ଚର୍ଚ୍ଚାରେ ଗଜପତି ଜିଲ୍ଲା ମୋହନାର ମାଛ କାହାଣୀ: ବନ୍ୟା ପାଣିରେ ଭାସିଗଲେ ହଜାର ହଜାର କିଲୋ ମାଛ

117

କନକ ବ୍ୟୁରୋ: ଗୋଟିଏ ଝଟକାରେ ଚାଲିଗଲା ବର୍ଷ ଯାକର ପରିଶ୍ରମ । ପ୍ରାୟ ୨ଶହ ମତ୍ସ୍ୟଜୀବୀ ଏବେ ଅନ୍ଧାରରେ । କାରଣ ଜଳଭଣ୍ଡାରର ଗେଟ୍ ଖୋଲି ଦେବାରୁ ଭାସିଗଲେ ହଜାର ହଜାର କିଲୋ ମାଛ । ଆମେ କହୁଛୁ ଗଜପତି ଜିଲ୍ଲା ମୋହନା ବ୍ଲକର ହରଭଙ୍ଗୀ ଜଳଭଣ୍ଡାର କଥା । ଗତ କିଛିଦିନ ହେଲା ଲଗାଣ ବର୍ଷା ଫଳରେ ଜଳଭଣ୍ଡାରରେ ବଢିବାକୁ ଲାଗିଥିଲା ଜଳସ୍ତର । ଆଉ ଜଳ ପରିଚାଳନା ପାଇଁ ମୋଟ ୮ଟି ଗେଟ୍ରୁ ୨ଟି ଗେଟ୍ ଜଳ ନିଷ୍କାସନ କରିବାକୁ ବାଧ୍ୟ ହୋଇଥିଲେ କର୍ତୃପକ୍ଷ । ଏ ହେଉଛି ସେ ଡ୍ୟାମ୍ର ଦୃଶ୍ୟ ଓ ଏହା ଉପରେ ନିର୍ଭର କରୁଥିବା ମତ୍ସଜୀବୀଙ୍କର ଚିତ୍ର । ଘଂଟା ଘଂଟା ଜଳଭଣ୍ଡାରରେ ଜାଲ ଧରି ମାଛ ମାରିବା ପରେ ଖାଲି ହାତରେ ଫେରିବାକୁ ପଡୁଛି ।

ବଡକଥା ହେଉଛି ଆଦିବାସୀ ସମ୍ପ୍ରଦାୟର ଏହି ମତ୍ସ୍ୟଜୀବୀମାନେ ଏକ ସୋସାଇଟି କରି ବର୍ଷ ବର୍ଷ ଧରି ଡ୍ୟାମ୍ରେ ମାଛ ଚାଷ କରି ଆସୁଛନ୍ତି । ଏଥିପାଇଁ କିଛି ସରକାରୀ ପ୍ରୋତ୍ସାହନ ମଧ୍ୟ ମିଳୁଛି । ହେଲେ ଜୀବନ ଜିବିକା କହିଲେ କେବଳ ମାଛ ମାରିବା । ବନ୍ୟା ଜଳରେ ମାଛ ଭାସିଯିବା ପରେ କେବଳ ଏହି ହରଭଙ୍ଗୀ ଜଳଭଣ୍ଡାର ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀଙ୍କର କଣ ହେବ ତାହା କୁ ନେଇ ଚିନ୍ତାରେ ।