ସ୍କୁଟି ଚାଳକଙ୍କୁ ୨୬ହଜାର ଫାଇନ୍ : ନାବାଳକଙ୍କୁ ବାଇକ୍ ଚଳାଇବା ଉପରେ କଟକଣା ରହିଥିବାରୁ କଟିଲା ଚାଲାଣ

104

କନକ ବ୍ୟୁରୋ : ସ୍କୁଟି ଚଳାଉଥିବା ନାବାଳକଙ୍କ ଉପରେ ମୋଟର ଆଇନ ଉଲଂଘନ ଅଭିଯୋଗରେ ୨୬ ହଜାର ଟଙ୍କା ଜରିମାନା ଚାଲଣ କଟାଯାଇଛି । ସମ୍ବଲପୁର ଜିଲ୍ଲା ସମଲେଶ୍ୱରୀ ମନ୍ଦିର ଛକଠାରେ ଜଣେ ନାବାଳକ ସ୍କୁଟି ଚଳାଇ ଯାଉଥିବା ବେଳେ ଏମଭିଆଇ ଚେକିଂରେ ଧରାପଡିଛନ୍ତି । ଦୁଇ ଜଣ ନାବାଳକ ସ୍କୁଟି ନେଇ କଲେଜକୁ ଆସୁଥିଲେ । ଉଭୟ ଚାଳକ ଓ ପଛରେ ବସିଥିବା ନାବାଳକ କେହି ହେଲମେଟ ପିନ୍ଧିନଥିଲେ । ଚେକିଂରେ ଧରାପଡ଼ିବା ପରେ ୨୬ ହଜାର ଟଙ୍କା ଜରିମାନା ଲଗାଯାଇଛି । ଗାଡ଼ି ଚାଳକଙ୍କ ମାଆଙ୍କ ନାଁରେ ସ୍କୁଟି ରହିଥିବା ଜଣାପଡିଛି ।

ସେପଟେ ୧୩ ବର୍ଷର ସ୍କୁଲ ଛାତ୍ର ଜଣକ ଏକ ବାଇକ୍‌ରେ ଅନ୍ୟ ଦୁଇ ଜଣଙ୍କୁ ବସାଇ ପରମାଣପୁର ଆଡ଼କୁ ଯିବା ବେଳେ ପରିବହନ ବିଭାଗର ମୋବାଇଲ ଟିମ୍ ହାବୁଡ଼ରେ ପଡ଼ି ଯାଇଥି‌ଲେ । ସେ ହେଲ୍‌ମେଟ୍ ପିନ୍ଧିନଥିଲେ କି ବାଇକ୍‌ର ଇନ୍‌ସ୍ୟୁରାନ୍ସ ମଧ୍ୟ ନଥିଲା । ନାବାଳକମାନଙ୍କୁ ବାଇକ୍ ଚଳାଇବା ଉପରେ କଟକଣା ରହିଥିବାରୁ ତାଙ୍କୁ ୨୫ ହଜାର ଟଙ୍କା, ଗୋଟିଏ ବାଇକ୍‌ରେ ଦୁଇରୁ ଅଧିକ ଜଣ ବ୍ୟକ୍ତି ଯାଉଥିବାରୁ ହଜାରେ ଟଙ୍କା, ହେଲ୍‌ମେଟ୍ ପିନ୍ଧିନଥିବାରୁ ହଜାରେ ଟଙ୍କା ଏବଂ ଗାଡ଼ି ବୀମାଭୁକ୍ତ ହୋଇନଥିବାରୁ ୨ ହଜାର ଟଙ୍କା ଜରିମାନା କରାଯାଇଛି। ସମ୍ବଲପୁର‌ରେ ଏଭଳି ଘଟଣା ନୂଆ ନୁହେଁ । ଆଗରୁ ବି ଅନେକ ଥର ଏଭଳି ବାଇକ୍ ଚଳାଇବା ବେଳେ ନାବାଳକମାନେ ଧରାପଡ଼ି ଜରିମାନା ଗଣିଛନ୍ତି ।