ପଶ୍ଚିମବଙ୍ଗ ଏସଏସସି ଦୁର୍ନୀତିରେ ବଡ ଖୁଲ୍ଲାସ। ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କଲା ଇଡି ।

166

କନକ ବ୍ୟୁରୋ: ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ ହେବା ପରେ ଉଠୁଛି ପଡୁଛି ପଶ୍ଚିମବଙ୍ଗ । ଇଡିର ମାରାଥନ ଚଢାଉ ଭିତରେ ଫସିଯାଇଛନ୍ତି ମମତା ବାନାର୍ଜୀଙ୍କ ପ୍ରିୟ ମନ୍ତ୍ରୀ । ୨୬ ଘଣ୍ଟାର ମାରାଥାନ ଜେରା ପରେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଛି ଇଡ଼ି । ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ଘନିଷ୍ଠ ସହଯୋଗୀ ରାଜ୍ୟରେ ଶିକ୍ଷକ ନିଯୁକ୍ତି ନେଇ ବଡ଼ ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଇଡି ତଦନ୍ତ କରୁଥିବା ବେଳେ ସ୍କାନରରେ ଥିଲେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ଶୁକ୍ରବାର ପାର୍ଥ ଚାଟାର୍ଜୀ ଓ ସହଯୋଗୀ ଅର୍ପିତାଙ୍କ ଘରେ ରେଡ କରିଥିଲା ଇଡି । ପାର୍ଥ ଚାଟାର୍ଜୀଙ୍କୁ ଇଡ଼ି ଗିରଫ କରିଥିବା ବେଳେ ଅର୍ପିତାଙ୍କୁ ଅଟକ ରଖିଛି । ଗତକାଲି ଅର୍ପିତାଙ୍କ ଘରୁ ୨୦ କୋଟି ଟଙ୍କା ଜବତ କରିଥିଲା ଇଡ଼ି ।

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା
– ଶିକ୍ଷକ ନିଯୁକ୍ତି ମାମଲାର ତଦନ୍ତ କରୁଛି ସିବିଆଇ
– ମାମଲାର ଆର୍ଥିକ କାରବାରର ତଦନ୍ତ କରୁଛି ଇଡି
– ରାଜ୍ୟ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଶିକ୍ଷକ ଓ ଗ୍ରୁପ୍-ସି ଓ ଗ୍ରୁପ୍-ଡି ପଦବୀ ନିଯୁକ୍ତିରେ ବଡ଼ ଦୁର୍ନୀତି
– ବର୍ତମାନର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ପୂର୍ବରୁ ଶିକ୍ଷାମନ୍ତ୍ରୀ ଥିବା ବେଳେ ହୋଇଥିଲା ଘୋଟାଲା
– ଏ ମାମଲାରେ ସିବିଆଇ ପାର୍ଥଙ୍କୁ ଦୁଇ ଥର ଜେରା କରିସାରିଛି
– ଏପ୍ରିଲ ୨୬ ଓ ମେ’ ୧୮ରେ ପୂର୍ବରୁ ସିବିଆଇରେ ହାଜର ହୋଇଛନ୍ତି ପାର୍ଥ
– ପାର୍ଥଙ୍କ ସମେତ ବର୍ତ୍ତମାନର ଶିକ୍ଷା ମନ୍ତ୍ରୀ ପରେଶ ଅଧିକାରୀ ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କ ଘରେ ବି ହୋଇଛି ଇଡି ରେଡ୍

ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଏ ଦୁଇ ଜଣଙ୍କ ସମ୍ପୃକ୍ତି ଥିବା ସାମ୍ନାକୁ ଆସୁଛି । ପରେଶ ଅଧିକାରୀ ଓ ତାଙ୍କ ଝିଅଙ୍କୁ ମଧ୍ୟ ସିବିଆଇ ଜେରା କରିସାରିଛି । ମାମଲାରେ ଜଡିତ ହେବା ପରେ ପରେଶ ଅଧିକାରୀଙ୍କ ଝିଅ ହରାଇଛନ୍ତି ଶିକ୍ଷକ ଚାକିରି । ବିଜେପି ରାଜନୈତିକ ଉଦ୍ଦେଶ୍ୟ ରଖି ଚଢାଉ ଓ ଗିରଫଦାରୀ କରାଉଛି ବୋଲି ତୃଣମୂଳ କଂଗ୍ରେସର ଅଭିଯୋଗ । ସେପଟେ ବିଜେପି କହିଛି ପଶ୍ଚିମବଙ୍ଗରେ ଭୟର ବାତାବରଣ ରହିଛି, ଦୁର୍ନୀତି ଚରମସୀମାରେ ପହଁଞ୍ଚିଛି ଓ ଗିରଫ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ବାଙ୍ଗଲାଦେଶ ସହ ମଧ୍ୟ କନେକ୍ସନ ଥିବା କହିଛନ୍ତି ବିଜେପି ନେତା ଦିଲ୍ଲୀପ ଘୋଷ ।

ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନ୍ତ୍ରୀ ଓ ନାୟିକାଙ୍କ ଘରେ ହଠାତ ଚଢାଉ କରିଥିଲା । ଚଢାଉ ସମୟରେ ଅର୍ପିତାଙ୍କ ଘରୁ ୨୦କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଥିଲା ଇଡି । ଏତେ ପରିମାଣର ନଗଦ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଇଡି ଅଧିକାରୀ । ସର୍ଚ୍ଚ ଟିମ୍ ସହ ବ୍ୟାଙ୍କ ଅଧିକାରୀ ରହିଥିବା ବେଳେ କାଉଣ୍ଟି ମେସିନ୍ ସାହାଯ୍ୟରେ ଟଙ୍କା ଗଣାଯାଇଥିଲା । ଘରେ କାହିଁକି ଏତେ ଟଙ୍କା ରଖା ଯାଇଥିଲା, ଏ ନେଇ ସନ୍ତୋଷଜନକ ଉତ୍ତର ମିଳିନଥିବା ଇଡି ପକ୍ଷରୁ କୁହାଯାଇଛି । ପୁଳା ପୁଳା ନଗଦ ଟଙ୍କା ସହ ୨୦ଟି ମୋବାଇଲ୍ ଫୋନ ମଧ୍ୟ ଜବତ କରାଯାଇଛି । ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହ ପଶ୍ଚିମବଙ୍ଗର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ପରେଶ ଅଧିକାରୀ, ବିଧାୟକ ମାନିକ ଭଟ୍ଟାଚାର୍ଯ୍ୟଙ୍କ ଅଫିସ ଓ ବାସଭବନର ମଧ୍ୟ ରେଡ୍ କରାଯାଇଛି । ବେଙ୍ଗଲରେ ହୋଇଥିବା ଶିକ୍ଷକ ଦୁର୍ନୀତିରେ ଅର୍ପିତାଙ୍କ ଭୂମିକା ଥିବା ସହେନ୍ଦ କରିଛି ଇଡି । ବିଭିନ୍ନ ବେଙ୍ଗୋଲୀ ଓ ଓଡିଆ ଚଳଚିତ୍ରରେ ଅଭିନୟ କରିବା ସହ ଅର୍ପିତାଙ୍କ ରାଜନୈତିକ ଲିଙ୍କ ମଧ୍ୟ ସାମ୍ନାକୁ ଆସିଛି ।