‘ମୁଁ କହିବି ମନ୍ତ୍ରୀଙ୍କ ନାଁ’! ପଂଚାୟତ ଭୋଟ୍ ପୂର୍ବରୁ ବିଜେଡିକୁ ଦୋହଲାଇ ଦେଲେ ପ୍ରଦୀପ

56

କନକ ବ୍ୟୁରୋ : ଶାସକ ଦଳର ଦୁଇ ମନ୍ତ୍ରୀ ମୋ ଠାରୁ ନେଇଛନ୍ତି ମୋଟା ଅଙ୍କର ଟଙ୍କା । ଚିଟଫଣ୍ଡ ସଂସ୍ଥା ଏଟି ଗ୍ରୁପର ମୁଖ୍ୟ ପ୍ରଦୀପ ସେଠୀଙ୍କ ଏହି ବିସ୍ଫୋରକ ବୟାନ ପଂଚାୟତ ପାଣିକୁ ଫୁଟାଇ ଦେଇଛି । କୋର୍ଟରେ ହାଜର ହେବା ସମୟରେ ପ୍ରଦୀପ କନକ ନ୍ୟୁଜକୁ ଦେଇଛନ୍ତି ଏକ୍ସକ୍ଲୁସିଭ୍ ବୟାନ । ସେ କହିଛନ୍ତି, ଏସ୍ଏଫଆଇଓ ବା ସିରିୟସ୍ ଫ୍ରଡ୍ ଇନଭେଷ୍ଟିଗେସନ୍ ଅଫିସର ତଦନ୍ତ ବେଳେ ସେ ଏନେଇ ତଥ୍ୟ ପ୍ରମାଣ ଦାଖଲ କରିବେ ।

ତେବେ କିଏ ସେହି ଦୁଇ ଜଣ ମନ୍ତ୍ରୀ । କିଏ ସେହି ଦୁଇ ଜଣ ଶାସକ ଦଳର ନେତା । କେବେ , କେମିତି ଓ କେତେ ଟଙ୍କା ନେଇଛନ୍ତି । ଅର୍ଥତତ୍ତ୍ୱ ପ୍ରଦୀପ ସେଠୀଙ୍କ ଏ ବିସ୍ପୋରକ ବୟାନ୍ ଏବେ ବିଜେଡି ଶିବିରରେ ଛନକା ପଶାଇଛି । କାରଣ ପୂର୍ବରୁ ପ୍ରଦୀପଙ୍କ ବୟାନ୍ ପରେ ସିବିଆଇ ବାନ୍ଧି ଥିଲା ବାଙ୍କୀ ବିଧାୟକ ତଥା ବିଜେଡିର ପ୍ରଭାବଶାଳୀ ନେତା ପ୍ରଭାତ ତ୍ରିିପାଠୀଙ୍କୁ । ତେଣୁ ପ୍ରଦୀପ ମୁହଁ ଖୋଲିଲେ ନେତାଙ୍କୁ ଘାରୁଛି ଅଜଣା ଭୟ । କିଛି ନେତାଙ୍କ ନାଁକୁ ନେଇ ଆରମ୍ଭ ହୋଇ ଯାଇଛି କଳ୍ପନା ଜଳ୍ପନା ।

ଅର୍ଥତତ୍ୱର ମୁଖ୍ୟ ପ୍ରଦୀପ ସେଠୀ । କୋଟି କୋଟି ଚିଟଫଣ୍ଡ ସ୍କାମର ରିଙ୍ଗ୍ ମାଷ୍ଟର । ୨୦୧୩ରେ ଓଡିଶା ପୁଲିସ୍ ଗିରଫ କରିବା ପରେ ପାଳି କରି ଚାଲିଛି ଚିଟଫଣ୍ଡ ଘୋଟାଲାର ତନାଘନା । କ୍ରାଇମବ୍ରାଂଚ୍, ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପରେ ଏବେ ତଦନ୍ତ କରିବ ଏସଏଫଆଇଓ ବା ସିରିୟସ୍ ଫ୍ରଡ୍ ଇନଭେଷ୍ଟିଗେସନ୍ ଅଫିସ୍ । ଆଉ ଏହି ତଦନ୍ତକାରୀ ସଂସ୍ଥା ଆଗରେ ପ୍ରଦୀପ କହିବେ ଦୁଇ ମନ୍ତ୍ରୀଙ୍କ ନାଁ । ଯିଏ ବିଭିନ୍ନ ବାହାନାରେ ଅର୍ଥତତ୍ୱ ଠାରୁ ଲୁଟ୍ କରିଛନ୍ତି କୋଟି କୋଟି ଟଙ୍କା ।

ତେବେ ଏହି ଠକ ସର୍ଦ୍ଦାରଙ୍କ କଥାରେ କେତେ ରହିଛି ସତ୍ୟତା, ତାହା ସମୟ କହିବ । ହେଲେ ରାଜନୀତି କିନ୍ତୁ ସମୟକୁ ଅପେକ୍ଷା କରିନି । କାରଣ ବିରୋଧୀଙ୍କୁ ମିଳିଛି ପଂଚାୟତ ଅସ୍ତ୍ର । ହେଲେ ବିଜେଡି କହିଛି , ଜଣେ ଅଭିଯୁକ୍ତର କଥା କୌଣସି ପ୍ରଭାବ ପକାଇ ପାରିବ ନାହିଁ ।

ପ୍ରଦୀପ ଲୁଟୁଥିଲେ ଲୋକଙ୍କ ଠାରୁ । ଆଉ ପ୍ରଦୀପଙ୍କ ଠାରୁ ଲୁଟୁଥିଲେ ନେତା , ସାମ୍ବାଦିକ ଓ ବଡ ବଡ ବ୍ୟବସାୟୀ । ପୂର୍ବରୁ ଏକଥାର ପ୍ରମାଣ ମିଳିଛି ଓ ଗିରଫଦାରୀ ବି ହୋଇଛି ।ଏବେ ଅପେକ୍ଷା ପ୍ରଦୀପଙ୍କ ଆଜିର କଥା ପରେ କେଉଁ ନେତା ଓ ବ୍ୟବସାୟୀଙ୍କ ପାଳି ପଡୁଛି ।