ରାମ ପାଲଟିଛନ୍ତି କି ରାଜନୀତିର ମାଧ୍ୟମ ? ମହାତ୍ମା ଗାନ୍ଧୀଙ୍କ ରାମ ରାଜ୍ୟ ଠାରୁ ବିଜେପିର ରାମ ମନ୍ଦିର ପର୍ଯ୍ୟନ୍ତ ଲମ୍ବିଛି କାହାଣୀ ।

164

କନକ ବ୍ୟୁରୋ : ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମ କୋଟି କୋଟି ହିନ୍ଦୁଙ୍କର ଆରାଧ୍ୟ ଦେବତା । ଫଳରେ ରାମଙ୍କ ନାମ ପ୍ରତି ଏମାନଙ୍କର ବିଶେଷ ଆକର୍ଷଣ ରହିଛି, ଆଉ ଏହାକୁ ବ୍ୟବହାର କରି ରାମଙ୍କ ନାମ ନେଇ ରାଜନୀତିର ରୁଟି ସେକିବାକୁ ଚେଷ୍ଟା କରିଆସିଛନ୍ତି ରାଜନୈତିକ ଦଳମାନେ । ଏବେ ମଧ୍ୟ ସେହି ଧାରା ଜାରି ରହିଛି ।

ରାଜନୀତିରେ ରାମ । ରାମ ପାଲଟିଛନ୍ତି କି ରାଜନୀତିର ମାଧ୍ୟମ ? ମହାତ୍ମା ଗାନ୍ଧୀଙ୍କ ରାମ ରାଜ୍ୟର ପରିକଳ୍ପନା, ରାଜନୀତିର ରଙ୍ଗ ବଦଳାଇ ପାରିନଥିଲା । କିନ୍ତୁ ୧୯୯୦ରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଦାବି କରି ଲାଲକୃଷ୍ଣ ଆଡଭାନୀ ଯେତେବେଳେ ରଥଯାତ୍ରା ଆରମ୍ଭ କଲେ, ସେତେବେଳେ ଏହା ଭାରତୀୟ ରାଜନୀତିରେ ପ୍ରମୁଖ ପ୍ରସଙ୍ଗ ପାଲଟି ଯାଇଥିଲା । ଏହାପରେ ଯାହା ସବୁ ଘଟିଥିଲା, ତାହାକୁ ନେଇ ଘୁରି ବୁଲିଥିଲା ଦେଶର ରାଜନୀତି । ନିର୍ବାଚନ ଇସ୍ତାହାରରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲା ବିଜେପି । କ୍ଷମତାକୁ ଆସିବା ସହ ଘଟଣା କ୍ରମରେ ଦେଶର ସବୁଠୁ ବଡ଼ ରାଜନୈତିକ ଦଳ ଭାବେ ପ୍ରତିଷ୍ଠିତ ହୋଇଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଦିଓ ବିକାଶକୁ ପ୍ରମୁଖ ପ୍ରସଙ୍ଗ କରିଛନ୍ତି, କିନ୍ତୁ ରାମ ଏବେ ମଧ୍ୟ ବିଜେପିର ଏଜେଣ୍ଡା ଭିତରେ ରହିଛି ।

ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ମନରେ ପ୍ରଭୁ ଶ୍ରୀରାମଙ୍କ ପ୍ରତି ଗଭୀର ଶ୍ରଦ୍ଧା ଓ ଭକ୍ତି ରହିଆସିଛି । ପୁରାଣରେ ବର୍ଣ୍ଣିତ ରାଜା ରାମଙ୍କ ଆଦର୍ଶ, ଶାସନ ଶୈଳୀ, ତ୍ୟାଗପୁତ ଜୀବନ ଆଜି ମଧ୍ୟ ପ୍ରାସଙ୍ଗିକତା ରଖିଛି । ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମଙ୍କୁ ବିଜେପି ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ବ୍ୟବହାର କରୁଥିବା ବିରୋଧୀ ଦଳ ଅଭିଯୋଗ କରିଆସୁଛି । ବିଭକ୍ତିକରଣ ରାଜନୀତିର ଆରୋପ ଲଗାଇ ଆସିଛି । ନିର୍ବାଚନ ଆସିଲା ମାତ୍ରେ ରାମଙ୍କୁ ନେଇ ରାଜନୀତି ହୋଇଥାଏ ଭାରତରେ ।