ବରଗଡ଼ ପଦ୍ମପୁର ଅଂଚଳରେ ଦୁଇ ଭାଇଙ୍କ ଷ୍ଟ୍ରବେରି ଚାଷ: ବାହାର ରାଜ୍ୟରୁ ୧୫୦୦ ଚାରା ଆଣି ଆରମ୍ଭ କରିଥିଲେ ଚାଷ

117

କନକ ବ୍ୟୁରୋ: ବରଗଡ ପଦ୍ମପୁର ଉପଖଣ୍ଡରେ ଷ୍ଟ୍ରବେରୀ ଚାଷ କରୁଛନ୍ତି ଚାଷୀ । ତେବେ ଏହି ଅଂଚଳରୁ ହଜାର ହଜାର ଲୋକ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି । କିନ୍ତୁ ପ୍ରତିକୂଳ ପରିସ୍ଥିତିରେ ନିଜର ପରିଶ୍ରମ ଓ ଆଧୁନିକ ଜ୍ଞାନ କୌଶଳ ଉପଯୋଗ କରି ଷ୍ଟ୍ରବେରୀ ଭଳି ଏକ ବ୍ୟୟ ବହୁଳ ଫଳକୁ ଚାଷ କରିବାରେ ସଫଳ ହୋଇଛନ୍ତି । ଏହାକୁ ଏକ ଲାଭବାନ ବ୍ୟବସାୟରେ ପରିଣତ କରିଛନ୍ତି ପଦ୍ମପୁର ଜାମଖାର ଗାଁର ଦୁଇ ଭାଇ ସୁଜିତ୍ ଓ ଅଜିତ ।

ବରଗଡ଼ ପଦ୍ମପୁର ଅଂଚଳରେ ଆଧୁନିକ ଜ୍ଞାନ କୌଶଳ ଉପେଯୋଗ କରି ଷ୍ଟବେରୀ ଚାଷ କରି ସଫଳ ହୋଇଛନ୍ତି ଦୁଇ ଭାଇ ସୁଜିତ ଓ ଅଜିତ । ନିଜ ଘର ପଛ ପଟ ଥିବା କୋଡିଏ ଡେସିମିଲ ଜମିରେ ଏକ ପୋଲି ହାଉସ ତିଆରି କରି ଷ୍ଟବେରୀ ଚାଷ କରିଛନ୍ତି । ବାହାର ରାଜ୍ୟରୁ ୧୫୦୦ ଚାରା ଆଣି ଏହି ଚାଷ ଆରମ୍ଭ କରିଛନ୍ତି ସୁଜିତ ଓ ଅଜିତ । ଷ୍ଟବେରୀ ଚାଷ ପାଇଁ ଥଣ୍ଡା ଜଳବାୟୁର ଆବଶ୍ୟକତା ରହିଥାଏ ।

ତେଣୁ ନୂତନ ଜ୍ଞାନ କୌଶଳ ବ୍ୟବହାର କରି ପୋଲିହାଉସରେ ଧାଡି ପ୍ରଣାଳୀରେ ଚାଷ କରାଯାଇଛି । ବୁନ୍ଦା ଜଳ ସେଚନ ମାଧ୍ୟମରେ ଏହି ଚାଷ କରାଯାଉଥିବା ଜଣାପଡ଼ିଛି । ଗତ ନଭେମ୍ବର ମାସରୁ ଏହି ଚାଷ ଆରମ୍ଭ କରି ବର୍ତମାନ ଯାଏଁ ଷ୍ଟବେରୀ ଉତ୍ପାଦନ କରି ବିକ୍ରି କରୁଛନ୍ତି । ସୁଜିତ ଅଜିତଙ୍କ କହିବା ମୁତାବକ ଏହି ଫଳ ଚାରି ମାସ ପର୍ଯ୍ୟନ୍ତ ଅମଳ ହୋଇଥାଏ । ବର୍ତମାନ ପଦ୍ମପୁର ଅଂଚଳରେ ଷ୍ଟବେରୀର ଚାହିଦା ରହିଛି । ପଦ୍ମପୁର ବଜାରରେ ଷ୍ଟବେରୀ କେଜି ପ୍ରତି ୫୦୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି କରାଯାଉଛି । ପ୍ରତ୍ୟେକ ଷ୍ଟବେରୀ ଗଛରୁ ଚାରି ମାସ ମଧ୍ୟରେ ୫୦୦ ଗ୍ରାମରୁ ଅଧିକ ଫଳ ଅମଳ ହୋଇଥାଏ , ଏହି ହିସାବରେ ଏହି ଦୁଇ ଭାଇ ଚାରି ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରି ପାରିବେ ବୋଲି କହିଛନ୍ତି ।

