ମୃତ୍ୟୁ ଆସେ ଏମିତି….ଚିକିତ୍ସା ପାଇଁ ଯାଉଥିଲେ ଶବ ହୋଇ ଫେରିଲେ । କୋରେଇ ଟ୍ରେନ୍ ଦୁର୍ଘଟଣାରେ ଚାଲିଗଲା ମାଆ ଝିଅଙ୍କ ଜୀବନ । 

1,010

କନକ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ !  ଆଜି ସକାଳେ କଟକ ଯିବା ପାଇଁ ଯାଜପୁର କୋରେଇ ଷ୍ଟେସନରେ ଟିକେଟ୍ କାଟି ପ୍ଲାଟଫର୍ମରେ ଅପେକ୍ଷା କରିଥିଲେ ଟ୍ରେନ୍ ପାଇଁ । ହେଲେ କିଏ ଜାଣିଥିଲା ମୃତ୍ୟୁ ଯେ, ବାଟ ଜଗିଛି । ହଠାତ୍ ମାଲ ଗାଡି ଟ୍ରେନର ୮ଟି ବଗି ଲାଇନ୍ ଚ୍ୟୁତ ହୋଇ ମାଡି ଆସିଲା ପ୍ଲାଟଫର୍ମ ଉପରକୁ, ଆଉ ଦଳିଦେଇଥିଲା ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ।

ଅବିଜୁଲ ବିବି, ପାର୍ବତୀ ବିନ୍ଧାଣୀ, କଣ୍ଢେଇ ବିନ୍ଧାଣୀ । ଏ ହେଉଛନ୍ତି ଯାଜପୁରର କୋରେଇ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥବା ୨ ମହିଳା ଓ ଜଣେ ଝିଅ । ମାଲବାହୀ ଟ୍ରେନ ଦୁର୍ଘଟଣାରେ ଏମାନଙ୍କ ଅକାଳରେ ଚାଲିଯାଇଛି ଜୀବନ ।  କଟକ ଯିବା ପାଇଁ ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରିଥିବାବେଳେ ଦୁର୍ଘଟଣା ଘଟିଥିଲା ଓ ୩ ଜଣଙ୍କ ପ୍ରାଣବାୟୁ ଉଡିଯାଇଥିଲା ।

  • ମୃତ୍ୟୁ ଆସେ ଏମିତି..
  • ଚିକିତ୍ସା ପାଇଁ ଯାଉଥିଲେ ଶବ ହୋଇ ଫେରିଲେ 

ଟ୍ରେନ ଦୁର୍ଘଟଣାରେ ଯାଇଛି ମାଆ ପାର୍ବତୀ ବିନ୍ଧାଣୀ ଓ ଝିଅ କଣ୍ଢେଇ ବିନ୍ଧାଣୀଙ୍କ ଜୀବନ । ପାର୍ବତୀ ବିନ୍ଧାଣୀ ନିଜ ଝିଅ କଣ୍ଢେଇ ବିନ୍ଧାଣୀର ଚିକିତ୍ସା ପାଇଁ  କଟକ ବଡ ମେଡିକାଲକୁ ଯିବା ପାଇଁ ନିଜ ଗାଁ କୁଚିଣ୍ଡାରୁ ଭୋରରୁ  ବାହାରିଥିଲେ । କିନ୍ତୁ କିଏ ଜାଣିଥିଲା ତାଙ୍କର ଏହି ଯାତ୍ରା ଶେଷ ଯାତ୍ରା ହେବ ବୋଲି ।  ଏମାନଙ୍କ ସହ କଣ୍ଢେଇଙ୍କ ସ୍ୱାମୀ ବଳରାମ ଓ ଛୋଟ ଶିଶୁ ବିଶ୍ୱଜିତ ବି ଥିଲେ  । ସ୍ତ୍ରୀଙ୍କ ପାଇଁ ଚାହା ଆଣିବାକୁ ଯାଇଥିଲେ ବଳରାମ । କିନ୍ତୁ ମାଲଗାଡି ଲାଇନଚ୍ୟୁତ ହୋଇ ପ୍ଲାଟଫର୍ମ ଉପରକୁ ଚଢିଯାଇଥିଲା ଓ ପ୍ରାଣ ହରାଇଥିଲେ ପାର୍ବତୀ ଓ କଣ୍ଢେଇ ।

  • ଦୁର୍ଘଟଣାରେ ଆଉ ଏକ ଯନ୍ତ୍ରଣାଦାୟକ ମୃତ୍ୟୁ
  • ଔଷଧ ଆଣିବାକୁ ଯାଉଥିଲେ, ପ୍ଲାଟଫର୍ମରେ ଚାଲିଗଲା ଜୀବନ

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅବିଜୁଲ ବିବିଙ୍କ ମୃତ୍ୟୁ ଆହୁରି ଯନ୍ତ୍ରଣାଦାୟକ ଥିଲା ।  ଅବିଜୁଲଙ୍କ ଘର କୋରେଇ ବ୍ଲକର ଫୈଜଲପୁର ଗାଁରେ  ।  ସେ ତାଙ୍କ ଭିନ୍ନକ୍ଷମ ସ୍ୱାମୀଙ୍କ ପାଇଁ ଔଷଧ ଆଣିବାକୁ କଟକ ଯାଉଥିଲେ ।  କଟକ ଯିବା ପାଇଁ ଟ୍ରେନକୁ ଅପେକ୍ଷା କରିଥିବାବେଳେ ଦୁର୍ଘଟଣା ଘଟିଥିଲା । ଟ୍ରେନ ପ୍ଲାଟଫର୍ମ ଉପରକୁ ଚଢିଯାଇଥିଲା ଓ ଏହାପରେ ଟିକେଟ କାଉଣ୍ଟର ଏବଂ ୱେଟିଂ ହଲକୁ ମାଡିଯାଇଥିଲା । ଘଟଣାସ୍ଥଳରେ ହିଁ ସେ ପ୍ରାଣ ହରାଇଥିଲେ ।

ଟ୍ରେନ ଦୁର୍ଘଟଣାରେ କିନ୍ତୁ ଅନେକଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଛି । ଆହତମାନଙ୍କ ଚିକିତ୍ସା ଚାଲିଛି । ମାଲବାହୀ ଟ୍ରେନ ଦୁର୍ଘଟଣାର କାରଣ ବି ଖୋଜା ଚାଲିଛି ।