ରାତାରାତି କାଙ୍ଗାଳ ହୋଇଗଲେ କୋଟିପତି, ବିଶ୍ୱ ଇତିହାସରେ କ୍ରିପ୍ଟୋ ଏକ୍ସଚେଞ୍ଜ ରେ ବିରାଟ ବିପର୍ଯ୍ୟୟ

2,058

କନକ ବ୍ୟୁରୋ: କାଙ୍ଗାଳ ହୋଇଗଲେ କୋଟିପତି ।ଭୁଷୁଡିଲା କ୍ରିପ୍ଟୋ ବେପାର ।ରାତାରାତି କୋଟିପତିରୁ କାଙ୍ଗାଳ ବନିଗଲେ ଏଫଟିଏକ୍ସର ସିଇଓ ସେମ୍ ବ୍ୟାଙ୍କମ୍ୟାନ୍ ଫ୍ରାଏଡ୍ । ମାତ୍ର ୨୪ ଘଣ୍ଟା ଭିତରେ ତାଙ୍କ ସମ୍ପତ୍ତି ୯୬ ପ୍ରତିଶତ ତଳକୁ ଖସିଆସିଲା । ଏହାକୁ ନେଇ ଏବେ କ୍ରିପ୍ଟୋ କରେନ୍ସିର ସ୍ଥିତି ଉପରେ ଲୋକେ ପ୍ରଶ୍ନ ଉଠାଇଛନ୍ତି ।

ଏବେ ସାରା ବିଶ୍ୱରେ କ୍ରିପ୍ଟୋ କରେନ୍ସି ବା ଡିଜିଟାଲ ମନି କାୟା ବିସ୍ତାର କରିଚାଲିଛି । ହେଲେ ଏହା କେତେ ଅସ୍ଥିର ଓ ଭୟଙ୍କର ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । କ୍ରିପ୍ଟୋରେ ନିବେଶ କରି ମୋଟା ଅଙ୍କର ଲାଭ ପାଇବାର ସ୍ୱପ୍ନ ଦେଖାଉଥିବା ବିଶ୍ୱର ଅନ୍ୟତମ ସର୍ବବୃହତ କ୍ରିପ୍ଟା ଏକ୍ସଚେଞ୍ଜ ‘ଏଫଟିଏକ୍ସ’ ଦେବାଳିଆ ହୋଇପଡିଛି । ଏଥିସହ ଏହାର ପ୍ରତିଷ୍ଠାତା ତଥା କ୍ରିପ୍ଟୋ ଦୁନିଆଁର ଚର୍ଚ୍ଚିତ ଚେହେରା ସାମ୍ ବ୍ୟାଙ୍କମ୍ୟାନ୍ କାଙ୍ଗାଳ ହୋଇଯାଇଛନ୍ତି । ଦିନେ ୨୬୦୦ ଡଲାର ଅର୍ଥାତ୍ ୧,୩୧,୨୦୦ କୋଟି ଟଙ୍କାର ମାଲିକ ଥିବା ସାମ ବ୍ୟାଙ୍କମ୍ୟାନଙ୍କ ପାଖରେ ଏବେ କିଛି ନାହିଁ କହିଲେ ଚଳେ । ବିଶ୍ୱ ଇତିହାସରେ ଏଭଳି ଏକ ବିପର୍ଯ୍ୟୟ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ।

