ଲାଞ୍ଜିଗଡ ତୁର୍କା ଗାଁରୁ ଆସିଲା ଅବହେଳାର ସାଂଘାତିକ ଚିତ୍ର : ଗ୍ରାମବାସୀଙ୍କ ଅଭିଯୋଗ, ୧୦୦ ବର୍ଷ ପରେ ବି ପାଇନାହାଁନ୍ତି କୌଣସି ପ୍ରତିଷେଧକ ଟିକା

କୋଭିଡ୍ ଟିକା ଦେଉନି ସ୍ୱାସ୍ଥ୍ୟ ବିଭାଗ

93

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକର ତୁର୍କା ଗାଁ । ଏହି ଗାଁ ବସିବାକୁ ଏହା ଭିତରେ ୧୦୦ ବର୍ଷ ବିତିଗଲାଣି । ହେଲେ, ତୁର୍କା ଗାଁରୁ ଯେଉଁ ଅଭିଯୋଗ ଆସିଛି ତାହା ସାଂଘାତିକ । କୋଭିଡ୍ ମୁକାବିଲା ପାଇଁ ଟିକା ହିଁ ସଞ୍ଜିବନୀ କୁହାଯାଉଥିବାବେଳେ ସ୍ୱସ୍ଥ୍ୟ ବିଭାଗ ଦେଉନଥିବା ଅଭିଯୋଗ ହୋଇଛି । କେବଳ କୋଭିଡ୍ ଟିକା ନୁହେଁ ଗାଁ ବସିବା ଦିନରୁ ଏପର୍ଯ୍ୟନ୍ତ ପୋଲିଓ ହେଉ କି, ହେପାଟାଇଟିସ, କୌଣସି ବି ପ୍ରତିଷେଧକ ଟିକା ଦିଆଯାଇନଥିବା ଅଭିଯୋଗ ହୋଇଛି ।

କିଛି ମହିଳାଙ୍କୁ ମମତା ଯୋଜନାରେ କାର୍ଡ ଦିଆଯାଇଥିଲେ ବି ସେଥିରେ କାହାର ନାଁ ଲେଖାଯାଇନଥିବା ଦେଖିବାକୁ ମିଳିଛି । ଏହି ଗାଁରେ ୩୦ଟି କୁଟିଆ କନ୍ଧ ପରିବାର ବାସ କରନ୍ତି । ପଂଚାୟତ ମୁଖ୍ୟାଳୟଠାରୁ ୧୬ କିଲୋମିଟର ଦୂରରେ ରହିଛି ଏହି ଗାଁ । କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଗାଁକୁ କୌଣସି ଗାଡି କି ଆମ୍ବୁଲାନ୍ସ ଯାଇପାରେନି । ତେଣୁ ଚିକିତ୍ସା ପାଇଁ ରୋଗୀ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଦୀର୍ଘ ୮ କିଲୋମିଟର ଖଟିଆରେ ବୋହି ମୁଖ୍ୟ ରାସ୍ତାକୁ ଆସିବାକୁ ପଡିଥାଏ ବୋଲି କ୍ଷୋଭର ସହ କହିଛନ୍ତି ଗ୍ରାମବାସୀ ।