ସମର୍ଥନ କରିବା ଅର୍ଥ ନୁହେଁ ବିଜେଡି ଏନଡିଏର ଅଂଶ । ବିଜେଡିର ସ୍ୱତନ୍ତ୍ରତା ରହିଛି, ରାଜ୍ୟର ହକ୍ ପାଇଁ ନିଷ୍ପତ୍ତି ନବୀନ ନିଅନ୍ତି : ଦେବୀପ୍ରସାଦ ମିଶ୍ର ।

157

କନକ ବ୍ୟୁରୋ : ଏନଡିଏରେ ବିଜେଡିକୁ ସାମିଲ ପାଇଁ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଅଫର ଦେବା ପରେ ବିଜେଡି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେଡିର ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଅଠାୱାଲୋ ମଜାରେ ମଜାରେ ଅନେକ କଥା କୁହନ୍ତି । କହୁ କହୁ କହି ଦେଇଥିବେ । ଏକଥା କହିବାକୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ପ୍ରାଧିକୃତ କରିଥିବେ ସେକଥା ମୁଁ ଜାଣିନାହିଁ ।

ବିଜେଡି ଦଳର ନିଜର ସ୍ୱତନ୍ତ୍ରତା ରହିଛି । ଆଞ୍ଚଳିକ ଦଳର ନେତା ଭାବେ ସବୁ ନିଷ୍ପତ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ନିଅନ୍ତି । ସେ ହିଁ ସବୁ ସବୁ ନିର୍ଦ୍ଧାରଣ କରିବେ । ଏହାଛଡ଼ା ସମର୍ଥନ ପ୍ରସଙ୍ଗକୁ ନେଇ ଦେବୀ ପ୍ରସାଦ କହିଛନ୍ତି, ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ହକ ପାଇଁ ଉଚିତ୍ ବିଲକୁ ସମର୍ଥନ କରିଛି ବିଜେଡି। ଏହା ମାନେ ନୁହେଁ ବିଜେଡ଼ି ଏନଡିଏର ଅଂଶ। ଅତୀତରେ ଅଂଶ ଥିଲୁ। କିନ୍ତୁ କେନ୍ଦ୍ରରେ ଏନଡିଏରେ ସରକାର ଅଛି। ତେଣୁ ସଂଘୀୟ ବ୍ୟବସ୍ଥାରେ ଯେମିତି ସମ୍ପର୍କ ରହିବା କଥା ଓ ଯେଉଁଟା କରଣୀୟ ତାହା ବିଚାର ବିମର୍ଶ କରୁଛି ବିଜେଡି।

କେନ୍ଦ୍ରରେ କଂଗ୍ରେସ ସରକାର ଥିବା ବେଳେ ଅନ୍ୟ ବିରୋଧୀମାନେ କହୁଥିଲେ। ଆମର ମେଣ୍ଟ ବିକାଶ ପାଇଁ। ମେଣ୍ଟ ବିସର୍ଜନ ପାଇଁ ନୁହେଁ। କୌଣସି ବିଧିବଦ୍ଧ ମେଣ୍ଟ ନୁହେଁ। ଆଞ୍ଚଳିକ ଦଳ ଭାବେ ବିଜେଡି ଜାତୀୟ ଦଳ ଠାରୁ ଦୂରତା ରଖି ଆସିଛି। ସତ କଣ ତାହା ପୂରା ଓଡ଼ିଶାବାସୀ ଜାଣିଛନ୍ତି । ବିରୋଧୀ ମାନେ ଅଭିଯୋଗ କରିବେ, ରାଜନୀତିରେ ବାଦିପାଲା ଚାଲିବ। ଏଥିରେ କିଛି ନୂତନତ୍ୱ ନାହିଁ ।

ଏହାପୂର୍ବରୁ ଗତକାଲି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଓଡ଼ିଶା ଗସ୍ତରେ ଆସି ଯେଉଁ ବୟାନ ଦେଇଥିଲେ ତାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା । ଏନଡିଏରେ ନବୀନ ସାମିଲ ହୁଅନ୍ତୁ ବୋଲି କହିଥିଲେ ଅଠାୱାଲେ । ଏପରିକି ଉଭୟ ରାଜ୍ୟସଭା ଓ ଲୋକସଭାରେ ବିଭିନ୍ନ ବିଲ୍ ପାରିତ ସମୟରେ ଏନଡିଏରେ ନଥାଇ ସୁଦ୍ଧା ନବୀନ ସମର୍ଥନ ଦେଇ ଆସୁଥିବା କହିଥିଲେ ଅଠାୱାଲେ । ତେଣୁ ଆଗକୁ ଏନଡିଏକୁ ଆସିଲେ ଭଲ ଫାଇଦାରେ ରହିବା ସହ ଓଡ଼ିଶାକୁ ଅଧିକ ଅନୁଦାନ ମିଳିବ ବୋଲି କହିଥିଲେ ଅଠାୱାଲେ । ଯାହାକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି ।