କୋରେଇରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା । ପ୍ଲାଟଫର୍ମ ଉପରକୁ ଚଢ଼ିଗଲା ଲାଇନଚ୍ୟୁତ ବଗି । ୩ ମୃତ, ୪ରୁ ଅଧିକ ଆହତ

232

କନକ ବ୍ୟୁରୋ: ଯାଜପୁର କୋରେଇ ମାଲବାହୀ ଟ୍ରେନ ଦୁର୍ଘଟଣା ସମସ୍ତଙ୍କୁ କିଛି ସମୟ ପାଇଁ ସ୍ତବ୍ଧ କରିଦେଇଛି । ଦ୍ରୁତ ବେଗରେ ଯାଉଥିବା ମାଲଗାଡି ଟ୍ରେନର ହଠାତ୍ ୮ଟି ବଗି ଲାଇନଚ୍ୟୁତ ହୋଇ ପ୍ଲାଟ୍ଫର୍ମ ଓ ଟିକେଟ୍ କାଉଣ୍ଟର ଉପରକୁ ମାଡି ଯାଇଛି, ଆଉ ଆଖି ପିଛୁଳାକେ ଚାଲିଯାଇଛି ୩ଜଣଙ୍କ ଜୀବନ । ଆଜି ସକାଳ ୬ଟା ୪୪ ମିନିଟ୍ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ତେବେ କିଭଳି ଓ କାହିଁକି ଏତେ ବଡ ଦୁର୍ଘଟଣା ଘଟିଲା, ଏହାର କାରଣ ଖୋଜିବାକୁ ଘଟଣାସ୍ଥଳରେ ପହଞ୍ଚିଛି ତଦନ୍ତକାରୀ ଟିମ୍ ।

  • ସମୟ: ପ୍ରାୟ ୬ଟା ୪୫
  • ସ୍ଥାନ: କୋରେଇ, ଯାଜପୁର

ଭୁବନେଶ୍ୱର ଅଭିମୁଖେ ମାଡ଼ି ଆସୁଥିଲା ମାଲବାହୀ ଟ୍ରେନ । ହଠାତ୍ ଟ୍ରେନରୁ ଛିଡ଼ି ପଡିଥିଲା ୮ଟି ବଗି । ପ୍ରଚଣ୍ଡ ବିସ୍ଫୋରଣରେ କମ୍ପି ଉଠିଥିଲା ପୂରା ଅଞ୍ଚଳ । ଆଉ ତା’ପରର ଦୃଶ୍ୟ ଥିଲା ଛାତି ଥରାଇ ଦେବା ଭଳି । ଇଞ୍ଜିନ ସହ ଲାଗିଥିବା କିଛି ବଗି ଆଗକୁ ଚାଲି ଯାଇଥିବା ବେଳେ ଲାଇନଚ୍ୟୁତ ହୋଇଥିବା ବଗି ଉପରକୁ ଉଠି ପ୍ଲାଟଫର୍ମ ଆଡକୁ ମାଡ଼ି ଯାଇଥିଲା । ପ୍ରତ୍ୟକ୍ଷଦର୍ଶୀ ଯାହା କହିଛନ୍ତି, ତାହା ହୋସ ଉଡାଇଦେବା ଭଳି । ୫୪ଟି ବଗି ଧରି ଯେତିକି ଦ୍ରୁତ ଗତିରେ ଟ୍ରେନ ଆସୁଥିଲା, ସେତିକି ସ୍ପିଡରେ ଉପରକୁ ଉଠି ଯାଇଥିଲା ଲାଇନଚ୍ୟୁତ ହୋଇଥିବା ୮ଟି ବଗି । ଫୁଟ ଓଭର ବ୍ରିଜ, ଟିକେଟ କାଉଣ୍ଟର ଉପରେ ଚଢ଼ିଯାଇଥିଲା ଏବଂ ଯାତ୍ରୀ ବିଶ୍ରାମାଗାର ଉପରେ ମାଡ଼ିଯାଇଥିଲା ।

ଆଉ କିଛି ସମୟ ଭିତରେ ଡିଏମୟୁ ଆସି ଲାଗିଥାନ୍ତା ପ୍ଲାଟଫର୍ମରେ । ସକାଳୁ ସକାଳୁ ଯାତ୍ରୀମାନେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଅପେକ୍ଷା କରିଥିଲେ । ସେମାନଙ୍କୁ ଜଣାନଥିଲା ମୃତ୍ୟୁଦୂତ ଭଳି ମାଡ଼ିଆସୁଛି ଲୌହଦାନବ । କେହି କିଛି ବୁଝିବା ପୂର୍ବରୁ ଘଟିଗଲା ଦୁର୍ଘଟଣା । ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତମାନଙ୍କୁ କୋରେଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

  • କାହିଁକି ହେଲା ଦୁର୍ଘଟଣା?
  • କାହାର ଭୁଲ ଯୋଗୁଁ ଅକାଳରେ ଚାଲିଗଲା ଜୀବନ?

ଦୁର୍ଘଟଣାର ସମ୍ଭାବ୍ୟ କାରଣ ଉପରେ ନଜର ପକାନ୍ତୁ….

  • ବଗିର ସଂଯୋଗ ଦୁର୍ବଳ ଥିଲା
  • ଟ୍ରେନ ଲାଇନରେ ସମସ୍ୟା ରହିଥିଲା
  • ବଗିର କବାଟ ଠିକ ଭାବେ ବନ୍ଦ ହୋଇନଥିଲା
  • କବାଟ ଖୋଲିଯିବାରୁ ପ୍ଲାଟଫର୍ମ କାନ୍ଥରେ ପିଟି ହୋଇ ବଗି ଲାଇନଚ୍ୟୁତ ହୋଇଥିଲା

କାହିଁକି ଦୁର୍ଘଟଣା ହେଲା, ଏ ନେଇ କିଛି ସ୍ପଷ୍ଟ କରିନାହାନ୍ତି କର୍ତ୍ତୃପକ୍ଷ । ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୨ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛି ରେଳବାଇ । ଦୁର୍ଘଟଣା ପରେ ଏହି ରୁଟରେ ଯିବାକୁ ଥିବା ଟ୍ରେନକୁ ବାତିଲ କରାଯାଇଥିଲା । ତେବେ ରେଳ ଲାଇନ୍ ସଫା କରିବା ସହ ଲାଇନଚ୍ୟୁତ ବଗିକୁ ଉଠାଇବାକୁ ନୟାନ୍ତ ହେବାକୁ ପଡ଼ିଥିଲା । ଘଟଣାସ୍ଥଳରେ ପହଁଚି ଦୁର୍ଘଟଣାର କାରଣ ଖୋଜୁଛି ତଦନ୍ତକାରୀ ଟିମ୍ ।