କଟକ ଯୋବ୍ରା ନିକଟ ମହାନଦୀରେ ବୁଡିଗଲେ ତିନି ନାବାଳକ: ଜଣେ ମୃତ, ଏବେ ବି ୨ ଜଣ ନିଖୋଜ

164

କନକ ବ୍ୟୁରୋ: ପୁଣି ମହାନଦୀରେ ଅଘଟଣ । ଗାଧୋଇବାକୁ ଆସି ଗୋଡ ଖସିଯିବାରୁ ତିନି ଜଣ ନଦୀରେ ବୁଡିଯାଇଥିଲେ । ବହୁ ଖୋଜାଖୋଜି ପରେ ସାହିଲ୍ ଖାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ଅନ୍ୟ ଦୁଇ ଜଣ ଆୟୁର ଏବଂ ରାଜଙ୍କୁ ଖୋଜି ଚାଲିଛି । ଉଦ୍ଧାର ପାଇଁ ଓଡ୍ରାଫ ଟିମ୍ ଓ ଅଗି୍ନଶମବାହିନୀ ଜୋରଦାର ଉଦ୍ୟମ କରୁଛନ୍ତି ।

ଯୋବ୍ରା ଚୂନଭାଟି ଅଂଚଳର ସାହିଲ, ଆୟୁର ଏବଂ ରାଜ ଗାଧୋଇବାକୁ ଆସିଥିଲେ । ହସଖୁସିରେ ଏକାଠି ତିନି ସାଙ୍ଗ ଗାଧୋଇବାକୁ ଆସିଥିଲେ, ହେଲେ ଜାଣିନଥିଲେ ଏକ ଦୁର୍ଘଟଣା ସେମାନଙ୍କୁ ଅପେକ୍ଷା କରିରହିଛି । ମହାନଦୀରେ ଗାଧୋଇବା ବେଳେ ସୁଅ ମୁହଁରେ ପଡି ଯାଇଥିଲେ ଏମାନେ । ଚାହୁଁ ଚାହୁଁ ନଦୀ ଭିତରକୁ ଚାଲି ଯାଇଥିଲେ । ବହୁ ଖୋଜାଖୋଜି ପରେ ସାହିଲ୍ ଖାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । କଟକ ବଡମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ଏକ ଗ୍ୟାରେଜରେ ଓଲଡିଂ ହେଲପର ଭାବେ କାମ କରୁଥିଲେ ।

ତିନି ସାଙ୍ଗ ନଦୀ ଭିତରକୁ ଗାଧୋଇବାକୁ ପଶିବା ବେଳେ ଚୋରା ବାଲିରେ ଏମାନେ ଫଶି ଯାଇଥିବା କୁହାଯାଉଛି । ନଦୀରେ ବିଭିନ୍ନ ସ୍ଥାନରେ ଗଣ୍ଡ ଥିବାରୁ ଆଉ ବାହାରିବା ସମ୍ଭବ ହୋଇନଥିଲା । ଅକାତ ପାଣିରେ ବୁଡିଯାଇଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଉଦ୍ଧାର ପାଇଁ ଓଡ୍ରାଫ ଟିମ୍ ଓ ଅଗି୍ନଶମବାହିନୀ ଜୋରଦାର ଉଦ୍ୟମ କରିଛନ୍ତି । ବୋଟ ଓ ସ୍କୁବା ଡାଇଭର ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଅସାବଧାନତା ଯୋଗୁଁ ପୁଣିଥରେ ଚାଲିଯାଇଛି ଅମୂଲ୍ୟ ଜୀବନ ।