ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀଙ୍କୁ ସମର୍ଥନ ଦେବ ଶିବସେନା! ଉଦ୍ଧବଙ୍କୁ ଚିଠି ଲେଖି ଦଳୀୟ ସାଂସଦଙ୍କ ଅନୁରୋଧ। 

260

କନକ ବ୍ୟୁରୋ : ଶିବସେନାରେ ଗତ କିଛି ଦିନ ଧରି ଚାଲିଥିବା ସଙ୍କଟ ଭିତରେ ନୂଆ ମୋଡ ଆସିଛି । ବର୍ତ୍ତମାନ ଶିବସେନାର ସାଂସଦ ଚାହୁଁଛନ୍ତି ଦଳର ଅଧ୍ୟକ୍ଷ ଉଦ୍ଧବ ଠାକରେ ଭାଜପା ସହ ସମ୍ପର୍କ ଯୋଡିବା ପାଇଁ ଚେଷ୍ଟା କରନ୍ତୁ । ସାଂସଦ ରାହୁଲ ଶିବାଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏଭଳି କହିଛନ୍ତି । ଆଗାମୀ ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଦଳର ସବୁ ସାଂସଦ ବିଜେପିର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଉଦ୍ଧବ କୁହନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । ତେବେ ଅନୌପଚାରିକ ଭାବେ ସୂଚନା ମିଳିଛି ଏହି ଚିଠି ପରେ ଉଦ୍ଧବ ଏନଡିଏ ପ୍ରତ୍ୟାଶୀଙ୍କୁ ଭୋଟ ଦେବା ପାଇଁ କହିପାରନ୍ତି ।

ଏକନାଥ ସିନ୍ଦେଙ୍କ ବିଦ୍ରୋହ ପରେ ୧୮ଜଣ ସାଂସଦଙ୍କ ମଧ୍ୟରୁ ୧୬ ଜଣ ସାଂସଦ ଉଦ୍ଧବଙ୍କ ସହ ସାକ୍ଷାତ କରିବା ସହ ତାଙ୍କ ସହ ଥିବା କହିଥିଲେ । ଏମାନଙ୍କ ମଧ୍ୟରୁ କିଛି ସାଂସଦ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ଦଳର ପଦକ୍ଷେପ ସହ କେଉଁଭଳି ବିଜୟ ହାସଲ କରାଯାଇପାରିବ ସେନେଇ ରାସ୍ତା ବାହାରକରିବାକୁ ଚାହୁଁଛନ୍ତି । ସାଂସଦ ରାହୁଲ ମଙ୍ଗଳବାର ଉଦ୍ଧବଙ୍କ ସହ ସାକ୍ଷାତ ବେଳେ ଗୋଟିଏ ଦାବିପତ୍ର ଦେଇଛନ୍ତି । ଏଥିରେ ମୁର୍ମୁଙ୍କୁ ସମର୍ଥନ ଦେବା ପାଇଁ ସେ ଅନୁରୋଧ କରିଛନ୍ତି । ରାହୁଲ ଏଥିରେ ଲେଖିଛନ୍ତି ଦ୍ରୌପଦୀ ଜଣେ ଆଦିବାସୀ ମହିଳା, ସାମାଜିକ କ୍ଷେତ୍ରରେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ରାଜନୀତିରେ ଆସିବା ପୂର୍ବରୁ ସେ ଶିକ୍ଷକ ଥିଲେ । ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବେ ସେ କାମ ମଧ୍ୟ କରିସାରିଛନ୍ତି ।

ରାହୁଲ ଶିବାଲେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଦଳର ପ୍ରତିଷ୍ଠାତା ବାଲା ସାହେବ ଠାକରେ ବିଜେପି ସହ ମେଣ୍ଟ ସରକାରରେ ଥାଇ ମଧ୍ୟ ପୂର୍ବରୁ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଭା ଦେବୀ ସିଂହ ପାଟିଲଙ୍କୁ ସମର୍ଥନ କରିଥିଲେ । ପ୍ରତିଭା ମହାରାଷ୍ଟ୍ରର ହୋଇଥିବା କାରଣରୁ ସେ ଏଭଳି କରିଥିଲେ ।  କେବଳ ଏତିକି ନୁହେଁ ଶିବସେନା ପ୍ରଣବ ମୁଖାର୍ଜୀଙ୍କୁ ମଧ୍ୟ ସମର୍ଥନ ଦେଇଥିଲେ । ତେଣୁ ଏସବୁକୁ ଧ୍ୟାନ ଦେବା ସହ ମହିଳା ଆଦିବାସୀ ନେତ୍ରୀ ଦ୍ରୌପଦୀଙ୍କ ସାମାଜିକ ଯୋଗଦାନକୁ ଆଖିରେ ରଖି ତାଙ୍କୁ ଦଳ ସମର୍ଥନ ଦେଉ । ଶିବସେନାର ଗୋଟିଏ ଗୋଷ୍ଠୀ ମଧ୍ୟ ଉଦ୍ଧବ ଏହା ଉପରେ ବିଚାର କରନ୍ତୁ ବୋଲି କହିଛନ୍ତି ।