ବିଦେଶରେ କରୋନା ସଂକ୍ରମଣ ବଢ଼ିବା ପରେ ଭାରତରେ ସତର୍କ କଲେ ବିଶେଷଜ୍ଞ । କହିଲେ, କେଉଁ ରୂପରେ ଆସିବ ୪ର୍ଥ ଲହର ଏବେଠୁ କହିବା ମୁସ୍କିଲ ।

298

କନକ ବ୍ୟୁରୋ : ସମଗ୍ର ବିଶ୍ୱରେ କରୋନା ମହାମାରୀ ପୁଣିଥରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଚୀନରେ କରୋନାର ନୂଆ ଭାରିଆଣ୍ଟ ସବୁ ରେକର୍ଡ ଭାଙ୍ଗୁଛି । ପଶ୍ଚିମ ୟୁରୋପୀୟ ସମେତ ଅନେକ ଦେଶ ଗୁଡ଼ିକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଲଗାତର ବଢ଼ୁଛି । ଚୀନ୍ ସମେତ ବାକି ଦେଶ ଗୁଡ଼ିକରେ ସଂକ୍ରମଣ ବଢ଼ୁଥିବାର ଦେଖି ବିଷେଶଜ୍ଞମାନେ ଚତୁର୍ଥ ଲହରର ସମ୍ଭାବନା ଆଡ଼କୁ ଇସାରା କରିଛନ୍ତି । ନ୍ୟାସନାଲ୍ ଇମ୍ୟୁନାଇଜେସନ୍ ଟେକ୍ନିକାଲ୍ ଆଡଭାଇଜରୀ ଗ୍ରୁପର କୋଭିଡ୍-୧୯ ମୁଖ୍ୟ ଡାକ୍ତର ଏନକେ ଅରୋରା ମଧ୍ୟ ଭାରତରେ କରୋନାର ଏହି ନୂଆ ଲହରକୁ ନେଇ ସତର୍କ କରାଇଛନ୍ତି । ସେ କହିଛନ୍ତି, ତୃତୀୟ ଲହରରେ କରୋନାର ଓମିକ୍ରନ ଈଇ.୨ ଭାରିଆଂଟ ମୋଟ ଜନସଂଖ୍ୟାର ୭୫ ପ୍ରତିଶତଙ୍କୁ ସଂକ୍ରମିତ କରିଛି । ତେଣୁ ଚତୁର୍ଥ ଲହରରେ ନୂଆ ଭାରିଆଂଟ ଦେଖିବାକୁ ମିଳିପାରେ ବୋଲିି ଡାକ୍ତର ଏନକେ ଅରୋରା କହିଛନ୍ତି ।

ତେବେ ଭାରତରେ ଚତୁର୍ଥ ଲହରର କେବେ ଆସିବ, ତାହା କହିହେବ ନାହିଁ । କରୋନା ଚତୁର୍ଥ ଲହର ଚଳିତ ବର୍ଷ ଜୁଲାଇରେ ଆସିପାରେ ବୋଲି ଆଇଆଇଟି କାନପୁରର ଅଧ୍ୟୟନରୁ ଆକଳନ ହୋଇଛି । ତେବେ ଅଧ୍ୟୟନରେ କିଛି ତୃଟି ଥିବା ଡାକ୍ତର ଅରୋରା କହିଛନ୍ତି । ଭାରତୀୟଙ୍କ ଠାରେ ରୋଗ ପ୍ରତିକ୍ଷେଧକ ଶକ୍ତି ଅଧିକ ଥିବାରୁ ଏଠାରେ ସଂକ୍ରମଣ ବଢ଼ୁନଥିବା କହିଛନ୍ତି ଡାକ୍ତର ଅରୋରା ।

ସେହିପରି ଟିକାକରଣକୁ ନେଇ ସେ କହିଛନ୍ତି, କରୋନା ବିରୋଧରେ ଟିକାକରଣର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । କରୋନା ପାଇଁ ଟିକାର ଡବଲ୍ ଡୋଜ୍ ଯଥେଷ୍ଟ । କିନ୍ତୁ ସରକାର ନୂଆ ନୂଆ ଭାରିଆଣ୍ଟକୁ ଦୃଷ୍ଟିରେ ରଖି ବୁଷ୍ଟର ଡୋଜ୍ ଉପରେ ଗୁରୁତ୍ୱ ଦେବା ଭଲ ବୋଲି ସେ କହିଛନ୍ତି । ଭାରତରେ ୧୨ରୁ ୧୪ ବର୍ଷର ୭ କୋଟି ପିଲା ଟିକା ନେବେ । ୧୨ରୁ ୧୪ ବୟସ ବର୍ଗର ପିଲାଙ୍କୁ ଦିଆଯାଉଥିବା କୋର୍ବେଭାକ୍ସ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ସେ କହିଛନ୍ତି ।