସଭାକୁ ନିର୍ବାଚିତ ହୋଇସାରିଛନ୍ତି । ତେଣୁ ଏହି ଆସନରେ କଂଗ୍ରେସ ପ୍ରିୟଙ୍କାକୁ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି ।

ଅନ୍ୟପକ୍ଷରେ ଆମେଠି ଆସନରୁ ପୁଣି ଥରେ ରାହୁଲ ଗାନ୍ଧୀ ପ୍ରାର୍ଥୀ ହେବାର ଅଧିକ ସମ୍ଭାବନା ରହିଛି । ରାହୁଲ ଗତଥର ମଧ୍ୟ ଦୁଇଟି ଆସନରୁ ଲଢ଼ିଥିଲେ । ୟୁପିର ଆମେଠି ଓ କେରଳର ୱାଏନାଡରୁ ପ୍ରାର୍ଥୀ ହୋଇଥିଲେ ରାହୁଲ । ୱାଏନାଡରୁ ରାହୁଲ ବିଜୟୀ ହୋଇଥିଲେ, ହେଲେ ଆମେଠରେ ବିଜେପିର ସ୍ମୃତି ଇରାନୀଙ୍କ ଠାରୁ ହାରିଯାଇଥିଲେ । ଏଥର ମଧ୍ୟ ରାହୁଲ ୱାଏନାଡରୁ ଲଢ଼ୁଛନ୍ତି । ଏହାସହ ପୁଣି ଆମେଠିରୁ ରାହୁଲଙ୍କୁ ପ୍ରାର୍ଥୀ ଘୋଷଣା କରିପାରେ କଂଗ୍ରେସ ।

ଏପ୍ରିଲ ୨୬ରେ ଆମେଠି ଓ ରାଏବରେଲି ଆସନ ନେଇ କଂଗ୍ରେସ ଘୋଷଣା କରିପାରେ । ଏହି ଦୁଇ ଆସନରେ ମେ ୨୦ରେ ମତଦାନ ହେବ । ୟୁପିରେ ଏଥର ସମାଜବାଦୀ ପାର୍ଟି ସହ ଆସନ ବୁଝାମଣା କରିଛି କଂଗ୍ରେସ । ଏଥିର ୟୁପିରେ କଂଗ୍ରେସ ୧୭ଟି ଆସନରେ ଲଢ଼ୁଛି ।