କନକ ବ୍ୟୁରୋ : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ବିଧାୟକ । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ମନାଇବାକୁ କଂଗ୍ରେସ ବିଧାୟକଙ୍କୁ ଭେଟିଥିଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ ଏବଂ ରାଜକିଶୋର ଦାସ । ରାଜନ ଏକ୍କା ନିଜେ ଆଦିବାସୀ ହୋଇଥିବାରୁ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବାକୁ ସେମାନେ ଅନୁରୋଧ କରିଥିଲେ ।
ହେଲେ ସେମାନଙ୍କୁ ଦ୍ରୌପଦୀଙ୍କୁ ଭୋଟ ଦେବାପାଇଁ ମୁହେଁ ମୁହେଁ ମନା କରିଦେଇଛନ୍ତି କଂଗ୍ରେସ ବିଧାୟକ । କଂଗ୍ରେସର ନୀତି ଆଦର୍ଶ ବିଜେପିଠାରୁ ଭିନ୍ନ ହୋଇଥିବାରୁ ଏବଂ କଂଗ୍ରେସ ଗାନ୍ଧୀଙ୍କ ଆଦର୍ଶରେ ଚାଲିଥିବାରୁ ସେ ଦ୍ରୌପଦୀଙ୍କୁ ସମର୍ଥନ କରିପାରିବେ ନାହିଁ ବୋଲି ରୋକଠୋକ ନମା କରି ଦେଇଛନ୍ତି । ଦଳ ତରଫରୁ ଯଶୱନ୍ତ ସିହ୍ନାଙ୍କୁ ବହୁ ଆଗରୁ ପ୍ରାର୍ଥୀ ଘୋଷଣା କରାଯାଇଥିବାରୁ ତାଙ୍କୁ ହିଁ ସେ ସମର୍ଥନ କରିବେ ଓ ଦ୍ରୌପଦୀଙ୍କୁ ସମର୍ଥନ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ସିଧାସଳଖ କହିଛନ୍ତି ରାଜନ ଏକ୍କା ।
ଦ୍ରୌପଦୀ ମୁର୍ମୁ
- ଶୁକ୍ରବାର ଓଡିଶା ଆସିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ
- ସମସ୍ତ ରାଜନୈତିକ ଦଳ ବିଧାୟକଙ୍କୁ ଭେଟି ଭୋଟ୍ ମାଗିବେ
- ଏପର୍ଯ୍ୟନ୍ତ ଦ୍ରୌପଦୀଙ୍କ ସମର୍ଥନରେ ଅଛନ୍ତି ୨୩ ରାଜନୈତିକ ଦଳ
- ଏନଡିଏରେ ନଥାଇ ମଧ୍ୟ ଅନେକ ଦଳ ପ୍ରାର୍ଥୀତ୍ୱକୁ ସମର୍ଥନ କରିଛନ୍ତି
- ବିଜେଡି ଏବଂ ୱାଇଏସଆର କଂଗ୍ରେସ କରୁଛନ୍ତି ସମର୍ଥନ
- ଜେଡିଏସ, ଅକାଳୀ ଦଳ ଓ ବିଏସପି ମଧ୍ୟ ସମର୍ଥନ କରୁଛନ୍ତି
- ଏନଡିଏ ପ୍ରାର୍ଥୀଙ୍କ ପାଖରେ ୬ ଲକ୍ଷରୁ ଅଧିକ ମୂଲ୍ୟର ଭୋଟ୍ ରହିଛି
- ସୌଜନ୍ୟ ଦୃଷ୍ଟିରୁ ସବୁ ଦଳକୁ ଭେଟି ସମର୍ଥନ ମାଗୁଛନ୍ତି ଦ୍ରୌପଦୀ
ଯଶୱନ୍ତ ସିହ୍ନା
- ସ୍ୱାସ୍ଥ୍ୟଗତ କାରଣରୁ ଆଜି ଓଡିଶା ଆସୁନାହାନ୍ତି ଯଶୱନ୍ତ ସିହ୍ନା
- ଯଶୱନ୍ତଙ୍କୁ ସମର୍ଥନ କରୁଛି କଂଗ୍ରେସ, ବିପକ୍ଷରେ ଭୋଟ୍ ଦେବ ବିଜେଡି
- ମିଳିତ ବିରୋଧୀ ଦଳ ପ୍ରାର୍ଥୀଙ୍କ ସପକ୍ଷରେ ରହିଛି ୧୪ଟି ଦଳର ସମର୍ଥନ
- ଯଶୱନ୍ତଙ୍କ ସମର୍ଥନରେ ରହିଛି ୩ ଲକ୍ଷ ୮୯ ହଜାର ମୂଲ୍ୟର ଭୋଟ୍
- କେରଳର ସମସ୍ତ ଛୋଟ ବଡ ରାଜନୈତିକ ଦଳ କରିଛନ୍ତି ସମର୍ଥନ
- ଆମ ଆଦମୀ ପାର୍ଟି କାହାକୁ ସମର୍ଥନ କରିବ ଏଯାଏଁ ସ୍ପଷ୍ଟ କରିନାହିଁ