ବିଟ୍‌କଏନ୍ ଭଳି ଚର୍ଚ୍ଚିତ କ୍ରିପ୍ଟୋକରେନ୍ସି ମୂଲ୍ୟରେ ହୋଇଥିବା ବୃଦ୍ଧି ସହ ଫ୍ରାଏଡ୍‌ଙ୍କ ସମ୍ପତ୍ତି ଅତି ଦ୍ରୁତ ଗତିରେ ବଢ଼ିଥିଲା। ବିଟ୍‌କଏନ୍ ମୂଲ୍ୟ ହ୍ରାସ ପାଇବା ପରେ ସେ କାଙ୍ଗାଳ ହୋଇଯାଇଛନ୍ତି। ଏସିଆ ଓ ଆମେରିକା ବଜାରରେ ବିଟ୍‌କଏନ୍ ମୂଲ୍ୟରେ ରହୁଥିବା ବଡ଼ ଧରଣର ଅନ୍ତର ଫ୍ରାଏଡ୍‌ଙ୍କୁ ସର୍ବାଧିକ ଲାଭ ଦେଇଥିଲା। କ୍ରିପ୍ଟୋ ବଜାର ଦୁର୍ବଳ ହେବା ପରେ ଫ୍ରାଏଡ୍‌ଙ୍କ କଂପାନି ଏଫ୍‌ଟିଏକ୍ସର ଆୟ ସଙ୍କୁଚିତ ହୋଇଥିଲା। ସ୍ଥିତି ଏଭଳି ହୋଇଥିଲା ଯେ କଂପାନି ଚଲାଇବା ସମ୍ଭବ ହୋଇନଥିଲା। କୌଣସି ପ୍ରକାରରେ ସଂସ୍ଥାକୁ ବଞ୍ଚାଇବା ଲାଗି ଫ୍ରାଏଡ୍‌ ତାଙ୍କ ପ୍ରତିଦ୍ବନ୍ଦ୍ବୀ ସଂସ୍ଥା ବିନାନ୍ସକୁ ବିକ୍ରି କରିବାକୁ ଉଦ୍ୟମ କରିଥିଲେ। ବିନାନ୍ସ ମଧ୍ୟ ସେଥିରେ ରାଜି ହୋଇଥିଲା। ମାତ୍ର ଯେତେବେଳେ ତାହା ଏଫ୍‌ଟିଏକ୍ସର ଯଥାର୍ଥ ଆକଳନ ଆରମ୍ଭ କଲା, କଂପାନିରେ କିଛି ବି ସମ୍ଭାବନା ନଥିବା ଜାଣିବାକୁ ପାଇଲା। ଏହାପରେ ବିନାନ୍ସ ଚୁକ୍ତିରୁ ଓହରିଯାଇଥିଲା। ଅନ୍ୟ କୌଣସି ଉପାୟ ନପାଇ ଏଫ୍‌ଟିକ୍ସକୁ ଦେବାଳିଆ ଘୋଷଣା କରିବା ଲାଗି ଫ୍ରାଏଡ୍‌ ଉଦ୍ୟମ ଆରମ୍ଭ କରିଛନ୍ତି। ଆମେରିକାରେ ଥିବା ଆଇନ ଅନୁସାରେ ସେ ସେଥିପାଇଁ ଆବେଦନ ମଧ୍ୟ କରିଛନ୍ତି। କଂପାନିର ସିଇଓ ପଦରୁ ଇସ୍ତଫା ଦେବା ସହ ସେ ଅଦୃଶ୍ୟ ହୋଇଯାଇଛନ୍ତି। ଫ୍ରାଏଡ୍‌ ଦେଶ ଛାଡ଼ି ଆର୍ଜେଣ୍ଟିନା ଚାଲିଯାଇଥିବା ଚର୍ଚ୍ଚା ହେଉଥିବା ବେଳେ ତାହାକୁ ସେ ଟ୍ବିଟ୍‌ ଜରିଆେଆର ଖଣ୍ଡନ କରିଛନ୍ତି। ମୁଁ ଏବେ ବାହାମାସ୍‌ରେ ଅଛି ବୋଲି ସେ ଜଣାଇଛନ୍ତି। ଆମେରିକାରେ ଏଫ୍‌ଟିଏକ୍ସର ପତନକୁ ‌ଅତୀତରେ ଘଟିଥିବା ଲେହମ୍ୟାନ୍ ବ୍ରଦର୍ସ ଓ ଏନ୍‌ରନ୍‌ର ପତ୍ତନ ସହ ତୁଳନା କରାଯାଉଛି। ଏଫ୍‌ଟିଏକ୍ସରେ ନିବେଶ କରିଥିବା ନିବେଶକମାନଙ୍କ ଭବିଷ୍ୟତ କ’ଣ ଏପର୍ୟ୍ୟନ୍ତ ତାହା ସ୍ପଷ୍ଟ ହୋଇନାହିଁ।

