ଉତ୍ତରାଧିକାର କରକୁ ନେଇ ବୟାନବାଜି ଜାରି । କଂଗ୍ରେସକୁ କଡ଼ା ସମାଲୋଚନା କଲେ ମୋଦୀ । ଜବାବ ରଖିଲା କଂଗ୍ରେସ

103

କନକ ବ୍ୟୁରୋ : କଂଗ୍ରେସ ନେତା ସାମ ପିଟ୍ରୋଡା ଉତରାଧିକାର କର ନେଇ ମନ୍ତବ୍ୟ ଦେବା ପରେ ଏନେଇ ବିବାଦ ବଢ଼ି ବଢ଼ି ଚାଲିଛି । କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ମଧ୍ୟପ୍ରଦେଶର ମୋରେନାରେ ଏକ ନିର୍ବାଚନୀ ସଭାପରେ ମୋଦୀ କହିଛନ୍ତି ଯେ, “ଉତରାକାରୀ କର ବିଷୟରେ ତଥ୍ୟ ଆଖି ଖୋଲିଦେଲା ଭଳି । ଯେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନିଧନ ହେଲା, ତାଙ୍କ ପିଲାମାନେ ସେତେବେଳେ ତାଙ୍କର ସମ୍ପତ୍ତି ପାଇବାର ଥିଲା । ହେଲେ ସେତେବେଳେ ଏକ ଆଇନ ଥିଲା, ଏହା ଅନୁସାରେ ପିଲାଙ୍କ ପାଖକୁ ସମ୍ପତି ଯିବା ପୂର୍ବରୁ ଇନ୍ଦିରାଙ୍କ କିଛି ସମ୍ପତି ସରକାରଙ୍କ ପାଖକୁ ଚାଲିଗଲା । ଏହା ଉପରେ କଂଗ୍ରେସ ଏକ ଆଇନ ଆଣିଲା । ସମ୍ପତି କିପରି ସରକାରଙ୍କ ପାଖକୁ ନଯିବ, ସେଥିପାଇଁ ଏହି ଆଇନରେ ପ୍ରାବଧାନ ରହିଲା । ସେତେବେଳର ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଉତରାଧୀକାର କର ଆଇନକୁ ଉଛେଦ କରିଦେଲେ । ଚାରି ପିଢ଼ି ଧରି ସମ୍ପତ୍ତି ଠୁଳ କରିବା ପରେ , ଏବେ ସେମାନେ ଆଣଙ୍କ ସମ୍ପତି ଲୁଟ କରିବାକୁ ଚାହୁଁଛନ୍ତି’ । ମୋଦୀଙ୍କ ଏହି ସମାଲୋଚନା ପରେ କଂଗ୍ରେସ ପ୍ରତିକ୍ରିୟା ରଖିଛି ।

ପ୍ରବାସୀ ଭାରତୀୟ କଂଗ୍ରେସ ସଭାପତି ସାମ୍ ପିଟ୍ରୋଡା ମନ୍ତବ୍ୟ ହିଁ ଏହି ବିବାଦ ଆରମ୍ଭ କରିଛି । ପିଟ୍ରୋଡା କହିଥିଲେ “ସମ୍ପତି ଠୁଳ କରିବାରେ କିଛି ଅସୁବିଧା ନାହିଁ, ହେଲେ କେତେ ପରିମାଣର? ଆମେରିକାରେ ଉତ୍ତରାଧିକାର କର ବ୍ୟବସ୍ଥା ରହିଛି । ଧରନ୍ତୁ ଜଣଙ୍କର ୧୦ କୋଟି ଡଲାରର ସମ୍ପତି ରହିଛି । ଆଉ ସମ୍ପୃକ୍ତ ବ୍ୟକ୍ତିର ଯେତେବେଳେ ମୃତ୍ୟୁ ହୁଏ, ଏହି ସମ୍ପତ୍ତିରୁ ୪୫ ପ୍ରତିଶତ ପିଲାଙ୍କ ପାଖକୁ ଯାଏ. ବାକି ୫୫ ପ୍ରତିଶତ ସରକାରଙ୍କ ପାଖକୁ ଚାଲିଯାଏ । ଏହା ଏକ ସୁନ୍ଦର ଆଇନ । ଯଦି ଗୋଟିଏ ପିଢ଼ି ସମ୍ପତି ଆହରଣ କରିଛି, ଆଉ ଏବେ ତୁମେ ଯାଉଛ, ତାହେଲେ ସମ୍ପୂର୍ଣ୍ଣ ନହେଲେ ବି କିଛି ପରିମାଣର ସମ୍ପତ୍ତି ସାଧାରଣ ଜନତା ପାଇଁ ଛାଡ଼ିଯିବା ଉଚିତ । ହେଲେ ଭାରତରେ ଏପରି ଆଇନ ନାହିଁ” । କଂଗ୍ରେସ ନିର୍ବାଚନୀ ଇସ୍ତାହରରେ ସମ୍ପତି ଓ ଆୟର ଅସମାନତା କଥା କୁହାଯାଇଥିଲା । ଏହାସହ ଯଦି କ୍ଷମତାକୁ ଆସେ ତାହେଲେ ନୀତିରେ ପରିବର୍ତନ କରି ଏହାକୁ କମାଇବା କଥା କୁହାଯାଇଛି ।

ଆମେରିକା, ବ୍ରିଟେନ, ଜାପାନ, ଫ୍ରାନ୍ସ ଓ ଫିନଲ୍ୟାଣ୍ଡ ପରି ଦେଶରେ ଏବେତ୍ତଉତ୍ତରାଧିକାର କର ରହିଛି । ଏହି ସବୁ ଦେଶରେ ଏହା ୭ ପ୍ରତିଶତରୁ ୫୫ ପ୍ରତିଶତ ଭିତରେ ରହିଛି । ତେବେ ୨୦୦୦ ମସିହାରୁ ୧୧ଟି ଦେଶ ଏହି କରକୁ ଉଛେଦ କରିସାରିଲେଣି । ଭାରତରେ ମଧ୍ୟ ସ୍ୱାଧୀନତା ପରେ ଇନହେରିଟେନ୍ସ ଟାକ୍ସ ବା ଉତରାଧିକାର କର ଥିଲା, ହେଲେ ୧୯୮୫ରେ ଏହାକୁ ଉଚ୍ଛେଦ କରାଯାଇଥିଲା ।