୧୦ ବର୍ଷରେ ଆତ୍ମ ସମର୍ପଣ କରିଥିବା କେତେ ମାଓବାଦୀଙ୍କୁ ଦିଆଯାଇଛି ଦକ୍ଷତା ତାଲିମ ? ଉତ୍ତର ରଖିଲେ ସରକାର

292

କନକ ବ୍ୟୁରୋ: ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବାକୁ ପଦକ୍ଷେପ ନେଉଛନ୍ତି ସରକାର । ତେବେ ଗତ ୧୦ ବର୍ଷରେ କେଉଁ ମାଓପ୍ରବଣ ଜିଲ୍ଲାରୁ କେତେ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେ ମାଓବାଦୀଙ୍କୁ ଦକ୍ଷତା ବିକାଶ କେନ୍ଦ୍ରରେ ପ୍ରଶିକ୍ଷଣ ଦେଇଛନ୍ତି ସେନେଇ ବିଧାନସଭାରେ ଲଖିତ ଉତ୍ତର ରଖିଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ।

ମନ୍ତ୍ରୀଙ୍କ ଉତ୍ତର ମୁତାବକ, ବିଗତ ୧୦ ବର୍ଷରେ ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ ମାଲକାନଗିରି ଜିଲ୍ଲାରେ ୨୦୧୭-୧୮ରେ ୨୩ ଜଣ ଏବଂ ୨୦୧୮-୧୯ରେ ୧୧ଜଣ ମାଓବାଦୀଙ୍କୁ ଦକ୍ଷତା ତାଲିମ ପ୍ରଦାନ କରାଯାଇଛି । ସେହିଭଳି ୨୦୧୫-୧୬ ବର୍ଷରେ କୋରାପୁଟ ଜିଲ୍ଲାରେ ୨ଜଣ ଓ ୨୦୧୭-୧୮ ବର୍ଷରେ ଜଣେ ଦକ୍ଷତା ବିକାଶ ଭିତ୍ତିକ ତାଲିମ ପ୍ରଦାନ କରାଯାଇଛି । ସେହିପରି ଆଇଟିଆଇ ଆମ୍ବଗୁଡ଼ା , କୋରାପୁଟ ଠାରେ ୨୦୧୬-୧୭ ବର୍ଷରେ ଜଣେ ମାଓବାଦୀଙ୍କୁ ବେସିକ୍ ଅଟୋମୋବାଇଲ କୋର୍ସରେ ୩ ମାସିଆ ଏମଇଏସ ତାଲିମ ଦିଆଯାଇଛି ।

ଗତବର୍ଷ ଆତ୍ମ ସମର୍ପଣ ୨ଜଣ ମାଓବାଦୀ ରାୟଗଡ଼ା ସରକାରୀ ଆଇଟିଆରେ ନାମ ଲେଖାଇବାକୁ ସହମତି ପ୍ରକାଶ କରିଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ଦାଖିଲା ନେଇନଥିଲେ । ସବୁଠାରୁ ବଡ଼ କଥା ହେଲା କି, ମାଓ ଉପଦ୍ରବ ପ୍ରତି ଜିଲ୍ଲାରେ ଗୋଟିଏ କରି ୧୦ଟି ଦକ୍ଷତା ବିକାଶ ଏକଟେସିଅନ୍ କେନ୍ଦ୍ର ଏବଂ ସରକାରୀ ଆଇଟିଆଇ ଓ ପଲିଟେକ୍ନିକ ଖୋଲଯାଇଛି । ଏହାସହ କେନ୍ଦ୍ରୀୟ ପ୍ରବର୍ତ୍ତିତ ଏଲଡବ୍ଲୁଇ ଯୋଜନାରେ ଦେବଗଡ଼, ସମ୍ବଲପୁର, ଜଗପତି, ରାୟଗଡ଼ା ଏବଂ ମାଲକାନଗିରି ଜିଲ୍ଲାରେ ଗୋଟିଏ ଆଇଟିଆଇ ଓ ୨ଟି ଲେଖାଏଁ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରାଯାଇଛି ବୋଲି ଲିଖିତ ଉତ୍ତରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।