ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କଲା ବିଜେଡି । ୧୫ ଲୋକସଭା ଓ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ।

364

କନକ ବ୍ୟୁରୋ: ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ପ୍ରଥମ ପର୍ଯ୍ୟାୟରେ ମୋଟ ୭୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ବିଜେପି ଓ କଂଗ୍ରେସ ବର୍ତମାନ ସୁଦ୍ଧା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ପାଖାପାଖି ଅଧା ଆସନରେ ପ୍ରାର୍ଥୀ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ବିଜେଡି ସୁପ୍ରିମୋ ।

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ପ୍ରମିଳା ମଲ୍ଲିକ ଓ ୧୪ ଜଣ ମନ୍ତ୍ରୀଙ୍କ ନାଁ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତାର ଷଷ୍ଠଥର ପାଇଁ ହିଞ୍ଜିଳରୁ ନିର୍ବାଚନ ଲଢିବେ । ତେବେ ପ୍ରଥମ ପର୍ଯ୍ୟାୟ ତାଲିକାରେ ଚିକିଟିରୁ ମନ୍ତ୍ରୀ ଉଷାଦେବୀଙ୍କ ଟିକେଟ କଟିଛି । ଏଠାରୁ ଉଷାଦେବୀଙ୍କ ପୁଅ ବିଜେଡି ଟିକେଟରେ ନିର୍ବାଚନ ଲଢିବେ ।

ସେହିପରି ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେଡି ଦୁଇଟି ପର୍ଯ୍ୟାୟରେ ୧୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ୧୫ଟି ଆସନ ମଧ୍ୟରୁ ୧୧ ଆସନରେ ଦଳ ନୂଆ ମୁହଁ ଦେଇଥିବାବେଳେ ୪ ଆସନରେ ପ୍ରାର୍ଥୀ ରିପିଟ କରିଛି । କନ୍ଧମାଳ, ଜଗତସିଂହପୁର, କୋରାପୁଟ, ଯାଜପୁରରେ ପ୍ରାର୍ଥୀ ରିପିଟ ହୋଇଥିବାବେଳେ ଅନ୍ୟ ସବୁ ଆସନରେ ନୂଆ ପ୍ରାର୍ଥୀ ଦେଇଛି ବିଜେଡି । ସମ୍ବଲପୁର ଆସନରେ ହାଇପ୍ରୋଫାଇଲ ଲଢେଇ ହେବ । ଏଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟକ୍କର ଦେବେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । କଟକରେ ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସଂତୃପ୍ତ ମିଶ୍ର ବିଜେଡି ପ୍ରାର୍ଥୀ ହେବେ । ଏଠାରେ ବିଜେପି ଏ ଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ । ପୁରୀରୁ ପିନାକୀ ମିଶ୍ର ଓ ଆସ୍କାରୁ ପ୍ରମିଳା ବିଷୋୟୀଙ୍କ ଟିକେଟ କଟିଛି । ତେବେ ବ୍ରହ୍ମପୁର,ବଲାଙ୍ଗୀର.ଭଦ୍ରକ,ବରଗଡ. ବାଲେଶ୍ୱର ଓ କେନ୍ଦୁଝର ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିନାହିଁ ଦଳ । ତେଣୁ ଏବେ ଅବଶିଷ୍ଟ ଆସନରେ ପ୍ରାର୍ଥୀଙ୍କ ନାଁ ଜାଣିବାକୁ ସମସ୍ତଙ୍କ ଅପେକ୍ଷା ।