କ୍ରିକେଟ୍ ଗ୍ରାଉଣ୍ଡରୁ କାଶ୍ମୀର ସୀମାରେ ଧୋନୀ ! ହାତରେ ବ୍ୟାଟ୍ ନୁହେଁ ଟାଭର ରାଇଫଲ୍ । ଟ୍ୱିଟରରେ ଟ୍ରେଣ୍ଡ, ଆତଙ୍କୀଙ୍କୁ ମାତ୍ ଦେବେ ବେଷ୍ଟ ଫିନିସର୍ ।

563

କନକ ବ୍ୟୁରୋ : ଜାମ୍ମୁ କାଶ୍ମୀରରେ ବଡ ଧରଣର ଅପରେସନ ପାଇଁ ଚାଲିଛି କ୍ଷେତ୍ର ପ୍ରସ୍ତୁତି । ଗତ ସପ୍ତାହରେ ଜାମ୍ମୁ-କାଶ୍ମୀରରେ ୧୦ ହଜାର ଅତିରିକ୍ତ ଅର୍ଦ୍ଧ ସାମରିକ ବଳଙ୍କୁ ମୁତୟନ କରାଯାଇଥିଲା । ଆଉ ଏବେ ପୁଣି ୨୮ ହଜାର ଅଧିକ ସିଆରପିଏଫ୍ ଯବାନ ଜାମ୍ମୁ-କାଶ୍ମୀରରେ ମୁତୟନ ହୋଇଛନ୍ତି । ଏହାକୁ ନେଇ ଘାଟିରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ଆଉ ଏହାରି ଭିତରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସୀମାରେ ମାହି ଏକ ଟାଭର ରାଇଫଲ ଧରି ଦେଶର ସୁରକ୍ଷା ପାଇଁ ପାଟ୍ରୋଲିଂ କରୁଥିବାର ଦେଖିବାକୁ ମିଳିଛି ।

ବିଶ୍ୱକପରୁ ଭାରତର ବିଦାୟ ପରେ ଧୋନୀଙ୍କ ଭବିଷ୍ୟତ ରଣନୀତି ନେଇ ସେତେବେଳେ ଉଠିଥିଲା ପ୍ରଶ୍ନ । ଏପରିକି ଧୋନୀ କ୍ରିକେଟରୁ ସବୁ ଫର୍ମାଟରୁ ସନ୍ୟାସ ନେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା । ହେଲେ ଧୋନୀ ଏସବୁଥିରୁ ନିଜକୁ ଦୂରେଇ ରଖିଥିଲେ । ଏବଂ କ୍ରିକେଟ୍ ମଇଦାନରୁ ଦୁଇ ମାସର ବିରତି ନେଇ ସେନାରେ ପ୍ରତ୍ୟକ୍ଷ ଭାବେ କାମ କରିବା ପାଇଁ ସେ ଆଗ୍ରହ ପ୍ରକାଶ କରିଥିଲେ ।

କ୍ରିକେଟର ମଇଦାନ ହେଉ ବା କାଶ୍ମୀର ଘାଟି, ସବୁଠି ନିଜ ଶ୍ରେଷ୍ଠ ପ୍ରଦର୍ଶନ କରି ଚର୍ଚ୍ଚା ଭିତରକୁ ଆସିଯାଆନ୍ତି ମାହୀ । ତେବେ ସୋସିଆଲ ମିଡିଆରେ ଧୋନୀଙ୍କ ଏହି ଫଟୋ ଭାଇରାଲ ହେବା ପରେ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଛି । ଟ୍ୱିଟରରେ କିଛି ବ୍ୟକ୍ତି ଲେଖିଛନ୍ତି, କ୍ରିକେଟ୍ ପଡିଆ ପରେ କାଶ୍ମୀର ଘାଟିରେ ମଧ୍ୟ ବେଷ୍ଟ ଫିନିସର ହେବେ ଧୋନୀ । ଏପରିକି ଧୋନୀଙ୍କ ନାଁକୁ ନେଇ ମଧ୍ୟ କିଛି ଟ୍ୱିଟ୍ ଦେଖିବାକୁ ମିଳିଛି । ମୋଦିଙ୍କୁ ଏମଏସଡି ନାଁରେ ସମସ୍ତେ ଜାଣିଥିବା ବେଳେ ‘ଏମ୍’ ରେ ମୋଦି, ‘ଏସ’ ରେ ଶାହା ଏବଂ ‘ଡି’ ରେ ଡୋଭାଲ ବୋଲି ଜଣେ ୟୁଜର୍ସ ଲେଖିଛନ୍ତି ।

୨ମାସ ପାଇଁ କ୍ରିକେଟ ପଡିଆରୁ ଦୂରରେ ରହିଥିବା ଧୋନୀ, ଟେରିଟୋରିଆଲ୍ ଆର୍ମିର ୧୦୬ ବାଟାଲିୟନ ସହିତ ରହିବେ । ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ, ସେନା ସହିତ ସେ ରହିବେ ବୋଲି କହିଛନ୍ତି ସେନା ଅଧିକାରୀ । ଭିକ୍ଟର ଫୋର୍ସର ଅଂଶବିଶେଷ ଭାବେ ଏହି ୟୁନିଟରେ ଏବେ ଦକ୍ଷିଣ କାଶ୍ମୀର ଅଂଚଳରେ ମୁତୟନ ହୋଇଛନ୍ତି ଲେଫନାଂଟ କର୍ଣ୍ଣେଲ ମହେନ୍ଦ୍ର ସିଂହ ଧୋନୀ । ଆଉ ତାଙ୍କୁ ମିଳିଛି ପାଟ୍ରୋଲିଂ ଭଳି ଗୁରୁଦାୟିତ୍ୱ ।