୫୫ ନମ୍ବର ଜାତୀୟ ରାଜପଥକୁ ନେଇ ତେଜିଲା ରାଜନୀତି । କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଅନୁଗୁଳ ବିଜେଡି ବିଧାୟକ ପ୍ରାର୍ଥୀ ସଂଯୁକ୍ତା ସିଂ ।

294

କନକ ବ୍ୟୁରୋ: ରାଜନୀତିରେ ରାଜପଥ ଦୁର୍ଘଟଣା । ଅନୁଗୁଳରେ ୫୫ ନମ୍ବର ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟୁଛି । ପ୍ରତିବର୍ଷ ଶହଶହ ଜୀବନ ଯାଉଛି । ଏହାକୁ ନେଇ ରାଜ୍ୟ ରାଜନୀତିରେ ଚାଲିଛି ବୟାନବାଜି । ଗତକାଲି ବିଳମ୍ବିତ ରାତିରେ ଟ୍ରକ ଧକ୍କାରେ ୩ ଜଣଙ୍କ ଜୀବନ ଯାଇଛି । ରାଜପଥର ପଂଚମହଲା ନିକଟରେ ଏହି ଦୁର୍ଘଟଣା ଘଟିଛି । ବାଇକରେ ୩ ଜଣ ଯୁବକ ଅନୁଗୁଳ ଯାଉଥିବା ବେଳେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ୩ ଜଣ ଡେରେଜାଙ୍ଗ ଗାଁର ଛୋଟୁ ପ୍ରଧାନ, ରାଜେନ୍ଦ୍ର ପ୍ରଧାନ ଓ କୃପା ପ୍ରଧାନ । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖିବାକୁ ମିଳିଛି ।

ଉତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ । ବାରମ୍ବାର ଘଟୁଥିବା ଦୁର୍ଘଟଣା ଓ ୫୫ ନମ୍ବର ଜାତୀୟ ରାଜପଥର ଦୁରାବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ନେତା । ଅନୁଗୁଳ ବିଜେଡି ବିଧାୟକ ପ୍ରାର୍ଥୀ କହିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କ ଆନ୍ତରିକତା ଅଭାବରୁ ଜାତୀୟ ରାଜପଥର ଦୁରାବସ୍ଥା ଦୂର ହେଉନାହିଁ ।