ଖାଲି ପଡିଛି ମହିଳା କମିଶନ ଗାଦି? କର୍ଣ୍ଣପାତ କରୁନାହାନ୍ତି ସରକାର, କାହାକୁ ଗୁହାରି କରିବେ ମହିଳା?

254

କନକ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ମହିଳାଙ୍କ ଉପରେ ଆକ୍ରମଣ ବଢିଚାଲିଛି । ପ୍ରତ୍ୟେକ ଦିନ ରାଜ୍ୟର କେଉଁଠୁ ନା କେଉଁଠି ମହିଳା ମାନେ ଅତ୍ୟାଚାରର ଶିକାର ହେଉଥିବାର ଖବର ସାମ୍ନାକୁ ଆସୁଛି । ଏପରିକି କିଛି ଘଟଣାରେ ନ୍ୟାୟ ପାଇବା ପାଇଁ ମହିଳା ମାନଙ୍କୁ ବାର ଦୁଆର ହେବାକୁ ପଡୁଛି । କିନ୍ତୁ ଏସବୁ ସତ୍ତେ୍ୱ ମଧ୍ୟ ନା ମିଳୁଛି ନ୍ୟାୟ ନା କମୁଛି ମହିଳା ମାନଙ୍କ ପ୍ରତି ଅତ୍ୟାଚାର । ଏଭଳି ସ୍ଥଳେ ମହିଳାଙ୍କୁ ସୁରକ୍ଷା ଦେବାକୁ ଗଠନ ହୋଇଥିବା ରାଜ୍ୟ ମହିଳା କମିଶନ କଥା ନ କହିବା ଭଲ । କାରଣ ପ୍ରାୟ ୯ ମାସ ହେବ ଫାଙ୍କା ପଡିଛି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷ ପଦ ।

ଏନେଇ ଆଜି ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ ବିଧାୟକ ଶଙ୍କର ଓରାମ । ରାଜ୍ୟରେ ମହିଳା କମିଶନ ଅଧ୍ୟକ୍ଷା ଭାବେ କିଏ କାର୍ଯ୍ୟ କରନ୍ତି? କେବେ ଠାରୁ ଏହି ପଦବୀ ଖାଲି ପଡିଛି ଓ କେବେ ସୁଦ୍ଧା ମହିଳା କମିଶନ ପଦବୀ ପୂରଣ କରାଯିବ ତାହାର ଉତ୍ତର ଜାଣିବାକୁ ଚାହିଁଥିଲେ । ଏହାଛଡା ଏହି ପଦବୀ ପାଇଁ କେଉଁ ଆଧାରରେ ଚୟନ କରାଯାଏ ଓ କମିଶନରେ କେତୋଟି ସଭ୍ୟ ପଦବୀ ଖାଲି ପଡିଛି ସେନେଇ ଗୃହରେ ପ୍ରଶ୍ନ ପଚାରିଥିଲେ ବିଧାୟକ ଶଙ୍କର ଓରାମ ।

ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ଏବେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଭାବେ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ କାର୍ଯ୍ୟ କରୁଛନ୍ତି । ଦୀର୍ଘ ୯ ମାସ ଧରି ଏହି ପଦବୀ ଫାଙ୍କା ପଡିଥିଲେ ମଧ୍ୟ ସରକାରଙ୍କର ଏହାପ୍ରତି ନିଘା ନାହିଁ । ଏହାଛଡା ଏହି କମିଶନରେ ଏବେ ୨ଟି ସଭ୍ୟା ପଦବୀ ଖାଲି ପଡିଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ । ତେବେ କେବେ ସୁଦ୍ଧା ଏହି ପଦବୀ ପୂରଣ କରାଯିବ ସେନେଇ ଗୃହରେ କୌଣସି ଉତ୍ତର ରଖିନଥିଲେ ମନ୍ତ୍ରୀ । ଆଉ ସରକାରଙ୍କ ଏଭଳି ଆଭିମୁଖ୍ୟ ପରେ ଏବେ ପ୍ରଶ୍ନ ଉଠୁଛି କାହା ସ୍ୱାର୍ଥରେ ରାଜ୍ୟ ମହିଳା କମିଶନ । ଦୀର୍ଘ ୯ ମାସ ହେବ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷ ପଦ ଫାଙ୍କା ପଡିଥିଲେ ମଧ୍ୟ କାହିଁକି ସରକାର ଏହାକୁ ଗୁରୁତ୍ୱ ଦେଉନାହାନ୍ତି । ଗୋଟିଏ ପଟେ ସରକାର ବୁଲି ବୁଲି ମହିଳା ସୁରକ୍ଷାର ଡେଙ୍ଗୁରା ପିଟୁଥିବା ବେଳେ ରାଜ୍ୟ ମହିଳା କମିଶନ ପଦବୀ ପୂରଣ କରିବାରେ କାହିଁକି ପଛଘୁଞ୍ଚା ଦେଉଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।