ସ୍ୱାମୀଙ୍କ ସହ ୭ ଦିନ ଏକାଠି ରହିବାକୁ ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶ ହେଲା କାର୍ଯ୍ୟକାରୀ । ଆସିକାରେ ଭଡାଘରେ ରହିଲେ ଡାକ୍ତର ସ୍ୱାମୀ ଓ ତପସ୍ୱିନୀ ।

989

କନକ ବ୍ୟୁରୋ: ବ୍ରହ୍ମପୁର ଏସଡିଜେଏମ କୋର୍ଟଙ୍କ ରାୟକୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । ସ୍ୱାମୀ ତାଙ୍କୁ ଅନ୍ୟାୟ କରି ଛାଡି ଦେଇଛନ୍ତି ବୋଲି ଅଭିଯୋଗ କରି ତପସ୍ୱିନୀ ନାମକ ମହିଳା, ସ୍ୱାମୀଙ୍କ ଘର ଆଗରେ ୧୧ଦିନ ଧରି ଧାରଣା ଦେଇଥିଲେ । ଶେଷରେ କୋର୍ଟ ଏହି ମାମଲାରେ ଶୁଶାଣି କରି କହିଥିଲେ, ଉଭୟ ସ୍ୱାମୀ ସ୍ତ୍ରୀ ଗୋଟିଏ ସ୍ଥାନରେ ରହିବେ ଏବଂ ତାଙ୍କ ପାଖକୁ ଶାଶୁ, ଶ୍ୱଶୁର କିମ୍ବା ଅନ୍ୟ ସମ୍ପର୍କୀୟ ଯାଇପାରିବେ ନାହିଁ ।

  • ୧୧ ଦିନର ଧାରଣା ପରେ ମିଳିଲା ନ୍ୟାୟ !
  • ସ୍ୱାମୀଙ୍କ ସହ ଏକାଠି ରହିଲେ ତପସ୍ୱିନୀ

କୋର୍ଟଙ୍କ ରାୟ ପରେ ସ୍ୱାମୀଙ୍କ ସହ ଏକାଠି ହୋଇଛନ୍ତି ବ୍ରହ୍ମପୁରର ବ୍ରହ୍ମାନଗରରେ ଶ୍ୱଶୁର ଘର ଆଗରେ ୧୧ ଦିନ ଧରି ଧାରଣାରେ ବସିଥିବା ତପସ୍ୱିନୀ । ଆସ୍କାରେ ଗୋଟିଏ ଘରେ ତପସ୍ୱିନୀ ଓ ତାଙ୍କ ସ୍ୱାମୀ ସୁମିତ ରହିଛନ୍ତି । ତେବେ ଏହି ସମୟରେ ସେମାନେ ଉଭୟଙ୍କ ପରିବାରର କାହାରିକୁ ଭେଟିପାରିବେ ନାହିଁ କିମ୍ବା କୌଣସି ଯୋଗାଯୋଗ କରିପାରିବେ ନାହିଁ ।

ଛତ୍ରପୁରର ତପସ୍ୱିନୀ ଓ ବ୍ରହ୍ମପୁରର ଯୁବ ଡାକ୍ତର ସୁମିତଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ପରେ ଉଭୟ ଗତବର୍ଷ କୋର୍ଟରେ ବିବାହ କରିଥିଲେ । ତେବେ ସ୍ୱାମୀ, ଶ୍ୱଶୁର ଓ ଶାଶୁ ମିଶି ନିର୍ଯାତନା ଦେଉଥିବା ନେଇ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିଥିଲେ ତପସ୍ୱିନୀ । ଏହାପରେ ଶ୍ୱଶୁର ଘର ଲୋକ ତାଙ୍କୁ ମନାଇବା ସହ ନଭେମ୍ବର ୨୨ରେ ରୀତି ଅନୁଯାୟୀ ବାହାଘର ଲଗ୍ନ ଧାର୍ଯ୍ୟ ହୋଇଥିଲା । ତେବେ ସୁମିତଙ୍କ ଘର ପକ୍ଷରୁ ଏଭଳି କୌଣସି ଆୟୋଜନ ହୋଇ ନଥିବାରୁ ତପସ୍ୱିନୀ ବଧୂ ବେଶରେ ଶ୍ୱଶୁର ଘର ଆଗରେ ଧାରଣା ଜାରି ରଖିଥିଲେ ।

ଏବେ କୋର୍ଟଙ୍କ ନିର୍ଦ୍ଦେଶରେ ୭ ଦିନ ଏକାଠି ରହିବା ପରେ ଉଭୟ ସ୍ୱାମୀ ସ୍ତ୍ରୀ ପୁଣି ଥରେ ୯ ତାରିଖରେ କୋର୍ଟରେ ହାଜର ହେବେ । ଉଭୟ ସ୍ୱାମୀ-ସ୍ତ୍ରୀ ନିଜ ପକ୍ଷ ରଖିବା ପରେ କୋର୍ଟ ତାଙ୍କର ଚୂଡ଼ାନ୍ତ ରାୟ ଶୁଣାଇବେ ।