ସୁଜିତ ଓ ଅଜିତ ବିଶ୍ୱାଳଙ୍କ ବାପା ଜଣେ ସଫଳ ଚାଷୀ ଭାବେ ସେହି ଅଂଚଳରେ ବେଶ ପରିଚିତ । ସେ ମଧ୍ୟ ବିଭିନ୍ନ ପ୍ରକାର ଫଳ, ପନିପରିବା ଚାଷ କରି ସୁନାମ ଅର୍ଜନ କରିବା ସହ ରାଜ୍ୟସ୍ତରରେ ପୁରସ୍ମୃତ ହୋଇଛନ୍ତି । ସୁଜିତ ଓ ଅଜିତ ତାଙ୍କ ବାପାଙ୍କ ଠାରୁ ପ୍ରେରଣା ପାଇ ଚାଷ ପ୍ରତି ଆକୃଷ୍ଟ ହୋଇ ନୂତନ ଜ୍ଞାନ କୌଶଳରେ ଚାଷ କରିବା ଆରମ୍ଭ କରିଛନ୍ତି । ଷ୍ଟ୍ରବେରୀ ଚାଷ ସମ୍ପୁର୍ଣ ନୂଆ ହୋଇଥିବା ବେଳେ ଏଥିରେ ସଫଳ ହେବେ ନା ନାହିଁ ସନ୍ଦେହ କରି ଚାଷ ଆରମ୍ଭ କରିଥିଲେ । କିନ୍ତୁ ଦୁଇ ଭାଇଙ୍କ ମନୋବଳ ଓ ପରିଶ୍ରମ ଯୋଗୁଁ ଏହି ଚାଷ ସଫଳ ହୋଇଛି । ଯାହାକୁ ଦେଖି ପରିବାର ଲୋକ ତଥା ଅଂଚଳବାସୀ ବେଶ ଖୁସି ପ୍ରକାଶ କରିଛନ୍ତିି । ଷ୍ଟବେରୀ ତୋଳିବା ଏବଂ ପ୍ୟାକିଙ୍ଗ କରିବାରେ ସହଯୋଗ କରୁଛନ୍ତି ପରିବାର ଲୋକ । ୨୦୦ ଗ୍ରାମ ଭର୍ତୀ ଏକ ପ୍ଲାଷ୍ଟିକ ଡବାରେ ପ୍ୟାକିଙ୍ଗ କରି ବଜାରକୁ ବିକ୍ରୟ ପାଇଁ ପଠାଉଛନ୍ତି । ତେବେ ଦୁଇ ଭାଇଙ୍କ ଏହି ଚାଷ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଛି ।

ପଦ୍ମପୁର ଭଳି ମରୁଡି ଅଂଚଳରେ ଷ୍ଟବେରି ଚାଷ କରି ନିଜେ ଲାଭବାନ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଏହି ଦୁଇ ଭାଇ । ଆଗକୁ ଅନ୍ୟ ଚାଷୀ ମାନେ ଏହି ଉପାୟ ଅବଲମ୍ବନ କଲେ ସ୍ଥାନୀୟ ଅଂଚଳରୁ ବାହାର ରାଜ୍ୟକୁ ଦାବନ ଖଟିବାକୁ ଯାଉଥିବା ଲୋକଙ୍କ ସଂଖ୍ୟା କମିପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।