‘ବନ୍ଧୁତା ଆଳରେ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରାଯାଇପାରିବ ନାହିଁ’: ବମ୍ବେ ହାଇକୋର୍ଟ

371

କନକ ବ୍ୟୁରୋ: ଯୁବକ ଯୁବତୀଙ୍କ ମଧ୍ୟରେ ସମ୍ପର୍କକୁ ନେଇ ବମ୍ବେ ହାଇକୋର୍ଟ ଶୁଣାଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବନ୍ଧୁତା ନାଁରେ ଯୁବତୀଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଦଣ୍ଡନୀୟ ଅପରାଧ  । ଯଦି କୌଣସି ଯୁବକ ଯୁବତୀଙ୍କ ମଧ୍ୟରେ ବନ୍ଧୁତାର ସମ୍ପର୍କ ଅଛି, ତେବେ ଯୁବତୀଙ୍କୁ ଶରୀରିକ ସମ୍ପର୍କ ପାଇଁ  ବାଧ୍ୟ କରିପାରିବେ ନାହିଁ ପୁରୁଷ ବନ୍ଧୁ ବା ଯୁବକ । ଏଥିପାଇଁ ଯଦି ବାନ୍ଧବୀଙ୍କର ସହମତି ଥାଏ ତାହା ଭିନ୍ନ କଥା କିନ୍ତୁ ତାଙ୍କ ବିନା ସହମତିରେ ସମ୍ପର୍କ ରଖାଯାଇପାରିବ ନାହିଁ କିମ୍ବା ତାଙ୍କୁ ସହମତି ଦେବାକୁ ମଧ୍ୟ କୌଣସି ପ୍ରକାର ଚାପ ପକାଯାଇପାରିବ ନାହିଁ । ଏପରି ହେଲେ ସମ୍ପୃକ୍ତ ପୁରୁଷ ବନ୍ଧୁଙ୍କ ବିରୋଧରେ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଷ୍ଟିସ୍ ଭାରତୀ ଡାଙ୍ଗରେଙ୍କ ବେଞ୍ଚ ନିଷ୍ପତ୍ତି ଶୁଣାଇଛନ୍ତି ।

ସୂଚନା ମୁତାବକ, ବିଚାରାଧିନା ମାମଲାରେ ସମ୍ପୃକ୍ତ ତଥା ଅଭିଯୁକ୍ତ ଯୁବକ ପ୍ରଥମେ ଯୁବକଙ୍କ ସହ ବନ୍ଧୁତା କଲେ । ଏହାପରେ ବିବାହ କରିବାକୁ କଥା ଦେଇ ଶାରୀରିକ ସମ୍ପର୍କ ରଖିବାକୁ କହିଲେ । ଏଥିରେ ଯୁବତୀ ଜଣକ ରାଜି ନହେବାରୁ ତାଙ୍କୁ ଏଥିପାଇଁ ଜୋରଜବରଦସ୍ତି କଲେ । ଯୁବତୀ ଗର୍ଭବତୀ ହେବା ପରେ ବିବାହ ପ୍ରତିଶ୍ରୁତିରୁ ଓହରିଯାଇଥିଲେ ଯୁବକ । ଏହାକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପୀଡିତା ଯୁବତୀ ।

 ଏହି ଘଟଣାରେ ସ୍ଥାନୀୟ ପୋଲିସ ଯୁବକକୁ ଗିରଫ କରି ଜେଲ ପଠାଇଛି । ତେବେ ଯୁବକର ଜାମିନ ଆବଦେନକୁ କୋର୍ଟ ଖାରଜ କରିଦେଇଛନ୍ତି । ତେବେ ପ୍ରତି ମହିଳାଙ୍କ ‘ସମ୍ମାନ’ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ । ଏହି ଦୃଷ୍ଟିରୁ ବନ୍ଧୁତା ନାଁରେ ଯୁବତୀଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଦଣ୍ଡନୀୟ ଅପରାଧ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି ।