ମେଡିକାଲ ବେଡରେ ସୁମତିର ସଂଘର୍ଷ। ସହଯୋଗର ହାତବଢାଇଛି ଓଡ଼ିଶା ମୋ ପରିବାର।

116

କନକ ବ୍ୟୁରୋ : ଅନ୍ୟ ସମସ୍ତଙ୍କ ଭଳି ସେ ବି ଅନେକ ସ୍ୱପ୍ନ ଦେଖିଥିଲା । ଭଲ ପାଠପଢିବ, ଚାକିରୀ କରିବ । ହେଲେ ସବୁ ସ୍ୱପ୍ନ ଆଜି ଭାଙ୍ଗି ଚୁରମାର ହୋଇଯାଇଛି। ହସିବା ଖେଳିବା ବୟସରେ ସୁମତି ହସପିଟାଲ ବେଡରେ । କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲର ବେଡରେ ପ୍ରତିଟିକ୍ଷଣ ସଂଘର୍ଷ କରୁଛି ।

ମେଡିକାଲର ବେଡରେ ୧୩ ବର୍ଷୀୟ ସୁମତି । ବାଲେଶ୍ୱରର ସୁମତିଙ୍କୁ ଯେତେବେଳେ ୮ ବର୍ଷ ହୋଇଥିଲା ସେତେବେଳେ ଦିଲ୍ଲୀର ଦମ୍ପତ୍ତି ଆସି ପହଞ୍ଚିଥିଲେ ତାଙ୍କ ଘରେ । ଭଲମଣିଷ କରିବେ, ପରିବାରକୁ ଆର୍ଥିକ ସହଯୋଗର ଲୋଭ ଦେଖାଇ ଦିଲ୍ଲୀ ନେଇଯାଇଥିଲେ । କିନ୍ତୁ ସେଠି ପାଠପଢାଇବା ବଦଳରେ ଘରକାମରେ ଲଗାଇଲେ । କାଶ୍ମୀର ବୁଲିଯାଇଥିବା ବେଳେ ସେଠାରେ ତାର ଗୋଡ ଭାଙ୍ଗିଗଲା । ଗୋଡ ଭାଙ୍ଗିବା ପରେ ଚିକିତ୍ସା ବଦଳରେ ସେହି ଦମ୍ପତ୍ତି ଆଣି ଘରେ ଛାଡିଗଲେ । ମେଡିକାଲରେ ଚିକିତ୍ସା ପରେ ଜଣାପଡିଲା ଭାଙ୍ଗିଥିବା ଗୋଡରେ କ୍ୟାନସର ହୋଇଯାଇଛି । ତେଣୁ ଭଙ୍ଗା ଗୋଡ କଟାଯାଇଥିଲା । ଆଉ ଏବେ ସେ ଏହି ମେଡିକାଲ ବେଡରେ ଚିକିତ୍ସାଧୀନ ରହିଛନ୍ତି ।

ବାଲେଶ୍ୱର ଗେଙ୍ଗୁଟି ଅଞ୍ଚଳର ସୁମତିଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଚିକିତ୍ସା ହୋଇପାରିନଥିଲା । ପିଲାଟି ବେଳରୁ ସୁମତିଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଛି । ପାଖରେ ପଇସା ନଥିବାରୁ ଚିକିତ୍ସା ମଧ୍ୟ କରିପାରୁନଥିଲେ ପରିବାର ସଦସ୍ୟ । ତେବେ ଏହି ସମୟରେ ସହାୟତାର ହାତ ବଢାଇଛି ଓଡିଶା ମୋ ପରିବାର । ପରିବାରର ସଦସ୍ୟ ଡାକ୍ତରଖାନାରେ ସହଯୋଗ ବଢାଇବା ପରେ ସୁମତି ସୁସ୍ଥ ଅଛନ୍ତି । ସୁମତିର ସିନା ଜୀବନ ବଞ୍ଚିଯାଇଛି କିନ୍ତୁ ସେ ନିଜର ଗୋଡ ହରାଇଛି । ତେବେ ଯେଉଁ ଦମ୍ପତ୍ତି ଏଭଳି କରିଛନ୍ତି ସେମାନଙ୍କ ବିରୋଧରେ କଣ କିଛି କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ନୁହେଁ ।