ଚିନ୍ତା ବଢାଉଛି ଚାଉଳିଆ ପୋକ । ମୁଗ ବିରି ଚାଷରେ ରୋଗ ପୋକ ଲାଗି ଏକର ଏକର ଫସଲ ନଷ୍ଟ । କାମ ଦେଉନି କୀଟନାଶକ

43

କନକ ବ୍ୟୁରୋ: ରବି ଫସଲରେ ରୋଗ ପୋକ ଆତଙ୍କ । କାମ କରୁନି କୀଟନାଶକ । କାଳ ସାଜିଛି ଚାଉଳିଆ ପୋକ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ଅନେକ ଗାଁ ଗୁଡିକରେ ଚିନ୍ତାରେ ପଡିଛନ୍ତି ଚାଷୀ ମାନେ । ବାଗଲପୁରରୁ ନେଇ, ମହୁରା, ବୁଡାକେରା ଓ ପଦ୍ମପୁର ଆଦି ଅଞ୍ଚଳରେ ଚାଷରେ କ୍ଷତି । ଏବେ କାଳ ସାଜିଛି ଚାଉଳିଆ ପୋକ । ଏକର ଏକର ଚାଷ ଜମିରେ ଚାଉଳିଆ ପୋକ ଲାଗି ନଷ୍ଟ ହେବାକୁ ବସିଲାଣି ଫସଲ ସବୁ । ଫଳ ଧରିବା ସମୟରେ ଡେମ୍ଫିରେ ରୋଗପୋକ ଲାଗି ନଷ୍ଟ ହୋଇଗଲାଣି । ପତ୍ର ହଳଦିଆ ପଡିବା ସହ ଗଛ ସବୁ ସମ୍ପୁର୍ଣ୍ଣ ନଷ୍ଟ ହେବାରେ ଲାଗିଛି । ବାରମ୍ବାର କୀଟନାଶକ ପ୍ରୟୋଗ କରାଯାଉଥିଲେ ବି କୌଣସି କାମ ଦେଉନି । ବିଭିନ୍ନ ସ୍ଥାନରୁ ଧାର କରଜ କରି ଚାଷ କରିଥିବା ଚାଷୀ ମାନେ କିଭଳି ଋଣ ସୁଝିବେ ସେ ନେଇ ପଡିଛନ୍ତି ଚିନ୍ତାରେ ।

ରୋଗ ପୋକ ଲାଗି ବର୍ଷକ ଆହାର ଉଜୁଡିବାକୁ ବସିଥିବା ବେଳେ ପରିବାର କିଭଳି ଚଳିବ ସେ ନେଇ ବଢୁଛି ଚିନ୍ତା । ସେପଟେ ବାରମ୍ବାର ଅଭିଯୋଗ କରିବା ପରେ ବି ଶୁଣିବାକୁ ଯେମିତି କେହି ନାହିଁ । ତେବେ ସଠିକ୍ ଭାବେ କୃଷି ମିତ୍ରଙ୍କ ସହ ଯୋଗାଯୋଗ କରାଯାଇ ମତାମତ ନିଆଯାଇ ପାରିଲେ କିଛି ସମସ୍ୟାର ସମାଧାନ ହୋଇପାରିବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି । ହେଲେ କେବେ ଚାଷୀଙ୍କ ଦୁଃଖ କିଏ ଶୁଣିବ ତା ଅପେକ୍ଷାରେ ବସିଛନ୍ତି ନିରାଶ ଚାଷୀ । ବିଭିନ୍ନ ସ୍ଥାନରୁ ଧାର କରଜ କରି ଚାଷ କରିଥିବା ଚାଷୀଙ୍କ ଦୁଃଖ ବୁଝି ରୋଗ ପୋକ ନିୟନ୍ତ୍ରଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇପାରିଲେ ଚାଷୀ ମାନେ ଉପକୃତ ହୋଇପାରିବେ ।