ସାଇବର ଲୁଟେରାଙ୍କ ଟାର୍ଗେଟରେ ରେଶମ ସହର । ଗୋଟିଏ ସପ୍ତାହରେ ୨୫ଲକ୍ଷ ଲୁଟି ନେଲେ ସାଇବର ଅପରାଧୀ ।

73

କନକ ବ୍ୟୁରୋ: ସାଇବର ଲୁଟେରାଙ୍କ ଟାର୍ଗେଟରେ ରେଶମ ସହର । ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ବ୍ରହ୍ମପୁର ସହରକୁ ଏବେ ଟାର୍ଗେଟ କରିଛନ୍ତି ସାଇବର ଲୁଟେରାମାନେ । ଗୋଟିଏ ସପ୍ତାହରେ ୨୫ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଏହି ସାଇବର ଅପରାଧି । ସୋସିଆଲ୍ ମିଡିଆର ବହୁଳ ବ୍ୟବହାର ସହ ଅନଲାଇନ୍ ବ୍ୟବସାୟ ଏବେ ସାଇବର୍ ଅପରାଧିଙ୍କ ପାଇଁ ଯେମିତି ରୋଜଗାରର ଏକ ପନ୍ଥା ପାଲଟିଯାଇଛି ।

ବ୍ରହ୍ମପୁରର ଜଣେ ଘରୋଇ କ୍ଲିନିକ କର୍ମଚାରୀ ସାଇବର ଅପରାଧିଙ୍କ ଜାଲରେ ଫସି ଟଙ୍କା ହରାଇଛନ୍ତି । ସେହି କ୍ଲିନିକର ଜଣେ ମହିଳା କର୍ମଚାରୀଙ୍କ ଠାରୁ ସମାନ ପରିମାଣର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସେହିପରି ପାର୍ଟ ଟାଇମ ଜବ୍ ଓ ଚାକିରି ଦେବା ନାମରେ ମଧ୍ୟ ଏହି ସାଇବର ଲୁଟେରା ନିଜ ଆଧିପତ୍ୟ ବିସ୍ତାର କରିଚାଲିଛନ୍ତି ।

ସାଇବର ଅପରାଧୀମାନେ ପ୍ରଥମେ ଫୋନ୍ କରି ବିଭିନ୍ନ ଆଳରେ ଲିଙ୍କ୍ ପଠାନ୍ତି । ପରେ ସେହି ଲିଙ୍କକୁ କ୍ଲିକ୍ କରିବା ମାତ୍ରକେ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଗାୟବ କରୁଛନ୍ତି । ଚଳିତ ବର୍ଷ ଜାନୁଆରୀ ପହିଲାରୁ ଆଜି ମଧ୍ୟରେ ସାଇବର ଥାନାରେ ୧୨ ଗୋଟି ମାମଲା ପଞ୍ଜିକୃତ ହୋଇଛି । ତେବେ ପୋଲିସ ପକ୍ଷରୁ ବିଭିନ୍ନ ସମୟରେ ବାରମ୍ବାର ଜନସାଧାରଣଙ୍କୁ ସଚେତନ କରାଯାଉଛି । ହେଲେ ଇଂଟରନେଟ ସହ ବେପାରୁଆ ମୋବାଇଲ ଠକଙ୍କୁ ସୁଯୋଗ ଯୋଗାଉଛି । ତେଣୁ କୈଣସି ଅଜଣା ବ୍ୟକ୍ତିଙ୍କୁ ନିଜର କୌଣସି ବ୍ୟକ୍ତିଗତ ତଥ୍ୟ ନ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଦିନକୁ ଦିନ ସାଇବର ଅପରାଧିଙ୍କ ଦୌରାତ୍ମ୍ୟ ବଢିଚାଲିଥିବା ବେଳେ ଲୋକଙ୍କୁ ପ୍ରତି ମୁହୁର୍ତ୍ତରେ ସଚେତନ ରହିବା ଜରୁରୀ ହୋଇଛି ।