ବିପଦରେ ପଡିଛି ଶୈଶବ । ଚାରି ଛୁଆଙ୍କୁ ଛାଡି ଚାଲିଗଲା ମାଆ । ରିଆମାଳ ତଲେଇସର ଗାଁର ୪ ଶିଶୁଙ୍କ କରୁଣ କାହାଣୀ

235

କନକ ବ୍ୟୁରୋ: ବିପଦରେ ପଡିଛି ଶୈଶବ । ପରିବାର କେହି ନଥିବା ବେଳେ ମାଆର ପଣତ ଥିଲା ତାହା ବି ଏବେ ସ୍ୱପ୍ନ ହୋଇଯାଇଛି ଚାରି ପିଲାଙ୍କ ପାଇଁ । ପ୍ରଥମେ ବାପା ଚାଲିଗଲା ପରେ ପାଳୁଥିଲା ଅସହାୟ ମାଆ । ଅଭାବ ଭିତରେ ୪ ପିଲାଙ୍କୁ ପାଳନ କରୁଥିଲା । ହେଲେ ଏବେ କେଉଁ ଆଡେ ମାଆ ଚାଲିଯାଇଛି । ନିଖୋଜ ମାଆକୁ ଖୋଜି ଖୋଜି ବିକଳ ହୋଇ ବସିଛନ୍ତି ନିଷ୍ପାପ ପିଲାମାନେ ।

ଏହି ଦୁଃଖଦ ଖବର ଦେଖିବାକୁ ମିଳିଛି ରିଆମାଳ ବ୍ଲକ ଖିଲେଇ ପଞ୍ଚାୟତ ତଲେଇସର ଗାଁରେ । ଭୋଲେଶ୍ୱରଙ୍କ ମୃତ୍ୟୁପରେ ତାଙ୍କ ସ୍ତ୍ରୀ ସବିତା ଶବର ନିଜର ୪ ସନ୍ତାନଙ୍କ ପାଳନ କରୁଥିଲେ । ଦୀର୍ଘ ବର୍ଷ ପୂର୍ବେ ପାଇଥିବା ଇନ୍ଦିରା ଆବାସ ଭଙ୍ଗା ଦଦରା ଘରେ ତାଟି କବାଟ ଘେରି ରହୁଥିଲେ । ହେଲେ ସବିତା ଚାଲିଯିବା ପରେ ଘରେ ଭୋକ ଉପାସରେ ଏବେ ରହିଛନ୍ତି ୪ ପିଲା ।

ପିଲାମାନେ ମାଆକୁ ଖୋଜା ଖୋଜି କରି ନୟାନ୍ତ ହୋଇପଡିଲେଣି । ଘରେ ଚୂଲି ଜଳୁନଥିବା ବେଳେ ୪ ଅସହାୟ ଶିଶୁଙ୍କ ଅବସ୍ଥା ଦେଖି ପାଖ ପଡୋଶୀ ଯାହା କିଛି ଖାଇବାକୁ ମୁଠାଏ ଦେଉଛନ୍ତି । ମା’ ଗଲା ପରଠୁ ଶିଶୁମାନେ ସ୍କୁଲ ମାଟି ମାଡିନାହାନ୍ତି । ଏହି ସମସ୍ୟା ଦେଖି ସ୍ଥାନୀୟ ସରପଂଚ କିଛି ସହଯୋଗ କରିଥିବା ବେଳେ ଅଧିକ ସହଯୋଗ ପାଇଁ ଜିଲ୍ଲା ପ୍ରଶାସନକୁ ଜଣାଯିବାକୁ ମିଳିଛି ପ୍ରତିଶ୍ରୁତି । ଅସହାୟ ୪ ଶିଶୁଙ୍କ ସୁରକ୍ଷିତ ଶୈଶବ ନିମନ୍ତେ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କ ସମେତ ସରପଂଚ ଅନୁରୋଧ କରିଛନ୍ତି ।