ନାମାଙ୍କନ ଭରିବା ପୂର୍ବରୁ ମା ତାରାତାରିଣୀଙ୍କୁ ଦର୍ଶନ କଲେ ବିଜେଡି ସୁପ୍ରିମୋ । ଦ୍ୱୀପ ପ୍ରଜ୍ଜଳନ କରି ମାଙ୍କ ଆର୍ଶିବାଦ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ।

218

କନକବ୍ୟୁରୋ : ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ମାଆ ତାରାତାରିଣୀ ମନ୍ଦିରରେ ପହଁଚି ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସହ ଉପସ୍ଥିତ ଥିଲେ ବିଜେଡି ନେତା ଭିକେ ପାଣ୍ଡିଆନ୍ । ମାଆଙ୍କ ମନ୍ଦିରରେ ପ୍ରାୟ ୧୦ ମିନିଟ୍ ରହି ପୂଜାର୍ଚ୍ଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ବରିଷ୍ଠ ସେବାୟତଙ୍କ ସହ ଆଲୋଚନା ବି କରିଛନ୍ତି । ପରେ ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚିଛନ୍ତି ।

ଏଠାରେ ପ୍ରାର୍ଥିପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିଜେଡି ପକ୍ଷରୁ ଛତ୍ରପୁରରେ ବିରାଟ ପଟୁଆରର ଆୟୋଜନ କରାଯାଇଛି । ଦକ୍ଷିଣାଂଚଳ ଆଇଜି ଓ ଗଂଜାମ ଏସପି ଅସ୍ଥାୟୀ ହେଲିପ୍ୟାଡ ଅଂଚଳ, ଛତ୍ରପୁର ଉପଜିଲ୍ଲାପାଳ ଅଫିସ୍ ଓ ସହରର ବିଭିନ୍ନ ଇଲାକାରେ ତଦାରଖ କରିଛନ୍ତି । ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କର୍ଯ୍ୟସୂଚୀ ଅନୁସାରେ ଦିନ ୧୧ଟାରେ ତାରାତାରିଣୀ ପୀଠ ନିକଟ ନରସିଂହପୁର ଛକରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍ରେ ଅବତରଣ କରିବେ ।

ସେଠାରୁ ସଡ଼କ ପଥରେ ଯାଇ ମା’ ତାରାତାରିଣୀଙ୍କୁ ଦର୍ଶନ କରିବା ପରେ ପୁଣି ହେଲିକପ୍ଟର ଯୋଗେ ଛତ୍ରପୁର ଯିବେ । ପରେ ଛତ୍ରପୁର ସର୍କିଟ୍ ହାଉସ୍ରୁ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ । ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବ । ୨୦୦୦ ମସିହାରୁ ଲଗାତର ଭାବେ ହିଞ୍ଜିଳି ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ । ଚଳିତ ଥର ମୁଖ୍ୟମନ୍ତ୍ରୀ ହିଞ୍ଜିଳି ସହ କଂଟାବାଞ୍ଜି ଆସନରୁ ମଧ୍ୟ ଲଢୁଛନ୍ତି ।