ନିଅଣ୍ଟିଆ ଟିକା ସମସ୍ୟା ଭିତରେ ଖୁସି ଖବର, ଅକ୍ଟୋବର ସୁଦ୍ଧା ଦେଶକୁ ମିଳିପାରେ ଆଉ ୪ଟି କରୋନା ଟିକା

217

କନକ ବ୍ୟୁରୋ : ଦେଶରେ କରୋନା ବିରୋଧୀ ଲଢେଇରେ ମୁଖ୍ୟ ଅସ୍ତ୍ର ସାଜିଛି ଟିକା । ହେଲେ ଦେଶରେ ନିଅଣ୍ଟିଆ ଟିକା ସମସ୍ୟା ଏବେ ସମସ୍ତଙ୍କୁ ହତାଶ କରିଛି । ଏହାରି ମଧ୍ୟରେ ଏକ ଖୁସି ଖବର ଆସିଛି । କୁହାଯାଇଛି କି ଭାରତରେ ପର୍ଯ୍ୟାପ୍ତ ଟିକା ଆବଣ୍ଟନ ନେଇ ଥିବା ସମସ୍ୟ ଅକ୍ଟୋବର ମାସରେ ସମାପ୍ତ ହୋଇପାରେ । ଦେଶକୁ ଅକ୍ଟୋବର ମାସରେ ଆଉ ୪ ଟି କରୋନା ଟିକା ଆସିବା ନେଇ ଅଶା ପ୍ରକଟ କରାଯାଇଛି । ସେହି ଟିକା ମାନଙ୍କ ମଧ୍ୟରେ ଅଛନ୍ତି ଜାଇଡସ କାର୍ଡିଲାର ଜାଇକୋଭ-ଡି, ବାୟୋଲୋଜିକାଲ-ଇ, ନୋଭାଭାକ୍ସ ଓ ଜେନୋକା । ଅନ୍ୟପଟେ ଅକ୍ଟୋବର ମାସ ସୁଦ୍ଧା କୋଭାକ୍ସିନର ଉପଲବ୍ଧତା ମଧ୍ୟ ବଢିପାରେ ବୋଲି ଅନୁମାନ କରାଯାଉଛି ।

ସେପଟେ ଗଣମାଧ୍ୟମର ରିପୋର୍ଟ ମୁତାବକ ସେପ୍ଟେମ୍ବର ମାସରେ ୨୦ କୋଟି ଓ ଅକ୍ଟୋବର ମାସରେ ୨୫ କୋଟି ଟିକା ପାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହାସହ ଅଗଷ୍ଟ ୧୫ ତାରିଖ ସୁଦ୍ଧା କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଅନୁମୋଦନ ମିଳିବା ନେଇ ଆଶା କରାଯାଉଛି । ଏହା ସଫଳ ହେଲେ କୋଭାକ୍ସିନର ଅନ୍ତର୍ଜାତୀୟ ଯୋଗାଣ ନେଇ ଥିବା ପ୍ରତିବନ୍ଧକ ରହିବ ନାହିଁ ।

ଗତ ମାସରେ ଭାରତ ବାୟୋଟେକ୍ କହିଥିଲା ଯେ ଜରୁରୀକାଳୀନ ବ୍ୟବହାର ଲାଗି ତାଲିକାଭୁକ୍ତ କରିବାକୁ ଆବଶ୍ୟକ ସବୁପ୍ରକାରର କାଗଜପତ୍ର ଡବ୍ଲୁଏଚଓ ନିକଟରେ ଦାଖଲ କରାଯାଇଛି । ଖୁବଶୀଘ୍ର ଅନୁମୋଦନ ମିଳିବା ନେଇ କମ୍ପାନିର ଅଧ୍ୟକ୍ଷ ଡ. କ୍ରିଷ୍ଣା ଇଲା ଆଶା ପ୍ରକଟ କରିଥିଲେ ।