ଉଦୟପୁର କହ୍ନେୟାଲାଲ ହତ୍ୟା ମାମଲାରେ ବଡ ଖୁଲାସା। ଗୋଟିଏ ଦିନରେ ତିନି ଜଣଙ୍କୁ ହତ୍ୟା ପାଇଁ ହୋଇଥିଲା ଯୋଜନା।

156

କନକ ବ୍ୟୁରୋ : ଉଦୟପୁରରେ ଟେଲର କହ୍ନେୟା ଲାଲ ହତ୍ୟାକାଣ୍ଡ ଘଟଣାରେ ଯାଞ୍ଚ ଯେତିକି ବଢିଚାଲିଛି ସେତେ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଷଡଯନ୍ତ୍ରରେ ଅନେକ ରୋଚକ କଥା ବର୍ତ୍ତମାନ ଗୋଟି ଗୋଟି କରି ବାହାରକୁ ଆସୁଛି । ଯେଉଁଦିନ କହ୍ନେୟା ଲାଲଙ୍କୁ ହତ୍ୟା କରାଯାଇଥିଲା ସେହିଦିନ ଆଉ ଦୁଇ ଜଣଙ୍କୁ ମଧ୍ୟ ହତ୍ୟାକରିବା ପାଇଁ ଯୋଜନା ହୋଇଥିଲା । ତାଲିବାନୀ ଷ୍ଟାଇଲରେ ହତ୍ୟାର ପୂରା ଯୋଜନା ପ୍ରସ୍ତୁତ ହୋଇଥିଲା । ତେବେ ସେହି ଦୁଇଜଣଙ୍କର ସନ୍ଧାନ ଆଉ ସ୍ଥାନ ଠିକ୍ ନଥିବାରୁ ତାଙ୍କୁ ହତ୍ୟା କରାଯାଇପାରିନଥିଲା । ଅନ୍ୟ ୪ ଜଣଙ୍କୁ ଏହି ଦୁଇ ଜଣଙ୍କ ହତ୍ୟା ପାଇଁ ଦାୟିତ୍ୱ ଦିଆଯାଇଥିଲା ।

ଯାଞ୍ଚ ଏଜେନ୍ସି ସୁତ୍ରରୁ ଜଣାପଡିଛି, କହ୍ନେୟା ଲାଲଙ୍କ ହତ୍ୟାର ଷଡଯନ୍ତ୍ର ବଡଧରଣର ଥିଲା । ଏଥିପାଇଁ ଗୋଟିଏ ଦିନରେ ତିନି ଜଣ ଲୋକଙ୍କୁ ତାଲିବାନୀ ତରିକାରେ ଗଳାକାଟି ହତ୍ୟା ପାଇଁ ଯୋଜନା ହୋଇଥିଲା । ତେବେ କେବଳ କହ୍ନେୟା ଲାଲଙ୍କର ହିଁ ହତ୍ୟା କରାଯାଇପାରିଥିଲା । ଅନ୍ୟ ଦୁଇ ଜଣ ସେହିସ୍ଥାନରେ ନଥିବାରୁ ଯୋଜନା ସଫଳ ହୋଇପାରିନଥିଲା ।

ନୂପୁର ଶର୍ମାଙ୍କୁ ନେଇ ସୋସିଆଲ ମିଡିଆରେ ଟିପ୍ପଣୀ କରିବା ପରେ ଏହି ପୂରା ଯୋଜନା ପ୍ରସ୍ତୁତ ହୋଇଥିଲା । ୧୭ ଜୁନରେ ହତ୍ୟାର ପୂରା ଯୋଜନା ପ୍ରସ୍ତୁତ ପାଇଁ ବୈଠକ ହୋଇଥିଲା । ଜୁନ ୨୦ରେ ଉଦୟପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୂପୁରଙ୍କ ବିରୋଧରେ ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରଦର୍ଶନ ପରେ ରିଆଜ ଅତ୍ତାରି ଏବଂ ଗେସ ମହମ୍ମଦଙ୍କ ସହ ମିଶି ପୂରା ଯୋଜନା ପ୍ରସ୍ତୁତ ହୋଇଥିଲା । କେଉଁଭଳି ହତ୍ୟା କରାଯିବ ସେନେଇ ପୂରା ଖସଡା ପ୍ରସ୍ତୁତ ହେବା ପରେ ଜୁନ ୨୮ରେ ଏହି ହତ୍ୟାକାଣ୍ଡ ହୋଇଥିଲା ।