ଉଦ୍ଧବ ଗୋଷ୍ଠୀ ଓ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଟଣାଓଟରା। ନିର୍ବାଚନ କମିଶନ ନିକଟରେ ପହଁଚିଲା ଦାବି। 

126

କନକ ବ୍ୟୁରୋ:  ବାଲାସାହେବଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଶିବସେନା ଉପରେ କାହାର ରହିବ ନିୟନ୍ତ୍ରଣ ଉଦ୍ଧବ ଗୋଷ୍ଠୀ ନା ସିନ୍ଦେ ଗୋଷ୍ଠୀ ହାତକୁ ଯିବ କମାଣ? ଏନେଇ ସଂଖ୍ୟା ଗରିଷ୍ଠତା ପ୍ରମାଣ ମାଗିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ଯେଉଁ ଗୋଷ୍ଠୀ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବେ ତା ହାତରେ ଶିବସେନାର ନିୟନ୍ତ୍ରଣ ରହିବ ବୋଲି ସଫା ସଫା କହିଛନ୍ତି ଇସି । ବାଲା ସାହେବଙ୍କ ପୁଅ ଉଦ୍ଧବ ଠାକରେ ନିଜକୁ ପ୍ରକୃତ ଶିବସୈନିକ କହୁଛନ୍ତି । ସେପଟେ ତାଙ୍କୁ ବିରୋଧ କରି ବିଜେପି ସହ ହାତ ମିଳାଇ ଏକନାଥ ସିନ୍ଦେ ମଧ୍ୟ ସମାନ ଦାବି କରୁଛନ୍ତି । ଏହିି ଲଢେଇ ଭିତରେ ଉଭୟ ସିନ୍ଦେ ଓ ଉଦ୍ଧବ ଠାକରେଙ୍କୁ ଏବେ ଇସିଙ୍କ ନିର୍ଦ୍ଦେଶକ୍ରମେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ପଡିବ ।

ଦଳ ଉପରେ ଦାବି ଜଣାଇ କିଛି ଦିନ ପୂର୍ବରୁ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ଉଭୟ ଗୋଷ୍ଠୀ । ଦୁଇ ପକ୍ଷର କଥାକୁ ଗ୍ରହଣ କରି ଇସି ଏବେ ସଂଖ୍ୟା ଗରିଷ୍ଠତା ପ୍ରମାଣ ମାଗିଛନ୍ତି ଓ ଏଥିପାଇଁ ଅଗଷ୍ଟ ୮ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ଏହା ଦାଖଲ କରିବା ପରେ ଇସି ବିଦ୍ଧିବଧଭବେ ଏହାର ଯାଞ୍ଚ କରି ପରବର୍ତ୍ତୀ ପଦକ୍ଷେପ ନେବେ ଓ ଏଥିସହ ଦୁଇ ଗୋଷ୍ଠୀଙ୍କୁ ବିବାଦର କାରଣ ଲିଖିତଭାବେ ଜଣାଇବାକୁ ମଧ୍ୟ ନୋଟିସ ଜାରି କରିଛନ୍ତି ।

ଇସିଙ୍କୁ ଚିଠି ଲେଖି ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଦେ କହିଥିଲେ ଯେ ତାଙ୍କ ସହ ଶିବସେନାର ୪୦ଜଣ ବିଧାୟକ ଓ ୧୨ ଜଣ ସାଂସଦ ରହିଛନ୍ତି । ତାଙ୍କ ନିକଟରେ ଅଧିକାଂଶ ସଦସ୍ୟ ଥିବାରୁ ସେ ହିଁ ପ୍ରକୃତ ଶିବସୈନିକ ଓ ତାଙ୍କୁ ଦଳର ଚିହ୍ନ ମିଳିବା ଦରକାର । ଏଥିସହ ତାଙ୍କ ଦ୍ୱାରା ଗଠିତ କାର୍ଯ୍ୟକାରିଣୀରେ ଅଧିକାଂଶ ଶିବସେନା ନେତା ଯୋଗଦେଇ ତାଙ୍କ ଗୋଷ୍ଠୀଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି ।

୧୯୮୯ ମସିହା ଅକ୍ଟୋବର ୧୯ ତାରିଖରେ ଶିବସେନାର ପଞ୍ଜୀକରଣ ହୋଇଥିଲା । ଡିସେମ୍ବର ୧୫, ୧୯୮୯ ମସିହାରେ ଏହାକୁ ରାଜନୈତିକ ଦଳର ମାନ୍ୟତା ମିଳିଥିଲା । ବର୍ତମାନ ମାମଲା ଉଭୟ ନିର୍ବାଚନ କମିସନ ଓ ସୁପ୍ରିମକୋର୍ଟରେ ପହଁଞ୍ଚଛି । ୮ ତାରିଖରେ ଇସି ଓ ୧ ତାରିଖରେ ଆସିବ ସୁପ୍ରିମକୋର୍ଟଙ୍କ ଫଇସଲା ।