ଆଉ ମାତ୍ର ୨ ମାସର ଅପେକ୍ଷା: ହକି ବିଶ୍ୱକପ ମାନଚିତ୍ରର ଯୋଡିହେବ ଷ୍ଟିଲ ସିଟି ରାଉରକେଲା 

246

କନକ ବ୍ୟୁରୋ: ଆଉ ମାତ୍ର ୨ ମାସର ଅପେକ୍ଷା । ହକି ବିଶ୍ୱକପ୍ ମାନଚିତ୍ରରେ ଭୁବନେଶ୍ୱର ପରେ ଓଡ଼ିଶାର ଦ୍ୱିତୀୟ ସହର ଭାବେ ସ୍ଥାନିତ ହେବାକୁ ଯାଉଛି ଷ୍ଟିଲ ସିଟି ରାଉରକେଲା । ଆଉ ଏଇଥିପାଇଁ ନୂଆରୂପରେ ସଜେଇ ହେଉଛି ଷ୍ଟିଲସିଟି । ରାସ୍ତାପାଶ୍ୱର୍ କାନ୍ଥବାଡ଼କୁ ରଙ୍ଗ ତୁଳୀରେ ଶେଷ ସ୍ପର୍ଶ ଦେଉଛନ୍ତି ପଟ୍ଟଚିତ୍ର ଶିଳ୍ପୀ । କ୍ରିଡ଼ା ଭିତିଭୁମି, ପାର୍କ, ରାସ୍ତାଘାଟର ନବୀକରଣ, ଆଲୋକୀକରଣ ତଥା ସୌନ୍ଦର୍ଯ୍ୟକରଣକୁ ଦିଆଯାଉଛି ଗୁରୁତ୍ୱ ।

ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍-୨୦୨୩ । ଆସନ୍ତା ଜାନୁଆରୀ ମାସରେ ଭୁବନେଶ୍ୱର ସହିତ ରାଉରକେଲାରେ ଆୟୋଜିତ ହେବାକୁ ଥିବା ହକି ମହାକୁମ୍ଭ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ରାଉରକେଲାରେ ପ୍ରଥମ ଥର ପାଇଁ ଏଭଳି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ ହେଉଥିବାରୁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଆରଏମସି କତୃପକ୍ଷ ସମସ୍ତେ ଚଳଚଂଚଳ । ସେହିଭଳି ଖେଳାଳି, କର୍ମକର୍ତା ଓ ଅତିଥିଙ୍କ ସ୍ୱାଗତ ପାଇଁ ଯୁଦ୍ଧକାଳିନ ଭିତିରେ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରଖିଛି ଜିଲ୍ଲା ପ୍ରଶାସନ । ହକିର ଏନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼ ଜିଲ୍ଲାରୁ ପାଖାପାଖି ୬୦ରୁ ଉଦ୍ଧ୍ୱର୍ ଖେଳାଳି ଜାତୀୟ ତଥା ଆନ୍ତର୍ଜାତିୟ ସ୍ତରରେ ପ୍ରତିନିଧିତ୍ୱ କରିସାରିଛନ୍ତି । ରାଉରକେଲାରେ ବିଶ୍ୱକପ୍ ଆୟୋଜନ ଉଦୀୟମାନ ଖେଳାଳିଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଏହାଦ୍ୱାରା ଆହୁରି ଅନେକ ପ୍ରତିଭାସମ୍ପର୍ଣ୍ଣ ଖେଳାଳି ଆଗାମୀ ଦିନରେ ଜାତୀୟ ଦଳରେ ପ୍ରତିନିଧିତ୍ୱ କରିବାର ସମ୍ଭାବନା ମଧ୍ୟ ରହିଛି ।