ପଞ୍ଜାବରେ ଆରମ୍ଭ ହେଲା ଆପ୍ ସରକାର: ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଭଗୱନ୍ତ ମାନ

89

କନକ ବ୍ୟୁରୋ: ପଂଜାବକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ । ଭଗୱନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସର୍ବକନିଷ୍ଟ ମୁଖ୍ୟମନ୍ତ୍ରୀ ଭାବେ ମାନ ପଂଜାବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସହିଦ ଭଗତ ସିଂଙ୍କ ବାସସ୍ଥଳୀ ଖଟକର କାଲାନରେ ଶପଥ ପାଠ ଉତ୍ସବ ଆୟୋଜିତ । ଏଥରକ ବିଧାନସଭା ନିର୍ବାଚନରେ ଆପ ଯେଉଁଭଳି ଭାବେ ବିପୁଳ ବିଜୟ ହାସ କରି ସରକାର ଗଠନ କରିଛି ତାହା ଦେଶର ପୁରୁଣା ଓ ବଡ ରାଜନୈତିକ ଦଳଙ୍କୁ ମଧ୍ୟ ପଛରେ ପକାଇ ଇତିହାସ ରଚିଛି ।

ପଂଜାବର ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ପାଠ କରିଛନ୍ତି ଭଗୱନ୍ତ ମାନ୍ । ସହିଦ ଭଗତ ସିଂଙ୍କ ପୈତୃକବାସସ୍ଥଳୀ ଖଟକର କାଲାନରେ ଶପଥ ପାଠ ଉତ୍ସବ ଆୟୋଜିତ ହୋଇଛି । ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ମାନଙ୍କୁ ରାଜ୍ୟର ୧୭ତମ ମୁଖ୍ୟମନ୍ତ୍ରୀଭାବେ ଗେପାନୀୟତାରେ ଶପଥ ପାଠ କରାଇଛନ୍ତି । ଆଜି ମାନ କେବଳ ଶପଥ ଗ୍ରହଣ କରିଥିବାବେଳେ ନୂଆ ମନ୍ତ୍ରୀମଣ୍ଡଳ ନୂଆ ମନ୍ତ୍ରୀଙ୍କ ଶପଥ ପାଠ ପାଇଁ ଅନ୍ୟ ଏକ ଦିନ ଧାର୍ଯ୍ୟ ହୋଇଛି ।

ଆପର ପୂର୍ବ ଘୋଷଣା ମୁତାବକ କାର୍ଯ୍ୟକ୍ରମରେ କୌଣସି ଭିଭିଆଇପି ଅତିଥି ସାମିଲ ହୋଇନଥିଲେ । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ମାନଙ୍କ ଭୁରୀ ପ୍ରଂଶସା କରିବା ସହ ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ମାନଙ୍କ ପାଇଁ କରତାଳି ମାରିବାକୁ ମଧ୍ୟ କହିଥିଲେ । ସେପଟେ କେଜ୍ରିୱାଲଙ୍କୁ ଧନ୍ୟବାଦ ଜଣାଇଥିଲେ ପଂଜାବର ନୂଆ ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ପୁରୁଷ ଅତିଥି ହଳଦୀ ରଙ୍ଗର ପଗଡି ଓ ମହିଳାମାନେ ସମାନ ରଙ୍ଗର ଓଡଣୀ ପରିଧାନ କରିଥିଲେ । ହଳଦୀ ରଙ୍ଗ ଶିଖ ସମ୍ପ୍ରଦାୟର ଧାର୍ମିକ ରଙ୍ଗ ଓ ଏହାକୁ ଶପଥ ପାଠ ଦିନ ପରିଧାନ କରିବାକୁ ପୂର୍ବରୁ ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ ମାନ୍ ।

ପଂଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ଯେଉଁଭାବେ ବିପୁଳ ଭୋଟ ସହ ବିଜୟୀ ହୋଇଛି ତାହା ରାଜ୍ୟରାଜନୀତିରେ ଏକ ମାଇଲଖୁଂଟ ସ୍ଥାପନ କରିଛି । ନିର୍ବାଚନରେ ସବୁଠୁ ପୁରୁଣା ଦଳ କଂଗ୍ରେସ ଓ ବଡ ଦଳ ବିଜେପିକୁ ପରାସ୍ତ କରି ନୂଆ ଇତିହାସ ରଚିଛି ଆପ୍ ।ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ କୌଣସି ରାଜ୍ୟରେ କ୍ଷମତା ହାତେଇଛି ଦଳ । ସଙ୍ଗରୁର ଜିଲ୍ଲାର ଧୁରୀ ଆସନରୁ ପ୍ରତିଦ୍ୱନ୍ଦିତା କରି ଭଗୱନ୍ତ ମାନ ପ୍ରତିପକ୍ଷ କଂଗ୍ରେସ ନେତା ଦଲଭିର ସିଂଙ୍କୁ ୮୫ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ । ୪୮ବର୍ଷୀୟ ମାନ ୧୯୭୦ ମସିହାର ପରେ ପଂଜାବର ଜଣେ ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଛନ୍ତି ।

୧୧୭ ଆସନ ବିଶିଷ୍ଠ ପଂଜାବ ବିଧାନସଭା ନିର୍ବାଚନରେ ଆପ ଏକାକୀ ୯୨ ଆସନ ଅକ୍ତିଆର କରିଥିଲା । ଯାହାକି ଦଳ ପାଇଁ ବୃହତ ବିଜୟ ହୋଇଛି । ଆପ୍ର ଏଭଳି ବିଜୟ ପରେ ପ୍ରତିପକ୍ଷ ଦଳ କଂଗ୍ରେସ, ଶିରୋମଣି ଅକାଳୀ ଦଳ ଓ ବିଜେପି ଏକପ୍ରକାର ଗୌଣ ହୋଇଯାଇଛନ୍ତି ।ନିର୍ବାଚନ ପୂର୍ବରୁ ଆପର ରାଷ୍ଟ୍ରୀୟ ସଂଯୋଜକ ଭଗବନ୍ତ ମାନଙ୍କ ଉପରେ ଆସ୍ଥା ପ୍ରକଟ କରି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଛିଡା କରିଥିଲେ । ଏବେ କେଜ୍ରିୱାଲଙ୍କ ନିଷ୍ପତି ସଠିକ ପ୍ରମାଣିତ ହେବା ସହ ପଂଜାବରେ ନୂଆ ସରକାର ଗଠନ କରିଛି ଆମ ଆଦମୀ ପାର୍ଟି