ଭୁବନେଶ୍ୱର ଝାରପଡ଼ା ହାଟ ଭଙ୍ଗା ଘଟଣା । ବିନା ନୋଟିସରେ କାହିଁକି ଭାଙ୍ଗିଲା ବିଏମସି, ଥାନାରେ ପହଞ୍ଚିଲେ ବିଜେପି ଓ କଂଗ୍ରେସ ।

132

କନକ ବ୍ୟୁରୋ : ଭୁବନେଶ୍ୱର ସ୍ଥିତ ଝାରପଡ଼ା ହାଟ ଭଙ୍ଗା ଘଟଣାକୁ ନେଇ ତେଜିଲା ରାଜନୀତି । ବିନା ନୋଟିସରେ ବିଏମସି କାହିଁକି ହାଟ ଭାଙ୍ଗିଲା ସେ ନେଇ ବିରୋଧୀ ବିଜେପି ଏବଂ କଂଗ୍ରେସ ପ୍ରଶ୍ନ କରିଛନ୍ତି । ଏଥିସହ ଯେଉଁମାନଙ୍କର ଦୋକାନ ଭାଙ୍ଗିଛି ସେମାନଙ୍କୁ ଥଇଥାନ କରିବା ସହିତ କ୍ଷତିପୂରଣ ଦେବାକୁ ଦାବି ହୋଇଛି ।

ବିଏମସି ବୁଲଡୋଜରରେ ମାଟିରେ ମିଶିଯାଇଛି ସ୍ୱପ୍ନ । ଆତ୍ମନିର୍ଭର ହେବା ପାଇଁ ଭୁବନେଶ୍ୱର ଝାରପଡ଼ା ଗଣେଶ ମଣ୍ଡପ ହାଟରେ ଦୋକାନ ଦେଇଥିଲେ ଦୋଳନ ଦାସ । ୫ ବର୍ଷ ହେବ ସବୁକିଛି ଠିକଠାକ୍ ଚାଲିଥିଲା । ଏବେ ସବୁ ସ୍ୱପ୍ନ ଧୁଳିସାତ ହୋଇଯାଇଛି । ବହୁ କଷ୍ଟର ଧାର ଉଦ୍ଧାର କରି ଦୋକାନ ଛିଡ଼ା କରିଥିଲେ, ଅଚାନକ ବିଏମସି ଭାଙ୍ଗି ଦେଇଥିବାରୁ ସବୁ ନଷ୍ଟ ହୋଇଯାଇଛି । ପେଟକୁ ଦାନା ଯୋଗାଉଥିବା ଦୋକାନ ଭାଙ୍ଗି ଯିବା ପରେ ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଛନ୍ତି ଦୋଳନ ।

ଝାରପଡ଼ା ହାଟ ଭଙ୍ଗାକୁ ନେଇ ରାଜନୀତି ଜୋର ଧରିଛି । ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି ବିଜେପି ଓ କଂଗ୍ରେସ ପ୍ରତିନିଧି ଦଳ । ସରକାରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ ଓ କଂଗ୍ରେସ ନେତ୍ରୀ ମଧୁସ୍ମିତା ଆଚାର୍ଯ୍ୟ । କ୍ଷତିପୂରଣ ଦାବି କରି ଲକ୍ଷ୍ମୀସାଗର ଥାନା ଅଧିକାରୀଙ୍କୁ ଦାବିପତ୍ର ଦେଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ଓ ବିଡିଏ ଜୁଲମ କରୁଥିବା ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ ବ୍ରବସାୟୀ । ତୁରନ୍ତ କ୍ଷତିପୂରଣ ଓ ଥଇଥାନ ନକଲେ ଆନ୍ଦୋଳନ ତୀବ୍ର ହେବ ବୋଲି କହିଛି ବିଜେପି । ମେୟର ଘଟଣାସ୍ଥଳକୁ ଯାଇ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ । ଅନ୍ୟପଟେ ହାଟ ଭାଙ୍ଗିଗଲା ପରେ ଭାଗ୍ୟକୁ ଆଦରି ଏବେ ରାସ୍ତା ଉପରେ ବ୍ୟବସାୟ କରିବାକୁ ବାଧ୍ୟ ହୋଇଛନ୍ତି ବ୍ୟବସାୟୀ ।