ଆମେରିକାର ଜଣେ ୩୦ ବର୍ଷୀୟ ଯୁବକ ହେଉଛନ୍ତି ସାମ୍ ବ୍ୟାଙ୍କମ୍ୟାନ୍ ଫ୍ରାଏଡ୍‌। ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସରଙ୍କ ପୁଅ ଭାବେ ସେ ବେଶ ମେଧାବୀ ଥିଲେ। ଏମ୍‌ଆଇଟି ଭଳି ଅନୁଷ୍ଠାନରେ ପାଠପଢ଼ିଥିବା ଫାଏଡ୍‌ କ୍ରିଫ୍ଟୋକରେନ୍ସି ବା ଡିଜିଟାଲ ମୁଦ୍ରା‌ ଦୁନିଆର ଚର୍ଚ୍ଚିତ ଚେହେରା ଥିଲେ। ଅଳ୍ପ ଦିନ ଭିତରେ ବିପୁଳ ସମ୍ପତ୍ତିର ମାଲିକ ହୋଇପାରିଥିବାରୁ ତାଙ୍କୁ ଆମେରିକାରେ ବିଶିଷ୍ଟ ନିବେଶକ ୱାରେନ ବଫେଟ୍‌ଙ୍କ ସହ ତୁଳନା କରାଯାଉଥିଲା। କୁଞ୍ଚୁକୁଞ୍ଚିଆ କେଶ ସହ ଟି-ସାର୍ଟ ପିନ୍ଧିବାକୁ ପସନ୍ଦ କରୁଥିବା ଫ୍ରାଏଡ୍‌ ଏତେ ଚର୍ଚ୍ଚିତ ଥିଲେ ଯେ କିଛି ମଞ୍ଚରେ ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ, ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାରଙ୍କ ସହ ବସିବାର ସୁଯୋଗ ପାଇଥିଲେ। ବିପୁଳ ସମ୍ପତ୍ତି ଥିବାରୁ ସେ ସେଥିରୁ ବହୁତ କିଛି ଦାନ ମଧ୍ୟ କରୁଥିଲେ। ତାଙ୍କୁ ଆମେରିକାର ଅନ୍ୟତମ ବଦାନ୍ୟ ବ୍ୟକ୍ତି କୁହାଯାଉଥିଲା। ବିଶ୍ବର ସବୁଠୁ ଚର୍ଚ୍ଚିତ କ୍ରିପ୍ଟୋକରେନ୍ସି ବିଟ୍‌କଏନ୍‌ର ମୂଲ୍ୟରେ ଏସିଆ ଓ ଆମେରିକାରେ ଥିବା ଅନ୍ତର ତାଙ୍କୁ ସବୁଠୁ ବଡ଼ ଲାଭ ପ୍ରଦାନ କରିଥିଲା। ତାହାକୁ ନେଇ ‌ସେ ପ୍ରଥମେ କ୍ରିଫ୍ଟୋ କାରବାର ସୁବିଧା ପ୍ରଦାନ କରୁଥିବା ସଂସ୍ଥା ଆଲାମେଡା ରିସର୍ଚ୍ଚକୁ ୨୦୧୭ରେ ଏବଂ ବର୍ଷକ ପରେ ନିଜର ଜଣେ ବନ୍ଧୁଙ୍କ ସହ ମିଶି ସେ କ୍ରିପ୍ଟୋ ଏକ୍ସଚେଞ୍ଜ୍‌ ଏଫ୍‌ଟିଏକ୍ସକୁ ଗଠନ କରିଥିଲେ। ବିଟକଏନ୍ ମୂଲ୍ୟ ଦୁଇ ବର୍ଷର ସର୍ବନିମ୍ନ ସ୍ତରକୁ ଖସିବା ପରେ ଏଫ୍‌ଟିଏକ୍ସ ଚମକ ହରାଇବା ଆରମ୍ଭ କରିଥିଲା।